ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

‘‘ଲକ୍‌ଡାଉନ୍‌ ବେଳେ ନିୟମ କଡ଼ାକଡ଼ି ଥିଲା। ସମସ୍ତେ ଏହାକୁ ମାନୁଥିଲେ। ହେଲେ ଯେବେଠୁ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେଲାଣି ସେବେଠୁ ଲୋକେ ଢିଲା ହୋଇଗଲେଣି। କଟକଣା ଭିତରେ କେହି ରହୁ ନାହାନ୍ତି। ଯଦି ଆମେ ନିୟମ ନମାନିବା ଏବଂ କଟକଣା ଉଲ୍ଲଂଘନ କରିବା ତାହାଲେ ସମସ୍ତେ ବିପଦରେ ପଡ଼ିବା। ଏଣୁ ସତର୍କ ରହିବା ନିହାତି ଜରୁରୀ’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆଜି ଅନ୍‌ଲକ୍‌-୧ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତାକାଲିଠୁ ଅନ୍‌ଲକ୍‌-୨ ଆରମ୍ଭ ହେଉଛି। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗତକାଲି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଅନ୍‌ଲକ୍‌-୨ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି।

ମୋଦୀ କହିଛନ୍ତି ଯେ, ‘‘ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ଲକ୍‌ଡାଉନ୍‌ ଯୋଗୁଁ ଏହା କେବଳ ସମ୍ଭବ ହୋଇଛି। ଲକ୍‌ଡାଉନ୍‌ ନିୟମ ବଳବତ୍ତର ଥିବା ବେଳେ ଲୋକେ ସଚେତନ ଥିଲେ। ଭଲଭାବେ ହାତ ଧୋଉଥିଲେ, ମାସ୍କ ପିନ୍ଧୁଥିଲେ, ସାମାଜିକ ଦୂରତା ନିୟମ ମାନୁଥିଲେ। କିନ୍ତୁ ଏବେ ଅବହେଳା କରୁଛନ୍ତି। ନିୟମ ମାନୁ ନଥିବା ଲୋକଙ୍କୁ ବୁଝାଇବାକୁ ପଡ଼ିବ। ନହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ। ଜଣଙ୍କ ପାଇଁ ୧୩୦ କୋଟି ଲୋକ ବିପଦରେ ପଡ଼ିବାର ସମ୍ଭାବନା ରହିଛି। ଗାଁର ସାଧାରଣ ଲୋକଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ ଯାଏ କେହି ନିୟମଠାରୁ ଊର୍ଦ୍ଧ୍ୱରେ ନୁହନ୍ତି। କଣ୍ଟେନମେଣ୍ଟ ଅଞ୍ଚଳରେ ନିୟମ କଡ଼ାକଡ଼ି କରିବା ଦରକାର।’’

କରୋନା ସଙ୍କଟ ବେଳେ ପ୍ରଧାନମନ୍ତ୍ରୀ ୫ ଥର ଦେଶବାସୀଙ୍କୁ ସମ୍ବୋଧନ କଲେଣି। କରୋନା ପାଇଁ ଅଧିକ ସତର୍କ ରହିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

Comment