ଓଡ଼ିଶାଲାଇଭ ବ୍ୟୁରୋ

କରୋନା ନିୟନ୍ତ୍ରଣ ପାଇଁ ସରକାରଙ୍କ ହାତରେ ନୂଆ ଅସ୍ତ୍ର ‘ସଟ୍‌ଡାଉନ୍‌’।

ଓଡ଼ିଶାରେ ମାଡ଼ି ଚାଲିଛି କରୋନା। ଦିନ ଯେତିକି ଗଡୁଛି, ତାକୁନେଇ ଭୟ ମଧ୍ୟ ସେତିକି ବଢୁଛି। ଏହି ସଙ୍କଟ ଭିତରେ ସରକାର ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ କରି କରୋନା ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଉଛନ୍ତି। ଲକ୍‌ଡାଉନ୍‌ ହଟିଯିବା ପରେ ଏବେ ସବୁଠି ସଂକ୍ରମଣ ରୋକିବା ପାଇଁ ‘ସଟ୍‌ଡାଉନ୍‌’ ଘୋଷଣା ଚାଲିଛି।

ଜୁନ୍‌ ୩୦ରେ ଜୁଲାଇ ମାସରେ ୧୦ ଜିଲ୍ଲାରେ ରାଜ୍ୟ ସରକାର ସପ୍ତାହନ୍ତ ସଟ୍‌ଡାଉନ୍‌ ଘୋଷଣା କରିବା ପରେ ଏହି ରାସ୍ତାରେ ବଲାଙ୍ଗୀର, ବରଗଡ଼, ଢେଙ୍କାନାଳ ପାଦ ଦେଇଛନ୍ତି। ସଂପୃକ୍ତି ଜିଲ୍ଲାର ଜିଲ୍ଲାପାଳମାନେ ବି ସଂକ୍ରମଣ ରୋକିବାକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୪ରୁ ସାରା ଦେଶ ଲକ୍‌ଡାଉନ୍‌ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯାଇଥିଲା। ହେଲେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର ‘ଲକ୍‌ଡାଉନ୍‌’ ଭିତରେ ‘ସଟ୍‌ଡାଉନ୍‌’ ଘୋଷଣା କରିଥିଲେ।

ଭୁବନେଶ୍ୱର, କଟକ ଏବଂ ଭଦ୍ରକରେ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେବାରୁ ରାଜ୍ୟ ସରକାର ଏପ୍ରିଲ ୩ ଓ ୪ ଦୁଇ ଦିନ ଧରି ଏହି ତିନି ସହରକୁ ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ଲକ୍‌ଡାଉନ୍‌ରେ ଜରୁରିସେବାକୁ ଅନୁମତି ଥିବା ବେଳେ ସଟ୍‌ଡାଉନ୍‌ରେ ସବୁ ସେବା ବନ୍ଦ କରିଥିଲେ। ଯେଉଁମାନଙ୍କୁ ଆତଯାତ ପାଇଁ ଅନୁମତି ମିଳିଥିଲା ସେମାନଙ୍କୁ ପୋଲିସ ସ୍ପେଶାଲ ସଟ୍‌ଡାଉନ୍‌ ପାସ୍‌ ଦେଇଥିଲା। ଏହି ୪୮ ଘଣ୍ଟା ଭିତରେ ସରକାର କଣ୍ଟାକ୍ଟ ଟ୍ରେସିଂ ବ୍ୟାପକ କରିଥିଲେ।

କଟକ, ଭୁବନେଶ୍ୱର ପରେ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ଏହି ତିନି ଜିଲ୍ଲାକୁ ପଶ୍ଚିମବଙ୍ଗ ଫେରନ୍ତା ଆସିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ି ଚାଲିଥିଲା। ଏହାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଥିଲା। ଶେଷରେ ଏହି ତିନି ଜିଲ୍ଲାକୁ ଏପ୍ରିଲ ୨୩ରୁ ୨୬ ତାରିଖ ସକାଳ ୬ଟା ଯାଏ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ କରିଥିଲେ ରାଜ୍ୟ ସରକାର। ଏହି ସଟ୍‌ଡାଉନ୍‌ ଭିତରେ କେହି ଘରୁ ନବାହାରିବାକୁ ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା।

କରୋନା ଆକ୍ରାନ୍ତ ବଢ଼ି ଚାଲିବାରୁ ରାଜ୍ୟ ସରକାର ତାଙ୍କ ରଣନୀତି ବଦଳାଇଥିଲେ। ବ୍ୟାପକ ସଂଖ୍ୟାରେ ପ୍ରବାସୀ ଆସିବାରୁ ପ୍ରତି ପଞ୍ଚାୟତରେ ସରକାର କୋଭିଡ୍‌ ସେଣ୍ଟର ଖୋଲିବା ସହ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। ପ୍ରବାସୀମାନେ ଫେରିବା ପରେ ବିଭିନ୍ନ ଗାଁ ବିପଦରେ ପଡ଼ିଥିଲା। ଯେଉଁ ପଞ୍ଚାୟତରେ ଆକ୍ରାନ୍ତ ଚିହ୍ନଟ ହେଲେ ସେହି ଅଞ୍ଚଳକୁ ସରପଞ୍ଚମାନେ ନିଜ କ୍ଷମତାର ବ୍ୟବହାର କରି ସଟ୍‌ଡାଉନ୍‌ ଘୋଷଣା କଲେ। ବିଭିନ୍ନ ପୌରାଞ୍ଚଳରେ ବି ଏହି ନିୟମ ଲାଗୁ ହୋଇଥିଲା।

