ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ  ‘କେତେ ନୂଆ ବାଟ’
  • ଏଥରର ପ୍ରସଙ୍ଗ – କୋଭିଡ୍‌ ମୁକାବିଲାରେ ଯୁବପିଢ଼ିଙ୍କ ଭୂମିକା
  • ଆଗଧାଡ଼ିର ଯୁବ କରୋନା ଯୋଦ୍ଧାଙ୍କ କାହାଣୀ
  • ଯୁବପିଢ଼ିଙ୍କୁ ୟୁନିସେଫ୍‌ ଓଡ଼ିଶା ମୁଖ୍ୟ, ସ୍ପେଶାଲିଷ୍ଟ, ଶିକ୍ଷାବିତ୍‌ ଏବଂ ମନୋବିଜ୍ଞାନୀଙ୍କ ପରାମର୍ଶ
  • ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ
  • ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ରେ ଏକ ସମୟରେ ପ୍ରସାରଣ

କୋଭିଡ୍‌-୧୯ ମହାମାରୀ ପାଇଁ ଜନଜୀବନ ପ୍ରଭାବିତ ହୋଇଛି। କିଏ ଜୀବିକା ହରାଇଛି ତ ଆଉ କିଏ ନୂଆ ଜୀବନ ଆରମ୍ଭ ପାଇଁ ବାଟ ଖୋଜୁଛି। ବିଶେଷକରି ଯୁବପିଢ଼ିମାନେ କୋଭିଡ୍‌ ସଂଗ୍ରାମରେ କ’ଣ ଭୂମିକା ନିର୍ବାହ କରୁଛନ୍ତି ତାହା ଏଥରର ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ସ୍ଥାନ ପାଇଛି।

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ପ୍ରତି ଅଧ୍ୟାୟରେ ନୂଆ ନୂଆ ବିଷୟ ଏବଂ କୋଭିଡ୍‌ ଯୋଦ୍ଧାମାନଙ୍କ କାହାଣୀ ସ୍ଥାନ ପାଇଥାଏ। ଜୁଲାଇ ୫, ରବିବାର ସକାଳ ସାଢ଼େ ୧୦ଟାରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା ‘କେତେ ନୂଆ ବାଟ’ର ଷଷ୍ଠ ଅଧ୍ୟାୟରେ ଯୁବପିଢ଼ିଙ୍କ ଭୂମିକା ଉପରେ ଉପସ୍ଥାପନ କରାଯାଇଛି।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ ହେବ।

‘କେତେ ନୂଆ ବାଟ’ ଷଷ୍ଠ ଅଧ୍ୟାୟରେ ଯେଉଁମାନେ ଭାଗନେଇ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି ସେମାନଙ୍କ ଭିତରେ ଅଛନ୍ତି ୟୁନିସେଫ୍‌, ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍‌, ୟୁନିସେଫ୍‌ର ସୋସିଆଲ ପଲିସି ସ୍ପେଶାଲିଷ୍ଟ ସୌମେନ ରାୟ, ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ, ଦ ଲର୍ଣ୍ଣିଂ କ୍ଲିନିକର ମନୋବିଜ୍ଞାନୀ ସମ୍ବିତ ନନ୍ଦ। ଏହାସହ ଆଗଧାଡ଼ିର ଯୁବ କରୋନା ଯୋଦ୍ଧା ଅଶୋକ କୁମାର କୌଶଲ୍ୟା ଏବଂ ଇତିଶ୍ରୀ ସାମନ୍ତଙ୍କ କାହାଣୀ ମଧ୍ୟ ଏଥର ରହିଛି।

କରୋନା ଲଢ଼େଇ ବେଳେ ରାଜ୍ୟ ସରକାରଙ୍କୁ ବୈଷୟିକ ସହାୟତା ଯୋଗାଇ ଆସୁଛି ୟୁନିସେଫ୍‌। ଏହି ଲଢ଼େଇରେ ଯୁବପିଢ଼ିଙ୍କର ଭୂମିକା କ’ଣ ରହିଛି ସେ ସମ୍ପର୍କରେ ୟୁନିସେଫ୍‌, ଓଡ଼ିଶାର ମୁଖ୍ୟ ମୋନିକା ନେଲସନ୍‌ ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

