ଓଡିଶାଲାଇଭ୍ ବ୍ୟୁରୋ

କରୋନା ସମୟରେ ସାମାଜିକ ବାସନ୍ଦ ଏବଂ ଭେଦଭାବକୁ ଦୂର କରିବା ପାଇଁ  ୟୁନିସେଫ୍ ଏବଂ ଓଡ଼ିଶା ସରକାର ମିଳିତ ଭାବେ କେଉଁ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ କହିଛନ୍ତି ୟୁନିସେଫ୍, ଓଡ଼ିଶାର କମ୍ୟୁନିକେସନ ଫର୍ ଡେଭେଲପମେଣ୍ଟ ସ୍ପେଶାଲିଷ୍ଟ ଲୋପାମୁଦ୍ରା ତ୍ରିପାଠୀ।

କରୋନା ମହାମାରୀ ସମୟରେ ସାମାଜିକ ବାସନ୍ଦ ଏବଂ ଲୋକଙ୍କ ଭିତରେ ଭେଦଭାବ ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। କରୋନା ସଂକ୍ରମିତ ରୋଗୀ, ପ୍ରବାସୀ ଶ୍ରମିକ ଏବଂ କରୋନା ଯୋଦ୍ଧାମାନେ ବିଭିନ୍ନ ସ୍ଥାନରେ ସାମାଜିକ ବାସନ୍ଦ ଓ ଭେଦଭାବର ଶିକାର ହେଉଛନ୍ତି। ରାଜ୍ୟ ସରକାରଙ୍କ ସହ ମିଶି ୟୁନିସେଫ୍ ଏଥିପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ବିଷୟରେ ସୂଚନା ଦେଇଛନ୍ତି ୟୁନିସେଫ୍, ଓଡ଼ିଶାର କମ୍ୟୁନିକେସନ ଫର୍ ଡେଭେଲପମେଣ୍ଟ ସ୍ପେଶାଲିଷ୍ଟ ଲୋପାମୁଦ୍ରା ତ୍ରିପାଠୀ।

ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ଭାଗ ନେଇ ସେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି।

କରୋନାକୁ ନେଇ ବର୍ତ୍ତମାନ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଭାରତ ଭଳି ଏକ ବିକାଶମୁଖୀ ରାଷ୍ଟ୍ର କରୋନା ମୁକାବିଲା କେମିତି କରିବ ସେନେଇ ଲୋକମାନେ ଆଶଙ୍କା ଭିତରେ ଅଛନ୍ତି। ତେଣୁ ଯେତେବେଳେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ଆସିବା ପାଇଁ ନାମ ପଞ୍ଜୀକରଣ କଲେ ସେତେବେଳେ ଲୋକଙ୍କ ମନରେ ଏକପ୍ରକାର କୋକୁଆ ଭୟ ସଷ୍ଟି ହେଲା। ପ୍ରବାସୀ ଶ୍ରମିକମାନେ ଆସିବା ପରେ କରୋନା ସଂକ୍ରମଣ ବ୍ୟାପିବ ଭାବି ଲୋକେ ଆତଙ୍କିତ ହୋଇପଡ଼ିଲେ। ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଏହି ଭୟରୁ ସାମାଜିକ ବାସନ୍ଦ ଏବଂ ଭେଦଭାବ ସୃଷ୍ଟି ହେଲା ବୋଲି ସେ କହିଛନ୍ତି।

କରୋନା ପ୍ରତି ଭୟ ସାମାଜିକ ବାସନ୍ଦ ଓ ଭେଦଭାବର ମୂଳ କାରଣ

କରୋନାକୁ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ଆଶଙ୍କା ସୃଷ୍ଟି ହେଉଛି। କରୋନା ହେଲେ ମୃତ୍ୟୁ ହେବ ବୋଲି ଲୋକମାନେ ଭାବୁଛନ୍ତି। ତେଣୁ କରୋନା ରୋଗୀ ଏବଂ ସେମାନଙ୍କ ସହିତ ସଂଶ୍ଳିଷ୍ଟ କରୋନା ଯୋଦ୍ଧାଙ୍କ ପ୍ରତି ସେମାନେ ଭେଦଭାବ କରୁଛନ୍ତି। ଲୋପାମୁଦ୍ରା କହିଛନ୍ତି, “କରୋନା ଭୂତାଣୁର ଭୟାବହତା ଯୋଗୁଁ ଲୋକମାନେ ସାମାଜିକ ବାସନ୍ଦର ଶିକାର ହେଉଛନ୍ତି। ବିଶେଷକରି କରୋନା ରୋଗୀ ଏବଂ କୋଭିଡ୍ ଯୋଦ୍ଧାମାନଙ୍କୁ ସାମାଜିକ ବାସନ୍ଦର ଶିକାର ହେବାକୁ ପଡ଼ୁଛି। କଣ୍ଟେନମେଣ୍ଟ ଜୋନରୁ ଆସୁଥିବା ଲୋକମାନଙ୍କୁ ସେମାନଙ୍କ ଗାଁ କିମ୍ବା ଘରକୁ ଯିବା ପାଇଁ ଗାଁ ଲୋକେ ଛାଡ଼ୁନାହାନ୍ତି। ଏସବୁ କରୋନାକୁ ନେଇ ସୃଷ୍ଟି ହୋଇଥିବା ଭୟ ଯୋଗୁଁ ହେଉଛି।”

