ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍‌ ହସ୍ପିଟାଲରେ ହେବ କୋଭିଡ୍‌-୧୯ ପ୍ରତିଷେଧକ ଟିକାର ପରୀକ୍ଷଣ। ମଣିଷ ଉପରେ ପ୍ରୟୋଗ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସପିଟାଲକୁ ଆଇସିଏମ୍‌ଆର ପକ୍ଷରୁ ମନୋନିତ କରଯାଇଛି।

ଏହି ପ୍ରତିଷେଧକ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ନିମେନ୍ତେ ଓଡ଼ିଶାର ଏକମାତ୍ର ହସପିଟାଲ୍ ଭାବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ମନୋନିତ ହୋଇଥିବା ଆଇସିଏମଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ ଏହାର ପ୍ରମୁଖ ପରୀକ୍ଷକ ଭାବେ ଦାୟିତ୍ୱ ତୁଲାଇବେ।

ସେହିପରି ଓଡ଼ିଶାରେ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ପ୍ଲାମା ଥେରାପିର ପ୍ରୟୋଗ ପାଇଁ ମନୋନିତ ହୋଇଥିବା ଚାରୋଟି ହସପିଟାଲ୍ ମଧ୍ୟରୁ ସମ୍ ହସପିଟାଲ୍ ଅନ୍ୟତମ ଭାବେ ମନୋନିତ ହୋଇଛି।

ଆଇସିଏମଆର୍ – ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭିରୋଲଜି, ପୁଣେ ଦ୍ୱାରା ପୃଥକ କରାଯାଇଥିବା ଏହି ଭାଇରସର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ୍ ପ୍ରସ୍ତୁତ କରଯାଉଛି। ଆଇସିଏମଆର ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି। ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଏବଂ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମେନ୍ତେ ଅନୁମତି ମିଳିସାରିଛି।

୧୬୦୦ ଶଯ୍ୟା ବିଶିଷ୍ଟ ଏବଂ ୪୦ଟି ବିଭାଗ ଥିବା ସମ୍‌ ହସ୍ପିଟାଲ ହେଉଛି ଓଡ଼ିଶାର ଏକମାତ୍ର ଡାକ୍ତରୀ ଅନୁଷ୍ଠାନ। ଆଇସିଏମ୍‌ଆର ପକ୍ଷରୁ ଏହି ଭ୍ୟାକସିନ୍ ପରୀକ୍ଷଣ ନେଇ ମନୋନିତ ହୋଇଥିବା ଦେଶର ୧୩ଟି ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ତେବେ ହସ୍ପିଟାଲର ଇନଷ୍ଟିଚ୍ୟୁସନାଲ ଏଥିକାଲ କମିଟିର ଅନୁମୋଦନ ଲାଭ କରିବା ପରେ ଏହି ପରୀକ୍ଷଣ କରାଯିବ।

ସେହିପରି ପ୍ଲାଜମା ଥେରାପି ମାଧ୍ୟମରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତରୁ ଆଣ୍ଟିବଡି ସଂଗ୍ରହ କରାଯାଇ କୋଭିଡ-19 ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରାଯିବ ହସପିଟାଲର ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଚନ୍ଦନ ଦାସ ଏହି ପ୍ଲାଜମା ଥେରାପିର ଦାୟିତ୍ୱ ତୁଲାଇବେ।

‘‘ଆମ ପାଖରେ ଆବଶ୍ୟକୀୟ ଯନ୍ତ୍ର ଏବଂ ପ୍ରଶିକ୍ଷିତ ମାନବ ସମ୍ବଳ ରହିଛି। ଏହା ତୁରନ୍ତ ପ୍ଲାଜମା ଥେରାପି ଆରମ୍ଭ କରିବା ପାଇଁ ସାହାଯ୍ୟ କରିବ। ସମ୍ ହସପିଟାଲରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଟ୍ରାନ୍ସଫ୍ୟୁଜନ ମେଡିସିନର ପୋଷ୍ଟ ଗ୍ରାଜୁଏଟ ବିଭାଗ ମଧ୍ୟ ରହିଛି’’, କହିଛନ୍ତି ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଗିରିଜା ନନ୍ଦିନୀ କାନୁନଗୋ।

Comment