‘‘ଯୁବପିଢ଼ି ହେଉଛନ୍ତି ଆମ ଦେଶର ଭବିଷ୍ୟତ। ତାଙ୍କ ଭିତରୁ କିଏ ଡାକ୍ତର, ଇଞ୍ଜିନିୟର ହେବ ତ ଆଉ କିଏ ନେତା ଏବଂ ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ପାଲଟିବେ। ହେଲେ ଏବେ କୋଭିଡ୍‌ ବିରୋଧରେ ରାଜ୍ୟ ସରକାର ଯେଉଁ ଲଢ଼େଇ ଜାରି ରଖିଛନ୍ତି ସେଥିରେ ଯୁବପିଢ଼ିମାନେ ଆଗରେ ରହିଥିବା ଦେଖିବାକୁ ମିଳିଛି। କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ଯୁବପିଢ଼ିମାନେ କରୋନା ସଂଗ୍ରାମୀ ସାଜିଛନ୍ତି। ସ୍ୱେଚ୍ଛାସେବୀ ଭାବେ କାମ କରିବାକୁ ଆଗେଇ ଆସିଛନ୍ତି। କୋଭିଡ୍‌-୧୯ ମହାମାରୀ ବେଳେ ଯୁବପିଢ଼ିମାନେ ନିଜ ଘରେ, ଗାଁ, ସହରରେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ’’, କହିଛନ୍ତି ମୋନିକା ନେଲସନ୍‌।

କୋଭିଡ୍‌-୧୯ ମହାମାରୀକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହି କୋଭିଡ୍‌ ପରିଚାଳନାକୁ ସାକାର କରିବା ପାଇଁ ଯୁବ ସ୍ୱେଚ୍ଛାସେବୀମାନେ ଆଗେଇ ଆସିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ଏନ୍‌ସିସି, ଏନଏସ୍‌ଏସ୍‌, ଭାରତୀୟ ସ୍କାଉଟ୍‌ ଏବଂ ଗାଇଡ୍‌ସ, ବିଜୁ ଯୁବ ବାହିନୀର ସଦସ୍ୟଙ୍କ ବିଭିନ୍ନ ସଂସ୍ଥାର ଯୁବ କର୍ମଚାରୀମାନେ। ଏହି ଯୁବପିଢ଼ିମାନେ କେମିତି କୋଭିଡ୍‌ ପରିଚାଳନା କରିବେ, କ’ଣ କରିବେ ଏବଂ ସେମାନଙ୍କ ପାଇଁ କେମିତି ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଇଥିଲା ସେ ସମ୍ପର୍କରେ କହିଛନ୍ତି ୟୁନିସେଫ୍‌ର ସୋସିଆଲ ପଲିସି ସ୍ପେଶାଲିଷ୍ଟ ସୌମେନ ରାୟ।

କରୋନା ମହାମାରୀ ଆସିବା ପରେ ସାରା ଦେଶ ଲକ୍‌ଡାଉନ୍‌ ହୋଇଗଲା। ସ୍କୁଲ, କଲେଜ, କୋଚିଂ ସେଣ୍ଟର ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଗଲା। ପରୀକ୍ଷା ବାତିଲ ହୋଇଯିବାରୁ ଏବେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଚିନ୍ତା ବଢ଼ିଛି। ସେମାନଙ୍କ ଭବିଷ୍ୟତ କ’ଣ ହେବ ତାକୁନେଇ ପ୍ରଶ୍ନବାଚୀ ଉଠିଛି। ତେବେ ଏହି ସଙ୍କଟମୟ ପରିସ୍ଥିତି ବେଳେ ଛାତ୍ରଛାତ୍ରୀମାନେ ଧୈର୍ଯ୍ୟହରା ନହୋଇ କେମିତି ମୁକାବିଲା କରିବେ ସେ ସମ୍ପର୍କରେ ଏଥରର ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ଭାଗନେଇ ପରାମର୍ଶ ଦେଇଛନ୍ତି ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ।

