ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲାକୁ ନେଇ ସୂଚନା ଦେଇଛନ୍ତି  ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀ।

“ଦିନକୁ ଦିନ କରୋନା କାୟା ମେଲାଇବାରେ ଲାଗିଛି। ବିଶ୍ୱ ସହିତ ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଶିଖର ଛୁଇଁଛି। ହେଲେ ଓଡ଼ିଶାରେ ଏହି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏହି ସ୍ଥିତି ଜାରି ରଖିବାକୁ ହେଲେ ଲୋକମାନଙ୍କୁ ନିଜର ଭୟ କମେଇବା ସହିତ ସାବଧାନତାକୁ ବଢ଼ାଇବାକୁ ପଡ଼ିବ”, କରୋନାକୁ ନେଇ ଆଜି ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।ସେ କହିଛନ୍ତି ଯେ, ଭାରତରେ ଏବେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୧ ହଜାର ଲୋକ ପଜିଟିଭ୍ ହୋଇଥିବା ଦେଖିବାକୁ ମିଳିଛି। ବିଶ୍ୱରେ ମଧ୍ୟ ଏହି ସଂଖ୍ୟା ଢ଼େରଗୁଣ ଅଧିକ। ହେଲେ ଏହା ତୁଳନାରେ ଓଡ଼ିଶାରେ ସେଭଳି ପରିସ୍ଥିତି ସୃଷ୍ଟି ହେଇନି। ହେଲେ ବି ଲୋକଙ୍କୁ ପୂର୍ବ ଅପେକ୍ଷା ଅଧିକ ସଚେତନ ରହିବାକୁ ପଡ଼ିବ।

ଅସାବଧାନତା ଓ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିଲେ ଓଡ଼ିଶାକୁ ବିପର୍ଯ୍ୟୟ ମୁହଁରୁ କେହି ବି ବଞ୍ଚାଇ ପାରିବେନି ବୋଲି ସେ କହିଛନ୍ତି। ଏଥିପାଇଁ ସେ ଦୁଇଟି ଉଦାହରଣ ଦେଇଥିଲେ ଯେ କିପରି ଭାବେ କ୍ୱାରେଣ୍ଟାଇନ ନିୟମ ଭାଙ୍ଗି ଜଣେ ବେଙ୍ଗାଳୁରୁ ଫେରନ୍ତା ଯୁବକ ଓ ବ୍ରହ୍ମପୁରର ଜଣେ ଗହଣା ଦୋକାନୀ ବିପଦକୁ ଟାଣି ଆଣିଛନ୍ତି।

ଅନ୍ୟପଟେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଡୋର୍ ଡୁ ଡୋର ସର୍ଭେ ହେବ। ଏଥିରେ କରୋନା ସଂକ୍ରମିତ ତଥା କରୋନା ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରାଯିବ। ଆଶା ଦିଦିମାନେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ସେମାନଙ୍କ ଭିତରୁ ଯଦି କେହି କରୋନା ସନ୍ଦିଗ୍ଧ ହୋଇଥାନ୍ତି ତେବେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ବାଗଚୀ କହିଛନ୍ତି।

ଏଥିପାଇଁ ଜନସାଧାରଣଙ୍କ ସହଯୋଗ ମଧ୍ୟ ନିତ୍ୟାନ୍ତ ଆବଶ୍ୟକ। ଲୋକଙ୍କ ଘରକୁ ଆଶା ଦିଦିମାନେ ଆସିଲେ ସେମାନଙ୍କୁ ସଠିକ୍ ତଥ୍ୟ ଦେବାକୁ ବାଗଚୀ ଅନୁରୋଧ କରିଛନ୍ତି। ଯଦି ଲୋକମାନେ ମିଛ କହିବେ ତେବେ ପରୋକ୍ଷରେ ସେମାନେ ନିଜ ପରିବାରକୁ ହିଁ ବିପଦ ମୁହଁକୁ ଟାଣିଆଣିବେ ବୋଲି ସେ କହିଛନ୍ତି।

Comment