ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଅନେକ ପ୍ରାଚୀନ ଦୁର୍ଗ ଅଛି, ଯାହା ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ରହସ୍ୟରେ ପରିପୂର୍ଣ୍ଣ। ଏହିପରି ଏକ ଦୁର୍ଗ ରାଜସ୍ଥାନର ‘ଅଲୱାର୍’ ପାହାଡ ଉପରେ ରହିଛି। ଏହି ଦୁର୍ଗର କାନ୍ଥ ସମଗ୍ର ପାହାଡ ଉପରେ ବିସ୍ତାରିତ ହୋଇଛି। ଏହି ଦୁର୍ଗ ଏତେ ସୁନ୍ଦର ଦେଖାଯାଏ ଯେ ବହୁ ସଂଖ୍ୟାରେ ଲୋକ ଏହାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଆସନ୍ତି।

ଗୋଟେ ସମୟ ଥିଲା ଯେତେବେଳେ ଦୁର୍ଗରେ ପ୍ରବେଶ କରିବା ପାଇଁ ଅଞ୍ଚଳର ଏସପିଙ୍କଠାରୁ ଅନୁମତି ନେବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ତାହା ନୁହେଁ। ଏବେ ପର୍ଯ୍ୟଟକଙ୍କୁ କେବଳ ରଖାଯାଇଥିବା ରେଜିଷ୍ଟରରେ ସେମାନଙ୍କ ନାମ ଲେଖିବାକୁ ପଡ଼ୁଛି।

ଏହି ଦୁର୍ଗଟି ‘ବାଲା ଦୁର୍ଗ’ ଭାବରେ ଜଣାଶୁଣା, ଯାହା ରାଜସ୍ଥାନର ଅଲୱାରରେ ରହିଛି। କେହି କେହି ଏହାକୁ ଏହାକୁ ‘ଅଲୱାର୍ ଦୁର୍ଗ’ ମଧ୍ୟ କହନ୍ତି। ବିଶ୍ୱାସ କରାଯାଏ ଯେ ଏହି ଦୁର୍ଗର ନିର୍ମାଣ କାର୍ଯ୍ୟ ୧୪୯୨ ଖ୍ରୀଷ୍ଟାବ୍ଦରେ ହାସନ ଖାନ ମେୱାଟି ଦ୍ୱାରା ଆରମ୍ଭ ହୋଇଥିଲା। ଏହାର ବିଶାଳ ଗଠନମୂଳକ ଡିଜାଇନ୍ ପାଇଁ ଏହା ସମଗ୍ର ଦେଶରେ ପ୍ରସିଦ୍ଧ।

ଏହି ଦୁର୍ଗ ମୋଗଲମାନଙ୍କଠାରୁ ମରାଠା ଏବଂ ଜାଟମାନଙ୍କ ଦ୍ୱାରା ଶାସିତ ହୋଇଛି।  ଦୁର୍ଗର କାନ୍ଥରେ ୪୪୬ଟି ଛିଦ୍ର ଅଛି, ଯାହା ଶତ୍ରୁମାନଙ୍କ ଉପରେ ଗୁଳି ଚଳାଇବା ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମିତ ହୋଇଥିଲା

ଏହାର ସବୁଠାରୁ ଖାସ କଥା ହେଉଛି ଇତିହାସରେ ଏହି ଦୁର୍ଗ ଉପରେ କୌଣସି ଯୁଦ୍ଧ ହୋଇ ନାହିଁ। ଏହି କାରଣରୁ ଏହାକୁ ‘କୁନୱାରା ଦୁର୍ଗ’ ମଧ୍ୟ କୁହାଯାଏ । ଏହି ଦୁର୍ଗର ଲମ୍ବ ୫ କିଲୋମିଟର ଏବଂ ପ୍ରସ୍ଥ ପ୍ରାୟ ୧.୫ କିଲୋମିଟର। ଦୁର୍ଗ ଭିତରେ ପ୍ରବେଶ ପାଇଁ ମୋଟ ୬ ଟି କବାଟ ଯଥା ଜୟ ପୋଲ, ସୁରଜ ପୋଲ, ଲକ୍ଷ୍ମଣ ପୋଲ, ଚାନ୍ଦ ପୋଲ, କୃଷ୍ଣ ପୋଲ ଏବଂ ଅନ୍ଧେରି ପୋଲ ନିର୍ମାଣ କରାଯାଇଛି।

କୁହାଯାଏ ଯେ ମୋଗଲ ଶାସକ ବାବର ଏବଂ ଜାହାଙ୍ଗୀର ମଧ୍ୟ ଏହି ଦୁର୍ଗରେ ରହିଛନ୍ତି। ବାବର ଏଠାରେ କେବଳ ଗୋଟିଏ ରାତି ବିତାଇଲେ। ଜାହାଙ୍ଗୀର ଦୁର୍ଗ ଭିତରେ ଯେଉଁ କୋଠରୀରେ ରହିଥିଲେ ତାକୁ ଏବେ ‘ସଲିମ ମହଲ’ କୁହାଯାଉଛି।

Comment