କରୋନାକୁ ନେଇ ଅନେକ ଅପପ୍ରଚାର କରାଯାଉଛି। ୭ଟି ତୁଳସୀ ପତ୍ର ଖାଇଲେ କରୋନା ହେବନି, ଖରା ହେଲେ କରୋନା ଭାଇରସ୍ ମରିଯିବ, ରସୁଣ ଖାଇଲେ କରୋନା ହେବନି ପରି ଅନେକ ଗୁଜବ ପ୍ରଚାର କରାଯାଉଛି।

ଏହାଛଡ଼ା କରୋନାକୁ ନେଇ ଅନେକ ଭୁଲ ତଥ୍ୟ ଉପସ୍ଥାପନ କରାଯାଉଛି। ମିଥ୍ୟା ଖବର, ଗୁଜବ ଏବଂ ମିଥ୍ୟା ସମାଚାରକୁ ଲୋକମାନେ ସତ୍ୟତା ଯାଞ୍ଚ ନ କରି ବିଶ୍ଵାସ କରୁଛନ୍ତି। କରୋନା ବିଷୟରେ ଏହି ସବୁ ମିଥ୍ୟା ଖବର ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛି ବୋଲି ସେ ମତ ଦେଇଛନ୍ତି।

କରୋନା ମୁକାବିଲା ପାଇଁ ସମସ୍ତେ ଏକାଠି ହେବା ଉଚିତ୍

କରୋନା ରୋଗୀ ତଥା କରୋନା ମୁକାବିଲା ପାଇଁ ଚେଷ୍ଟା ଜାରି ରଖିଥିବା ମେଡିକାଲ ପ୍ରଫେସନାଲମାନଙ୍କୁ ଆମେ ସହଯୋଗ କରିବା ଦରକାର। ସମସ୍ତେ ଏକାଠି ନ ହେଲେ କରୋନାକୁ ମୁକାବିଲା କରିବା କଷ୍ଟକର ହୋଇପଡ଼ିବ। ତେଣୁ ସମସ୍ତଙ୍କୁ ଏକତ୍ରିତ ହୋଇ ଧୈର୍ଯ୍ୟ ସହକାରେ ଏହି ଖରାପ ସମୟକୁ ମୁକାବିଲା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସାମାଜିକ ବାସନ୍ଦ ଏବଂ ଭେଦଭାବକୁ ଦୂର କରି ଆମକୁ ରୋଗୀ ସହ ନୁହେଁ ରୋଗ ସହ ଲଢ଼ିବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି।

ଡାକ୍ତର ଏବଂ ସ୍ଵାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ଦରକାର

କରୋନା ଲଢ଼େଇରେ ଯୋଦ୍ଧା ସାଜିଥିବା ଡାକ୍ତର ଏବଂ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ସାମାଜିକ ବାସନ୍ଦ କିମ୍ବା ସେମାନଙ୍କ ପ୍ରତି ଭେଦଭାବ କରିବା ଉଚିତ ନୁହେଁ। ଯଦି ସେମାନଙ୍କ ପ୍ରତି ଏପରି ଅପବ୍ୟବହାର କରାଯାଏ ଏବଂ ସେମାନେ ସ୍ଵାସ୍ଥ୍ୟ ସେବା ଯୋଗାଇବାକୁ ମନା କରିଦିଅନ୍ତି ତେବେ ପରିସ୍ଥିତି ଭୟଙ୍କର ହେବ। ତେଣୁ ସେମାନଙ୍କୁ ଏହି ଲଢ଼େଇରେ ସହଯୋଗ କରିବା ଉଚିତ।

ପ୍ରବାସୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ

କରୋନା ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି। ସରକାରଙ୍କ ନିୟମ ଅନୁସାରେ ସେମାନେ ୧୪ ଦିନ ପର୍ଯ୍ୟନ୍ତ କ୍ଵାରେଣ୍ଟାଇନରେ ରହୁଛନ୍ତି। ବାହାର ରାଜ୍ୟରୁ କର୍ମ ସଂସ୍ଥାନ ହରାଇ, ନଖାଇ ନପିଇ, ଚାଲିଚାଲି ମଧ୍ୟ ଓଡ଼ିଶା ଫେରିଛନ୍ତି। ଏଭଳି ସମୟରେ ସେମାନଙ୍କୁ ସାମାଜିକ ବାସନ୍ଦ କିମ୍ବା ଭେଦଭାବ କରାଗଲେ ସେମାନେ ଏକ ଗୋଷ୍ଠୀରେ ପରିଣତ ହୋଇଯିବେ। ଏହାଦ୍ଵାରା ରାଜ୍ୟରେ ଗୋଷ୍ଠୀ କନ୍ଦଳ ଦେଖାଦେବ। ରାଜ୍ୟରେ ଅଶାନ୍ତି ସୃଷ୍ଟି ହେବ। ତେଣୁ ପ୍ରବାସୀଙ୍କ ପ୍ରତି ଲୋକମାନେ ସମ୍ବେଦନଶୀଳ ହୋଇ ସେମାନଙ୍କୁ ସହଯୋଗ କରିବା ଉଚିତ ବୋଲି ସେ କହିଛନ୍ତି।

