ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ। ଜନ୍ମବେଦୀରୁ ବାହୁଡ଼ିଲେ ମହାବାହୁ।

ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିବା ମହାପ୍ରଭୁଙ୍କ ତିନି ରଥ ଆଜି ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି। ତିନି ରଥରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। କରୋନା କଟକଣା ପାଇଁ ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ମଧ୍ୟ ଭକ୍ତଶୂନ୍ୟ ହୋଇଥିଲା। ଭକ୍ତମାନେ ଟିଭି ଓ ଡିଜିଟାଲ ମିଡିଆ ମାଧ୍ୟମରେ ମହାବାହୁଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଥିଲେ।

ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ଏବଂ ରଥ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଥିବାରୁ ଗଜପତି ମହାରାଜା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ହେରାପଞ୍ଚମୀ ତିଥିରୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗୁଣ୍ଡିଚା ମନ୍ଦିରର ନାକଚଣା ଦୁଆର ପାଖରେ ତିନି ରଥ ଦକ୍ଷିଣ ମୋଡ଼ ନେଇ ଗତକାଲିଠାରୁ ତିନି ଠାକୁରଙ୍କୁ ଅପେକ୍ଷା କରି ରହିଥିଲା। ଆଜି ଭୋରରୁ ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କ ନୀତିକାନ୍ତି ଶେଷ ହେବା ପରେ ସକାଳ ସାଢ଼େ ୭ଟାରୁ ପହଣ୍ଡି ଆରମ୍ଭ ହୋଇଥିଲା।

ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପରେ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ ମହାପ୍ରଭୁ ଜଗନ୍ନାଥ। ରାମକୃଷ୍ଣ ଓ ମଦନମୋହନ ରଥକୁ ଆସିବା ପରେ ଗଜପତି ମହାରାଜା ଛେରାପହଁରା କରିବାକୁ ଆସିଥିଲେ। ସାଢ଼େ ୧୧ଟା ପୂର୍ବରୁ ଛେରାପହଁରା ନୀତି ଶେଷ ହେବା ପରେ ରଥ ଗଡ଼ିଥିଲା।

ପ୍ରଥମେ ୧୧ଟା୨୫ରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଥିଲା। ଘଣ୍ଟା ବ୍ୟବଧାନରେ ଦର୍ପଦଳନ ଏବଂ ପରେ ନନ୍ଦିଘୋଷ ରଥ ଗଡ଼ିଥିଲା।

ଶ୍ରୀମନ୍ଦିର ଅଭିମୁଖେ ଆସିବା ବେଳେ ମାଉସୀ ମା’ ମନ୍ଦିର ନିକଟରେ ଅଟକିଥିଲା ରଥ। ଏଠାରେ ମହାପ୍ରଭୁ ପୋଡ଼ପିଠା ଖାଇଥିଲେ। ଶ୍ରୀନଅର ସମ୍ମୁଖରେ ନନ୍ଦିଘୋଷ ରଥ ପହଞ୍ଚିବା ପରେ ଗଜପତି ମହାରାଜା ଲକ୍ଷ୍ମୀ ନାରାୟଣ ଭେଟ କରାଇଥିଲେ।

ବାହୁଡ଼ା ଯାତ୍ରା ପାଇଁ ଆଜି ପୁରୀରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଭକ୍ତଶୂନ୍ୟ ବାହୁଡ଼ା ଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଲଗାଯାଇଥିଲା।

ଆସନ୍ତାକାଲି ତିନି ରଥରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Comment