ଓଡିଶାଲାଇଭ୍ ବ୍ୟୁରୋ

ଭାରତ-ଚୀନ ସୀମାରେ ଲାଗି ରହିଥିବା ଉତ୍ତେଜନାକୁ କମ କରିବା ପାଇଁ ଉଭୟ ଦେଶ ପକ୍ଷରୁ ଚେଷ୍ଟା ଜାରି ରହିଛି। ସୋମବାର ଏଲଏସିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଚୀନ ସେନା ଗଲଓ୍ଵାନ ଘାଟିରୁ ୨ କିଲୋମିଟର ପଛକୁ ହଟିଛି। ଭାରତର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ରବିବାର ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟିଙ୍କ ସହିତ ଆଲୋଚନା କରିବା ପରେ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି।

ଭାରତ-ଚୀନ ମଧ୍ୟରେ ଦୀର୍ଘ ଦିନରୁ ସୀମା ବିବାଦ ଲାଗିରହିଛି। ଏହାର ସମାଧାନ ପାଇଁ ଦୁଇ ଦେଶ ପକ୍ଷରୁ ପ୍ରତିନିଧିମାନଙ୍କୁ ନିଯୁକ୍ତ କରାଯାଇଛି। ଭାରତ ପକ୍ଷରୁ ଅଜିତ ଡୋଭାଲ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି।

ଅଜିତ ଡୋଭାଲ ପ୍ରତିପକ୍ଷଙ୍କ ସହ ସୀମାରେ ଶାନ୍ତି ପ୍ରତିଷ୍ଠା କରିବା ଏବଂ ଆଗକୁ ମିଳିମିଶି କାମ କରିବା ନେଇ ଆଲୋଚନା କରିଥିଲେ। ଏହା ପରେ ଉଭୟ ଦେଶ ଭବିଷ୍ୟତରେ ଗଲଓ୍ଵାନ ସଂଘର୍ଷ ପରି ଘଟଣା ଯେପରି ନ ଘଟେ ସେନେଇ ସହମତି ପ୍ରକାଶ କରିଛନ୍ତି। ଏହାଛଡ଼ା ସୀମାରେ ଫେଜ୍ ଅନୁସାରେ ସେନାକୁ ପଛକୁ ହଟେଇବା ପାଇଁ ମଧ୍ୟ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। କିନ୍ତୁ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ଉପରେ କଥାବାର୍ତ୍ତା ଜାରି ରହିବ।

ଏହି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ସୀମାରେ ଲାଗି ରହିଥିବା ଉତ୍ତେଜନାକୁ କମ୍ କରିବା ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି। ତେଣୁ ଆଜି ଚୀନ ସେନା ଗଲଓ୍ଵାନ ଘାଟିରୁ ୨ କିଲୋମିଟର ପଛକୁ ହଟି ଯାଇଛି। ତେବେ କୌଣସି ପ୍ରକାର ହିଂସାକୁ ପ୍ରତିହତ କରିବା ପାଇଁ ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ଏକ ବଫର୍ ଜୋନ୍ ତିଆରି ହୋଇଛି। ଏହାଦ୍ଵାରା ଦୁଇ ସେନା ମଧ୍ୟରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରିବ।

ଗତ ଶୁକ୍ରବାର ମୋଦୀ ଅଚାନକ ଲଦାଖର ଲେହ ଗସ୍ତ କରିଥିଲେ। ସେଠାରୁ ନିମୂ ପୋଷ୍ଟ ଯାଇ ମୋଦୀ ଚୀନକୁ ସନ୍ଦେଶ ଦେଇଥିଲେ। ଚୀନର ବିସ୍ତାରବାଦ ସମୟ ଏବେ ନାହିଁ, ଏବେ ବିକାଶବାଦର ସମୟ ବୋଲି ମୋଦୀ କହିଥିଲେ।

ମୋଦୀଙ୍କର ଏହି ସନ୍ଦେଶ ପରେ କୂଟନୈତିକ ସ୍ତରରେ ଦୁଇ ଦେଶ ମଧ୍ୟରେ ସମାଧାନ ପାଇଁ ଆଲୋଚନା କରାଯାଇପାରେ ବୋଲି ଅନୁମାନ କରାଯାଉଥିଲା। ସୋମବାର ଚୀନ ସେନା ପଛକୁ ହଟିବା ନେଇ ଚୀନ ବୈଦେଶିକ ମନ୍ତ୍ରାଳୟ ମଧ୍ୟ ବୟାନ ଜାରି କରିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସୈନିକମାନଙ୍କୁ ପଛକୁ ହଟାଇ ନିଆଯାଇଛି ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଗତ ଜୁନ ୧୫ ତାରିଖରେ ଗଲଓ୍ଵାନ ଘାଟିରେ ଭାରତ-ଚୀନ ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ସହ ଚୀନର ୪୩ ସୈନ୍ୟ ନିହତ ହୋଇଥିଲେ। ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଇତି ମଧ୍ୟରେ ଭାରତ ସରକାର ୫୯ଟି ଚାଇନିଜ ଆପକୁ ବ୍ୟାନ୍ କରିସାରିଛନ୍ତି।

 

 

 

Comment