ଓଡିଶାଲାଇଭ୍ ବ୍ୟୁରୋ

ଆଜି ଅନଲକ୍-୧ ର ପ୍ରଥମ ପର୍ଯ୍ୟାୟ ଶେଷ ହେଉଛି। ଏଥିପାଇଁ ଆଜି ଅପରାହ୍‌ଣ ୪ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ କରୋନା ସଙ୍କଟ ସମ୍ବନ୍ଧରେ ନିଜର ମତ ରଖିପାରନ୍ତି। ଏଥିସହ ଭାରତ-ଚୀନ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ସେ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଂକଟ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ପାଞ୍ଚଥର ଦେଶକୁ ସମ୍ବୋଧନ କରିସାରିଛନ୍ତି। ଆଜି ପୁଣି ଥରେ ସେ ଦେଶକୁ ସମ୍ବୋଧିତ କରିବେ।

ଆସନ୍ତୁ ନଜର ପକାଇବା ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ ମୋଦୀ?

୧୯ ମାର୍ଚ୍ଚ ଜନତା କର୍ଫ୍ୟୁ

ପ୍ରଧାନମନ୍ତ୍ରୀ ଗତ ୧୯ ମାର୍ଚ୍ଚରେ ଦେଶବାସୀଙ୍କୁ ସମ୍ବୋଧନ କରି କରୋନା ଯୁଦ୍ଧରେ ସଂଯମତା ରକ୍ଷା କରିବା ସହ ସଚେତନ ହେବା ପାଇଁ ସଂକଳ୍ପ ନେବାକୁ ଆହ୍ଵାନ ଦେଇଥିଲେ। ଏହା ସହିତ ଜନତା କର୍ଫ୍ୟୁ ଲାଗୁ କରିବା ପାଇଁ ଅପିଲ କରିଥିଲେ। ଏହି ୩୦ ମିନିଟର ସମ୍ବୋଧନରେ ମୋଦୀ କରୋନା ଭାଇରସର ଭୟାବହତା ଉପରେ ଗୁରୁତ୍ଵ ଦେବା ସହ ଯେତେଦୂର ସମ୍ଭବ ଘରେ ରହିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ।

୨୪ ମାର୍ଚ୍ଚରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା

କରୋନା ଭାଇରସ ବିଷୟରେ ମାର୍ଚ୍ଚ ୨୪ରେ ଦ୍ଵିତୀୟ ଥର ପାଇଁ ଦେଶକୁ ସମ୍ବୋଧନ କରିଥିଲେ  ମୋଦୀ। ଏଥିରେ ସେ ସାରା ଦେଶ ପାଇଁ ୨୧ ଦିନର ଲକଡାଉନ ଘୋଷଣା କରିଥିଲେ। ଭାରତକୁ କରୋନାରୁ ବଞ୍ଚେଇବା ପାଇଁ, ଦେଶବାସୀଙ୍କ ମଙ୍ଗଳ ପାଇଁ ଘରୁ ବାହାରିବା ଉପରେ ୨୧ ଦିନ ପର୍ଯ୍ୟନ୍ତ ରୋକ୍ ଲଗାଯାଉଛି, କାରଣ ‘ଜାନ ହେ ତୋ ଜହାନ ହେ’ ବୋଲି ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଥିଲେ।

୩ ଏପ୍ରିଲରେ କରୋନା ଯୋଦ୍ଧାଙ୍କ ସମ୍ମାନ ପାଇଁ ଅପିଲ

ଏପ୍ରିଲ ୩ ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦୀ ଦେଶର କରୋନା ଯୋଦ୍ଧାମାନଙ୍କୁ ସମ୍ମାନ କରିବା ପାଇଁ ଆହ୍ଵାନ ଦେଇଥିଲେ। ଏପ୍ରିଲ ୫ ତାରିଖ ରାତି ୯ଟାରେ ନିଜ ନିଜ ଘରେ ସାମାଜିକ ଦୂରତା ରକ୍ଷା କରି କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ୯ ମିନିଟ ଯାଏଁ ଦୀପ କିମ୍ଵା ମହମବତୀ ଜଳେଇବାକୁ ଅପିଲ କରିଥିଲେ। କରୋନା ବିରୋଧରେ ଦେଶବାସୀଙ୍କୁ ଏକାଠି କରିବା ମୋଦୀଙ୍କ ଉଦ୍ଦେଶ୍ୟ ଥିଲା।

 ୧୪ ଅପ୍ରେଲଲକଡାଉନର ସମୟସୀମା ବୃଦ୍ଧି

ପ୍ରଧାନମନ୍ତ୍ରୀ ୧୪ ଏପ୍ରିଲରେ ଦେଶକୁ ସମ୍ବୋଧନ କରି ୧୯ ଦିନ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିଥିଲେ। ଏଥିରେ ସାଧାରଣ ଲୋକଙ୍କ ସମସ୍ୟା ସହିତ ବୟସ୍କ ଲୋକଙ୍କ ଯତ୍ନ, ସାମାଜିକ ଦୂରତା ରକ୍ଷା ଏବଂ ଗରିବ ପରିବାରଗୁଡ଼ିକର ସହାୟତା କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ।

ମେ’ ୧୨ ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ

ପ୍ରଧାନମନ୍ତ୍ରୀ  ମେ’ ୧୨ ରାତି ୮ଟାରେ ଦେଶବାସୀଙ୍କୁ ପଞ୍ଚମ ଥର ପାଇଁ ସମ୍ବୋଧିତ କରିଥିଲେ। ଏଥିରେ ସେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏଥିସହ ଲକଡାଉନର ସମୟସୀମା ବୃଦ୍ଧି କରିବା ସହିତ ଆତ୍ମନିର୍ଭର ଭାରତର ମନ୍ତ୍ର ପ୍ରଦାନ କରିଥିଲେ।

Comment