ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୨୯ ନୂଆ ପଜିଟିଭ୍ 
  • ୧୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ, ଆଉ ୧୪ ଲୋକାଲ୍ କେସ୍
  • ରାଜଧାନୀର ମୋଟ ପଜିଟିଭ୍ ସଂଖ୍ୟା ୪୭୯କୁ ବୃଦ୍ଧି 

ଭୁବନେଶ୍ୱରରେ ଆଜି ପୁଣି ବଢ଼ିଲା ପଜିଟିଭ୍ ସଂଖ୍ୟା। ମଙ୍ଗଳବାର ରାଜଧାନୀରୁ ଆଉ ୨୯ ଜଣ ପଜିଟିଭ୍ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୭୯କୁ ବୃଦ୍ଧି ପାଇଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଆଉ ୧୪ ଜଣ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି। ସେହିପରି ଆଉ ଜଣେ କୋଭିଡ୍ ଯୋଦ୍ଧା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଭୁବନେଶ୍ୱରର ସୁବାସ ନଗର, ଖଣ୍ଡଗିରି, ଭରତପୁର, ୟୁନିଟ ୪, ବଡ଼ଗଡ଼ ବ୍ରିଟ୍ କଲୋନୀ, ବମିଖାଲ, ବରମୁଣ୍ଡା ଆଦି ଅଞ୍ଚଳରୁ ଲୋକାଲ୍ କେସ୍ ସାମନାକୁ ଆସିଛି। ଯାହାକି ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି।

ସେହିପରି ଏକ କୋଭିଡ଼ ହସ୍ପିଟାଲରେ କାମ କରୁଥିବା ଜଣେ ୩୪ ବର୍ଷୀୟ ମହିଳା କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀର  ମୋଟ ପଜିଟିଭ୍ ସଂଖ୍ୟା ୪୭୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୧୯୫ ଜଣ ସକ୍ରିୟ ଅଛନ୍ତି।

Comment