କୋଭିଡ୍‌-୧୯ ମହାମାରୀ ସମସ୍ତଙ୍କ ସ୍ୱପ୍ନ ଉଜାଡ଼ି ଦେଇଛି। ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ବାତିଲ ହୋଇଥିବାରୁ ଏବଂ ସ୍କୁଲ କଲେଜ ବନ୍ଦ ରହିଥିବାରୁ ସେମାନେ ଘରେ ରହିଛନ୍ତି। ଏହାସହ ବିଭିନ୍ନ ଇଣ୍ଟରଭ୍ୟୁ ପ୍ରକ୍ରିୟା ବି ସ୍ଥଗିତ ରହିଛି। ଯେଉଁ ଯୁବପିଢ଼ିମାନେ ଚାକରି ପାର୍ଇ ଆବେଦନ କରୁଥିଲେ ସେମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ସବୁ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ଯୁବପିଢ଼ିଙ୍କ ମାନସିକ ସ୍ଥିତି ଉପରେ ଗଭୀର ପ୍ରଡ଼ିବାର ସମ୍ଭାବନା ରହିଛି। ଏଣୁ ଏଥିରେ ବିଚଳିତ ନହୋଇ କିପରି ସକରାତ୍ମକ ଦିଗ ପ୍ରତି ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିମାନେ ଢଳିବେ ସେ ବିଷୟରେ ପରାମର୍ଶ ଦେଇଛନ୍ତି ଦ ଲର୍ଣ୍ଣିଂ କ୍ଲିନିକର ମନୋବିଜ୍ଞାନୀ ସମ୍ବିତ ନନ୍ଦ।

କରୋନା ସଙ୍କଟ ବେଳେ ଓଡ଼ିଶାର ଯୁବ ସ୍ୱେଚ୍ଛାସେବୀଙ୍କ କଥା ପଡ଼ିଲେ ଅଶୋକ କୁମାର କୌଶଲ୍ୟାଙ୍କ ନାଁ ଆଗକୁ ଆସିବ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକର ଅଶୋକ ତାଙ୍କ ଜଣେ ସହଯୋଗୀଙ୍କୁ ନେଇ ଗାଁ ଗାଁରେ ଅଭିନବ ଉପାୟରେ ଲୋକଙ୍କୁ କେମିତି ସଚେତନ କରିଛନ୍ତି ତାହା ଏଥରର ରେଡିଓ ଧାରାବାହିକରେ ସ୍ଥାନ ପାଇଛି। ମାତୃ ଓ ଶିଶୁ ମଙ୍ଗଳ ପାଇଁ କାମ କରି ଅଶୋକ ଯୁବ କୋଭିଡ୍‌ ଯୋଦ୍ଧାର ପରିଚୟ ପାଇଛନ୍ତି।

କୋଭିଡ୍‌ ମହାମାରୀ ପାଇଁ ଅଧିକାଂଶ ଲୋକ ଘରୁ ବାହାରୁ ନଥିବା ବେଳେ ମୋ’ ସରକାର ଅଧୀନରେ ଥିବା କଲ୍‌ ସେଣ୍ଟରରେ କାମ କରି ସାହସିକତା ପ୍ରଦର୍ଶନ କରିଛନ୍ତି ଇତିଶ୍ରୀ ମହାନ୍ତି। କଲ୍‌ ସେଣ୍ଟରର ଅନୁଭୂତି ସମ୍ପର୍କରେ ଇତିଶ୍ରୀ ଏଥରର ରେଡିଓ ଧାରାବାହିକରେ ବର୍ଣ୍ଣନା କରିଛନ୍ତି।

ଏହାସହ ଏହି ଧାରାବହିକରେ କରୋନା ଯୁଦ୍ଧର ସଂଗ୍ରାମୀ ପାଲଟିଥିବା ଯୁବପିଢ଼ିଙ୍କ ପାଇଁ ମୋ’ କଲେଜ ଅଧ୍ୟକ୍ଷ ତଥା ଓଲିଉଡ୍‌ ଅଭିନେତା ଆକାଶ ଦାସ ନାୟକଙ୍କ ବାର୍ତ୍ତା ରହିଛି।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଛି। ତା’ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ସୁଜାତା ପଟ୍ଟନାୟକ।

‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହେବ।

Comment