ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି କୌଣସି ବର୍ଗର ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି। ଯଦି କୌଣସି ପ୍ରକାରରେ ସେମାନେ ନିଜର ଚାକିରିର ବିଭିନ୍ନ ସମସ୍ୟାକୁ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲନ୍ତି ତେବେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ମଙ୍ଗଳବାର ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଚିଠି ଲେଖି ସବୁ ବିଭାଗର ମୁଖ୍ୟଙ୍କୁ ଅବଗତ କରାଇ ଦେଇଛନ୍ତି।

ଚିଠିରେ ସେ ଲେଖିଛନ୍ତି, “ବହୁ ଠିକା ଓ ସରକାରୀ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଗଣମାଧ୍ୟମ ଆଗରେ ଉତ୍ତର ରଖୁଛନ୍ତି। ଏପରି କରି ସେମାନେ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ଯାହାକି ସରକାରୀ ଚାକିରି ସର୍ତ୍ତାବଳୀ ନିୟମ ୧୯୫୯ର ବିରୋଧ କରୁଛି। ଏପରି କଲେ ତାଙ୍କ ବିରୋଧରେ ବିଶୃଙ୍ଖଳା ଆଚରଣ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଏଥିସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କେତେକ ସରକାରୀ କର୍ମଚାରୀମାନେ ସେମାନଙ୍କର ଦରମା ବୃଦ୍ଧି କରିବା, କ୍ୟାଡର ପୁନର୍ଗଠନ, ଚାକିରି ନିୟମିତ କରିଦେବା ଭଳି ବିଷୟକୁ ନେଇ ବିଭିନ୍ନ ପ୍ରକାରରେ ସରକାରୀ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। ଯାହାକି ସରକାରଙ୍କ ଚାକିରି ନିୟମ ୨୩ର ବିରୁଦ୍ଧାଚରଣ ଅଟେ। ଏହା ସମ୍ପୂର୍ଣ୍ଣ ଭାବେ ନିୟମ ବିରୋଧୀ, ତେଣୁ ଏପରି କଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଯଦି କୌଣସି କର୍ମଚାରୀଙ୍କର କୌଣସି କାମକୁ ନେଇ ଅଭିଯୋଗ ଅଛି ତେବେ ସେମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଅନୁସାରେ ଅଭିଯୋଗ କରିପାରିବେ ବୋଲି ଗୃହ ବିଭାଗର ସଚିବ ଚିଠିରେ ଲେଖିଛନ୍ତି।

Comment