ଓଡିଶାଲାଇଭ୍ ବ୍ୟୁରୋ

ଏଣିକି ରାଜ୍ୟରେ ୧୬ଟି ଜିଲ୍ଲା ପ୍ରତି ଶନି ଓ ରବିବାର ହେବ ସଟଡାଉନ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ଟି ଜିଲ୍ଲାରେ ପ୍ରତି ଶନି ଓ ରବିବାର ସଟଡାଉନ ଘୋଷଣା କରିଥିଲେ। ଏବେ ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ଆଉ ୬ଟି ଜିଲ୍ଲାରେ ଏହି କଟକଣା ଲାଗୁ କରାଯାଇଛି।

ଗତ ଜୁନ ୩୦ରେ ରାଜ୍ୟ ସରକାର ଅନଲକ୍-୨ର ଗାଇଡଲାଇନ ଜାରି କରିଥିଲେ। ଏହି ଗାଇଡଲାଇନରେ ଜୋନ-୧ରେ ଥିବା ୧୦ଟି ଜିଲ୍ଲାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରତି ଶନି ଓ ରବିବାର ସଟଡାଉନ କରିବା ନେଇ ଘୋଷଣା କରାଯାଇଥିଲା। ଯେଉଁଥିରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲା ସାମିଲ ଥିଲା।

କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଉ ୬ଟି ଜିଲ୍ଲାର ଜିଲ୍ଲାପାଳମାନେ ସପ୍ତାହକୁ ଦୁଇ ଦିନ ସଟଡାଉନ ଘୋଷଣା କରିଛନ୍ତି। ଏଣିକି ପୂର୍ବ ଘୋଷିତ ୧୦ଟି ଜିଲ୍ଲା ସମେତ ନବରଙ୍ଗପୁର, କେନ୍ଦ୍ରାପଡ଼ା, ନୟାଗଡ଼, ବଲାଙ୍ଗିର, ରାୟଗଡ଼ା ଏବଂ ବରଗଡ଼ରେ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରତି ଶନି ଓ ରବିବାର ସଟଡାଉନ କଟକଣା ବଳବତ୍ତର ରହିବ।

ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ସପ୍ତାହର ଅନ୍ୟ ୫ ଦିନ ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏଁ ଖୋଲା ରହିବ। କିନ୍ତୁ ଦୁଇଦିନିଆ ସଟଡାଉନରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ କାରବାର ଏବଂ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ।

Comment