ସାମାଜିକ ବାସନ୍ଦ ଦୂର କରିବା ପାଇଁ ତାଲିମ ଦିଆଯାଇଛି

ସାମାଜିକ ବାସନ୍ଦ ଏବଂ ଭେଦଭାବକୁ ଦୂର କରିବା ପାଇଁ ୟୁନିସେଫ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ସମସ୍ତଙ୍କୁ ତାଲିମ୍ ଦିଆଯାଇଛି। କୋଭିଡ୍ ଯୋଦ୍ଧାମାନଙ୍କ ଠାରୁ ଆରମ୍ଭ କରି ସ୍ଵେଚ୍ଛାସେବୀ ସମସ୍ତଙ୍କୁ ଏ ବିଷୟରେ ଟ୍ରେନିଂ ଦିଆଯାଇଛି। ଏଥିସହ କେଉଁ ଭଳି ପରିସ୍ଥିତିକୁ କିଭଳି ମୁକାବିଲା କରାଯିବ ସେସବୁ ବିଷୟରେ ସେମାନଙ୍କୁ କେସ୍ ଷ୍ଟଡିଜ୍ ମଧ୍ୟ ଦିଆଯାଇଛି।

ଗୁରୁତ୍ଵପୂର୍ଣ୍ଣ ବାର୍ତ୍ତା ପ୍ରଚାର କରାଯାଉଛି

ସାମାଜିକ ବାସନ୍ଦ ଏବଂ ଭେଦଭାବକୁ ଦୂର କରିବା ପାଇଁ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବାର୍ତ୍ତା ପ୍ରଚାର କରାଯାଉଛି। ଫୋନ୍, ଟେଲିଭିଜନ୍, ରେଡ଼ିଓ ଆଦିରେ ‘ରୋଗ ସହ ଲଢ଼ିବା, ରୋଗୀ ସହ ନୁହେଁ’ ଭଳି ବାର୍ତ୍ତା ପ୍ରଚାର କରାଯାଉଛି।CGU new

ସାମାଜିକ ବାସନ୍ଦ ବିରୋଧୀ ଅଭିଯାନ ପାଇଁ ଯୋଜନା

ଏଥିସହ ୟୁନିସେଫ୍ ଏକ ସାମାଜିକ ବାସନ୍ଦ ବିରୋଧୀ ଅଭିଯାନ ଆରମ୍ଭ କରିବାକୁ ବିଚାର କରୁଛି। ଏହି ଅଭିଯାନ ଓଡ଼ିଶାର ୩୦ଟି ଜିଲ୍ଲା ସମେତ ସମ୍ପୂର୍ଣ୍ଣ ଭାରତରେ କରିବାକୁ ଯୋଜନା ଚାଲିଛି। ଭାରତ ସରକାର ସବୁ ରାଜ୍ୟ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ବାଧ୍ୟତାମୂଳକ କରିଛନ୍ତି।

କରୋନା ଆକ୍ରାନ୍ତ ଶିଶୁ ଏବଂ ମହିଳାମାନଙ୍କ ଯତ୍ନ ନେବା ଜରୁରୀ

ଏହି ସମୟରେ କରୋନାରେ ସଂକ୍ରମିତ ହେଉଥିବା ଶିଶୁ, ମହିଳା ଏବଂ ଗର୍ଭବତୀ ମହିଳାଙ୍କଠାରୁ ଜନ୍ମିତ ଶିଶୁଙ୍କ ପ୍ରତି ସାମାଜିକ ବାସନ୍ଦ ତଥା ଭେଦଭାବର ଆଶଙ୍କା କରାଯାଉଛି। ତେଣୁ କରୋନା ସଂକ୍ରମିତ ଶିଶୁ ଏବଂ ମହିଳାମାନଙ୍କ ଯତ୍ନ ନେବା ଜରୁରୀ ବୋଲି ସେ କହିଛନ୍ତି।

କରୋନା ସମୟରେ ସାମାଜିକ ବାସନ୍ଦ ଏବଂ ଭେଦଭାବ ତଥା ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରିଛି ‘କେତେ ନୂଆ ବାଟ’।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା୩୦ ମିନିଟରେ ଆକାଶବାଣୀର ଓଡ଼ିଶାରେ ଥିବା ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ତା’ସାଙ୍ଗକୁ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment