ଓଡ଼ିଶାଲାଇଭ୍ ବ୍ୟୁରୋ

ସାଂସଦ ଭାବେ ନିଜର ପ୍ରଥମ ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲେ ଭୁବନେଶ୍ୱର ସାଂସଦ ଅପରଜିତା ଷଡ଼ଙ୍ଗୀ। ଗୁରୁବାର ସାମ୍ବାଦିକ ସମ୍ମିଳନୀ ଡକାଇ ସେ ନିଜର ପ୍ରଥମ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ଏହି ଅବସରରେ ସେ ୫୬ ପୃଷ୍ଠାର ତାଙ୍କର ଏହି ବାର୍ଷିକ ରିପୋର୍ଟ କାର୍ଡକୁ ଉନ୍ମୋଚନ କରିଛନ୍ତି। ଯେଉଁଥିରେ ସାଂସଦଙ୍କ ଏକ ବର୍ଷର ସମସ୍ତ କାର୍ଯ୍ୟକୁ ଉଲ୍ଲେଖ କରାଯାଇଛି।

ସେ କହିଛନ୍ତି, “୨୦୧୯ ମସିହା ମେ ୨୩ ତାରିଖ ମୋ ପାଇଁ ବହୁତ ସ୍ମରଣୀୟ। ଏହିଦିନ ଭୁବନେଶ୍ୱରବାସୀଙ୍କ ଆଶୀର୍ବାଦରେ ମୁଁ ସାଂସଦ ହୋଇପାରିଥିଲି। ଏହି ବର୍ଷକ ଭିତରେ ମୁଁ ବିକାଶର ରାଜନୀତି ଏବଂ ସକରାତ୍ମକ ରାଜନୀତି କରିଛି। ବର୍ଷକ ଭିତରେ ରାଜନୀତିରେ ଥିବା ବରିଷ୍ଠ ଲୋକଙ୍କଠୁ ମଧ୍ୟ ବହୁତ କିଛି ଶିଖିପାରିଛି।”

ଭୁବନେଶ୍ୱରର ବିକାଶ କରିବାକୁ ସେ ସବୁବେଳ ପ୍ରୟାସ କରୁଛନ୍ତି। ଏନେଇ ସେ ୧୧ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି। ଏହାରି ଭିତରେ ସେ ଭୁବନେଶ୍ୱରର ବିକାଶ ପାଇଁ ୩ଟି ପ୍ରମୁଖ ପ୍ରକଳ୍ପ ହାତକୁ ନେଇଛନ୍ତି ବୋଲି କହିଛନ୍ତି। ଏହା ଭିତରେ ହଂସପାଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ, ଏକ ହଜାର ସୋଲାର୍ ଲାଇଟ୍ ସଂଯୋଗ ଏବଂ ଭୁବନେଶ୍ୱରରୁ ସୁରତ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ରହିଛି ବୋଲି ସେ କହିଛନ୍ତି।ଅପରାଜିତାଙ୍କ ଏହି ରିପୋର୍ଟ କାର୍ଡରେ ସେ ସଂସଦର କେଉଁ କେଉଁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ତାଙ୍କର ସମସ୍ତ ବାର୍ତ୍ତା, କରୋନା ସହ ଲଢ଼େଇ, ପାର୍ଟିର ଦଳୀୟ କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ଏହି ରିପୋର୍ଟରେ ବର୍ଣ୍ଣନା କରାଯାଇଛି।

ଜନ ଅଭିଯୋଗ ଶୁଣାଣି ଓ ତାର ସମାଧାନ ପାଇଁ ଅପରାଜିତା ସର୍ବାଧିକ ଗୁରୁତ୍ୱ ଦେଇଥିବା ଏହି ରିପୋର୍ଟରେ କୁହାଯାଇଛି। ତା’ସହ ଭରସା ନାମକ ଏକ ଲୋକ କଲ୍ୟାଣ ପାଣ୍ଠି କରି ସାଂସଦ କିଭଳି ୫୫୦୦ ଲୋକଙ୍କୁ ୧୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ତାହା ଏହି ରିପୋର୍ଟରେ ଦର୍ଶାଯାଇଛି। ଏଥିସହ କରୋନା ମହାମାରୀ ସମୟରେ ଲକ୍ଷାଧିକ ଗରିବ ଅଭାବୀ ଲୋକଙ୍କୁ ସାଂସଦ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇଛନ୍ତି ବୋଲି କୁହାଯାଇଛି।ସଂସଦୀୟ ଅଧିବେଶନରେ ଅପରାଜିତ ଷଡ଼ଙ୍ଗୀଙ୍କ ଯୋଗଦାନ ୯୭ ପ୍ରତିଶତ ରହିଥିଲା। ଏହି ସମୟରେ ସେ ୧୦ଟି ବିତର୍କରେ ଭାଗନେବା ସହିତ ୪୫ଟି ପ୍ରଶ୍ନ ପଚାରିଛନ୍ତି ବୋଲି କହିଛନ୍ତି। ଏଥିସହ ନିଜର ସଂସଦୀୟ କ୍ଷେତ୍ରର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯଥା ହଂସପାଳ ଫ୍ଲାଏ ଓଭରବ୍ରିଜ, ଭୁବନେଶ୍ୱରରୁ ସୁରତ ବିମାନ ସେବା ତାଙ୍କ ଉଦ୍ୟମରେ ହୋଇପାରିଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ପ୍ରତିବର୍ଷ ରଥଯାତ୍ରା ସମୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କର ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି।

Comment