ଜୁନ୍‌ ମାସରେ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ହଟାଇ ଦେଇଥିଲେ। ନିଜ ନିଜ ରାଜ୍ୟର ସ୍ଥିତି ଦେଖି ସଂପୃକ୍ତ ସରକାରମାନେ ପଦକ୍ଷେପ ନେବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏହି ଆଧାରରେ ରାଜ୍ୟ ସରକାର ଜୁନ୍‌ ପହିଲାରୁ ଶେଷ ଯାଏ ନୂଆ ନିୟମ ଜାରି କରିଥିଲେ। ଜୁନ୍‌ ମାସର ପ୍ରତି ଶନି ଓ ରବିବାର ୧୧ଟି ଜିଲ୍ଲାରେ ସଟ୍‌ଡାଉନ୍‌ ଲାଗୁ କରିଥିଲେ।

ଜୁନ୍‌ ପରେ ଜୁଲାଇ ମାସ ଆସିଛି। ଏହି ମାସ ପାଇଁ ମଧ୍ୟ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ ଆଣିଛନ୍ତି। ୧୦ଟି ଜିଲ୍ଲାରେ ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପଟେ ବଲାଙ୍ଗିର ଏବଂ ବରଗଡ଼ ଜିଲ୍ଲାପାଳ ବି ନିଜ ଜିଲ୍ଲାକୁ ସୁରକ୍ଷିତ ରଖିବା ପାଇଁ ଶନିବାର, ରବିବାର ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସଟ୍‌ଡାଉନ୍‌ ବେଳେ କ’ଣ ଖୋଲା ଏବଂ ବନ୍ଦ ରହିବ ସେନେଇ ସରକାର ସ୍ପଷ୍ଟ ସୂଚନା ଦେଇଛନ୍ତି।

ଏପଟେ ବ୍ରହ୍ମପୁର ସହରକୁ ଚାରି ଦିନିଆ ସଟ୍‌ଡାଉନ୍‌ କରାଯାଇଥିବା ବେଳେ ଛତ୍ରପୁର, ହିଞ୍ଜିଳିକୁ ବି ସଟ୍‌ଡାଉନ୍‌ ଘୋଷଣା କରିଥିଲେ ଜିଲ୍ଲାପାଳ। ସେହିପରି ପାରଳାଖେମୁଣ୍ଡିକୁ ବି ଜିଲ୍ଲାପାଳ ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ବି ସଟ୍‌ଡାଉନ୍‌ ରହିଛି। ସଂପୃକ୍ତ ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଏବଂ ଲୋକେ ସାମାଜିକ ଦୂରତା ନିୟମ ମାନୁ ନଥିବାରୁ ସଂପୃକ୍ତ ଜିଲ୍ଲାପାଳମାନେ ଏଭଳି ପଦକ୍ଷେପ ନେଉଛନ୍ତି।

ନିକଟରେ ପୁରୀରେ ଅନୁଷ୍ଠିତ ହୋଇଥିବା ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରାକୁ ଭକ୍ତଶୂନ୍ୟ କରିବା ଲାଗି ସରକାର ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ପୁରୀ ସହରରେ ପୋଲିସ ଛାଉଣି କରାଯାଇଥିଲା। ଖାଲି ସେତିକି ନୁହେଁ, କରୋନା ନିୟନ୍ତ୍ରଣ ପାଇଁ ଏବେ ସବୁ ପଞ୍ଚାୟତ ଏବଂ ପୌରାଞ୍ଚଳର ବିଭିନ୍ନ ୱାର୍ଡକୁ ବି ସଟ୍‌ଡାଉନ୍‌ ଘୋଷଣା କରାଯାଉଛି।

କରୋନା ମହାମାରୀକୁ ନେଇ ସବୁଠି ଆତଙ୍କ ଦେଖାଦେଇଥିବା ବେଳେ ଲୋକେ ଏହି ସମୟରେ କିଛି ନୂଆ କଥା ମଧ୍ୟ ଶିଖିବାକୁ ପାଇଛନ୍ତି। ‘ଲକ୍‌ଡାଉନ୍‌’ ଏବଂ ‘ସଟ୍‌ଡାଉନ୍‌’ ଭଳି ଶବ୍ଦ ଶୁଣିବାକୁ ମିଳିଛି।

Comment