ଓଡିଶାଲାଇଭ୍ ବ୍ୟୁରୋ

ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ୨୦୨୦ ଜୁଲାଇ ୭ ତାରିଖରେ ଗଜପତିଙ୍କ  ସିଂହାସନ ଆରୋହଣକୁ ୫୦ ବର୍ଷ ପୂରିଛି। ଦୀର୍ଘ ଦୁଇଶହ ବର୍ଷ ପରେ କୌଣସି ଗଜପତି ଭାବେ ଦିବ୍ୟସିଂହ ଦେବ ୫୦ ବର୍ଷ ଧରି ଶ୍ରୀ ଜଗନ୍ନାଥଙ୍କ ସେବା କରିବାର ଏହି ବିରଳ ଗୌରବ ଅର୍ଜନ କରିଛନ୍ତି।

ଭାଦ୍ର ଶୁକ୍ଳ ଦ୍ଵାଦଶୀ, ସୁନିଆ ପର୍ବର ଅଙ୍କ ଗଣନା ଅନୁସାରେ ଏବେ ଗଜପତିଙ୍କ ରାଜତ୍ଵର ୬୨ ଅଙ୍କ ଚାଲିଛି। କିନ୍ତୁ ତାରିଖ ହିସାବରେ ଗଣନା କଲେ ତାଙ୍କ ରାଜାଭିଷେକକୁ ଜୁଲାଇ ୭ ତାରିଖରେ ୫୦ ବର୍ଷ ପୂରିଛି।

୧୫୬୮ ମସିହାରୁ ବର୍ତ୍ତମାନ ସୁଦ୍ଧା ୧୯ ଜଣ ଗଜପତି ସିଂହାସନ ଆରୋହଣ କରିସାରିଥିବା ଶ୍ରୀମନ୍ଦିର ଇତିହାସରୁ ଜଣାପଡ଼େ। ଗଜପତି ଦିବ୍ୟସିଂହ ଦେବଙ୍କ ପୂର୍ବରୁ ୧୬୩୬ ମସିହାରେ ସିଂହାସନ ଆରୋହଣ କରିଥିବା ଗଜପତି ବୀରକିଶୋର ଦେବ(ପ୍ରଥମ) ୧୬୯୩ ମସିହା ପର୍ଯ୍ୟନ୍ତ ୬୦ ବର୍ଷ ଧରି ଶାସନ କରିଥିଲେ। ଏହାପରେ ଗଜପତି ଦିବ୍ୟସିଂହ ଦେବ ୫୦ ବର୍ଷ ଶାସନରେ ରହିବାର ଗୌରବ ହାସଲ କରିଛନ୍ତି।ଶ୍ରୀମନ୍ଦିର ଇତିହାସ ଅନୁସାରେ, ୧୯୭୦ ମସିହାରେ ବୀରକିଶୋର ଦେବ(ତୃତୀୟ)ଙ୍କ ଦେହାନ୍ତ ପରେ ଦିବ୍ୟସିଂହ ଦେବଙ୍କର ରାଜାଭିଷେକ ହୋଇଥିଲା। ଜୁଲାଇ ୭ ତାରିଖ ସନ୍ଧ୍ୟାରେ ପାରମ୍ପରିକ ପ୍ରଥା ଅନୁଯାୟୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ କୋଳରେ ବସି ସେ ରାଜପଦରେ ଅଭିଷିକ୍ତ ହୋଇଥିଲେ। ସିଂହାସନ ଆରୋହଣ କରିବା ପରେ ପିତା ବୀରକିଶୋର ଦେବଙ୍କ ଅନ୍ତିମ ସଂସ୍କାର କରିବା ତାଙ୍କର ପ୍ରଥମ ଆଦେଶ ଥିଲା। ସେହିଦିନ ତିନିରଥ ବଡ଼ଦାଣ୍ଡରେ ଥିଲେ। ରାଜ ପରମ୍ପରା ଅନୁସାରେ ଗଜପତିଙ୍କୁ ଜାତ କର୍ମ ବା ମୃତ କର୍ମରେ ଅଶୌଚ ଲାଗିନଥାଏ। ତେଣୁ ଦିବ୍ୟସିଂହ ଦେବ ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ସେଦିନ ରଥରେ ସେବା କରିବା କଥା। କିନ୍ତୁ ବ୍ରତୋପନୟନ ହୋଇନଥିବାରୁ ସେ ସେବା କରିପାରିନଥିଲେ। ୧୯୭୦ ନଭେମ୍ବର ୨୯ ତାରିଖରେ ତାଙ୍କର ବ୍ରତୋପନୟନ ହେବା ସହ ରାଜଗୁରୁଙ୍କ ଦ୍ଵାରା ଶ୍ରୀମନ୍ଦିରରେ ଶାଢ଼ି ବନ୍ଧାଇଥିଲେ।CGU newଗଜପତି ଦିବ୍ୟସିଂହ ଦେବ ୧୯୫୩ ଫେବୃଆରୀ ୬ ତାରିଖରେ ଜନ୍ମ ହୋଇଥିଲେ। ତାଙ୍କର ପୂର୍ବନାମ ଥିଲା କାମାର୍ଣ୍ଣବ ଦେବ। ପୁରୀ କନଭେଣ୍ଟ ସ୍କୁଲରେ ୧୯୫୭ ରୁ ୧୯୫୯ ଯାଏଁ ପଢ଼ିଥିଲେ। ଏହାପରେ ଛତିଶଗଡ଼ର ରାୟପୁର ରୟାଲ କଲେଜରେ ୧୯୬୮ ଯାଏଁ ପଢ଼ିଥିଲେ। ପରେ ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜରେ ପଢ଼ିବା ସହ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲଏଲବି ଓ ଆମେରିକାର ନର୍ଥ ଓ୍ଵେଷ୍ଟର୍ଣ୍ଣ ୟୁନିଭର୍ସିଟି ସ୍କୁଲ ଅଫ୍ ଲ’ରେ ଏଲଏଲଏମ୍ ପଢ଼ିଥିଲେ।୧୯୭୬ରେ ଭାରତ ଫେରିବା ପରେ ସେ ବହୁ ପ୍ରଖ୍ୟାତ ଆଇନଜୀବୀଙ୍କ ନିକଟରେ ଉଭୟ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ କନିଷ୍ଠ ଆଇନଜୀବୀ ଭାବରେ କାର୍ଯ୍ୟ କରିଥିଲେ।

ରାଜ ପରମ୍ପରା ଅନୁସାରେ ସେ ପୁରୀ ସାନଛତା ମଠର ମହନ୍ତ ଗଙ୍ଗାଦାସଜୀ ମହାରାଜାଙ୍କଠାରୁ ଗୁରୁଦୀକ୍ଷା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ସ୍ଵାମୀ ଚିଦାନନ୍ଦ ସରସ୍ଵତୀ ମହାରାଜ ଏବଂ ଚିନ୍ମୟାନନ୍ଦ ସରସ୍ଵତୀ ମହାରାଜଙ୍କ ପରି ଦୁଇ ମହାନ ଗୁରୁଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ପରଠାରୁ ସେ ମହାପ୍ରଭୁଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ସହ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବରେ ମହାପ୍ରଭୁଙ୍କ ସେବା କରିଆସୁଛନ୍ତି।

Comment