ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଲକ୍‌ଡାଉନ୍‌ ଯୋଗୁଁ ଭାରତରେ ଅନେକ ଶିଳ୍ପାନୁଷ୍ଠାନ, ବିଶେଷ ଭାବେ ଏମଏସଏମଇ କ୍ଷେତ୍ରଗୁଡ଼ିକ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛନ୍ତି।ଏମଏସଏମଇଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ବିଶ୍ୱ ବ୍ୟାଙ୍କ୍ ନିକଟରେ ୭୫୦ ମିଲିୟନ ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି। ଭାରତ ସରକାର ଘୋଷଣା କରିଥିବା ‘ଆତ୍ମନିର୍ଭର ଭାରତ’ ଅଭିଯାନ ପାଇଁ ଏହି ଅନୁଦାନ ନିଶ୍ଚିତ ଭାବେ ସହାୟକ ହେବ।

ପ୍ରଥମ ପର୍ଯ୍ୟାୟରେ ବିଶ୍ୱ ବ୍ୟାଙ୍କ ତରଫରୁ ଏମଏସଏମଇମାନଙ୍କୁ ୧.୫ ମିଲିୟନ ଟଙ୍କାର ଜରୁରିକାଳୀନ ନଗଦ ସହାୟତା ରାଶି ପ୍ରଦାନ କରାଯିବ ବୋଲି ବହୁପକ୍ଷୀୟ ଋଣ ପ୍ରଦାନକାରୀ ସଂସ୍ଥା ତା’ର ଏକ ରିପୋର୍ଟରେ ପ୍ରକାଶ କରିଛି। ଏହା ଫଳରେ ଏମଏସଏମଇର ଆର୍ଥିକ ଆବଶ୍ୟକତା ପୂରଣ ହେବା ସହ ଏଥିରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କ ଚାକିରି ମଧ୍ୟ ସୁରକ୍ଷିତ ରହିବ।

ଦେଶରେ ଏମଏସଏମଇ କ୍ଷେତ୍ରଗୁଡ଼ିକର ଅବଦାନ ମୋଟ ଜିଡିପିର ପ୍ରାୟ ୩୦ ପ୍ରତିଶତ ରହିଥିବା ବେଳେ ମୋଟ ରପ୍ତାନିର ୪୦% ରହିଛି। କିନ୍ତୁ ଏହି କ୍ଷେତ୍ର କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ଗୁରୁତର ଚାପର ସମ୍ମୁଖୀନ ହୋଇଛି। ଏହା ବ୍ୟତୀତ ଦେଶର ପ୍ରାୟ ୧୫୦-୧୮୦ ନିୟୁତ ଲୋକ ନିଜର ଜୀବିକା ନିର୍ବାହ ପାଇଁ ଏମଏସଏମଇ କ୍ଷେତ୍ରଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ତେବେ ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଏହି କ୍ଷେତ୍ର ବର୍ତ୍ତମାନ ନଗଦ ପ୍ରବାହର ଅଭାବ, ଚାହିଦା ହ୍ରାସ ଓ ଅନେକ ଆର୍ଥିକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି।

ଏମଏସଏମଇ କ୍ଷେତ୍ରର ସୁପରିଚାଳନା ଓ ଅଭିବୃଦ୍ଧି ବର୍ତ୍ତମାନ ସମୟରେ ସରକାରଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ।  କେନ୍ଦ୍ର ସରକାରଙ୍କର ‘ଆତ୍ମନିର୍ଭର ଭାରତ’ ଅଭିଯାନ ଏମଏସଏମଇଗୁଡ଼ିକର ପୁନରୁଦ୍ଧାର ଲାଗି କେତେଦୂର ଉପଯୁକ୍ତ ତାହା ଦେଖିବାକୁ ରହିଲା।

Comment