ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀକୁ ନେଇ ଭୟ ବଢ଼ିଲା। ପବନରେ ସଂକ୍ରମିତ ହେଉଛି କରୋନା ଭୂତାଣୁ।

ହାଡ଼ଫୁଟି ଏବଂ ମିଳିମିଳା ପରି ପବନରେ ଉଡ଼ି ବୁଲୁଛି କରୋନା ଭୂତାଣୁ। ବୈଜ୍ଞାନିକମାନଙ୍କ ଏହି ଦାବିକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସ୍ୱୀକାର କରିବା ପରେ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି।

କରୋନା ଭୂତାଣୁ ଯଦି ସତରେ ପବନରେ ବୁଲୁଥିଏ ତାହାଲେ କରୋନା ସଂକ୍ରମଣ ଆଗକୁ ଆହୁରି ଭୟଙ୍କର ହେବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି।

CGU newସାରା ବିଶ୍ଵକୁ ଅସହାୟ କରିଦେଇଥିବା ଏହି ମହାମାରୀକୁ ନେଇ ଏଭଳି ସାଂଘାତିକ ତଥ୍ୟ ଆସିବା ପରେ ଚିନ୍ତା ବଢ଼ିଛି। ପୂର୍ବରୁ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ କରୋନା ବାୟୁବାହିତ ବୋଲି ଦାବି କରିବା ସହ ଡବ୍ଲ୍ୟୁଏଚଓ ସଂକ୍ରମଣ ପରାମର୍ଶବଳୀରେ ପରିବର୍ତ୍ତନ କରୁ ବୋଲି ଦାବି କରିଥିଲେ। ବୁଧବାର ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ବୈଜ୍ଞାନିକମାନଙ୍କର ଏହି ଦାବିକୁ ସ୍ଵୀକାର କରିନେଇଛି। ତେବେ ଏ ଦିଗରେ ଅଧିକ ଗବେଷଣା କରାଯାଉଛି ବୋଲି ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି।

ଡବ୍ଲ୍ୟୁଏଚଓ କରୋନା ସଂକ୍ରମଣ ସଂସର୍ଗଜନିତ ବା ସ୍ପର୍ଶଜନିତ ବୋଲି ସ୍ପଷ୍ଟ କରିଥିଲା। ଜଣେ ବ୍ୟକ୍ତି କାଶିବା, ଛିଙ୍କିବା କିମ୍ବା କଥା କହିବାବେଳେ ସାର୍ସ-କୋଭିଡ୍-୨ ଭୂତାଣୁ କ୍ଷୁଦ୍ର ଜଳକଣାରେ ମିଶି ବାହାରକୁ ଆସିଥାଏ ଏବଂ ଏହା ସଂସ୍ପର୍ଶରେ ଆସୁଥିବା ଲୋକକୁ ସଂକ୍ରମଣ କରିଥାଏ ବୋଲି ଡବ୍ଲ୍ୟୁଏଚଓ କହିଥିଲା। କିନ୍ତୁ ବୈଜ୍ଞାନିକଙ୍କ ଦାବି ପରେ କରୋନା ବାୟୁବାହିତ ବୋଲି ଡବ୍ଲ୍ୟୁଏଚଓ ସ୍ଵୀକାର କରିଛି, ଯାହାକି ବିଶ୍ଵବାସୀଙ୍କୁ ଆତଙ୍କିତ କରିଛି।

ଡବ୍ଲ୍ୟୁଏଚଓ କହିଛି ଯେ ବାୟୁମଣ୍ଡଳରେ କରୋନା ଭାଇରସ୍ ଥିବାର ପ୍ରମାଣ ମିଳିଛି, କିନ୍ତୁ ବର୍ତ୍ତମାନ ଏ ବିଷୟରେ ସ୍ପଷ୍ଟ ଭାବେ କିଛି କହି ହେବନାହିଁ। ତଥାପି ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ବନ୍ଦ ଜାଗାରେ ବାୟୁ ଜରିଆରେ କରୋନା ଭାଇରସ୍ ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଏଭଳି ସ୍ଥାନଗୁଡ଼ିକରେ କରୋନା ଭୂତାଣୁ ବାୟୁ ମାଧ୍ୟମରେ ଶରୀରକୁ ପ୍ରବେଶ କରିପାରିବ। ତେବେ କୌଣସି ବଳିଷ୍ଠ ପ୍ରମାଣ ମିଳିନଥିବାରୁ ଏ ଦିଗରେ ଅଧିକ ଗବେଷଣା କରାଯାଉଛି।

corona-3ପ୍ରମାଣ ମିଳିବା ପରେ ନୂଆ ଗାଇଡଲାଇନ୍ ଜାରି କରାଯିବ। କରୋନା ବାୟୁବାହିତ ବୋଲି ପ୍ରମାଣିତ ହେବା ପରେ ତ୍ରିସ୍ତରୀୟ ମାସ୍କକୁ ବାଧ୍ୟତାମୂଳକ କରାଯାଇପାରେ ବୋଲି ଡବ୍ଲ୍ୟୁଏଚଓ ପକ୍ଷରୁ ସୂଚନା ମିଳିଛି।

କରୋନା ଭୂତାଣୁ ବାୟୁ ଦ୍ଵାରା ବ୍ୟାପୁଥିଲେ ଆବଦ୍ଧ କୋଠରୀରେ ସଙ୍ଗରୋଧ ହୋଇ ରହିଲେ ମଧ୍ୟ କରୋନା ସଂକ୍ରମଣକୁ ଏଡ଼ାଇ ଦିଆଯାଇନପାରେ।

ହାଡ଼ଫୁଟି, ମିଳିମିଳା ପରି ଏହା ସଂକ୍ରମିତ ଲୋକଠାରୁ ସୁସ୍ଥ ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମଣ କରିପାରେ। ଏପରି ହେଲେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିବ। ସାମାଜିକ ଦୂରତା କିମ୍ବା କ୍ଵାରେଣ୍ଟାଇନ ନିୟମ ମାନିଲେ ମଧ୍ୟ ଲକ୍ଷ ଲକ୍ଷ ଲୋକ ଅତି କମ ସମୟ ମଧ୍ୟରେ କରୋନାରେ ଆକ୍ରାନ୍ତ ହେବେ। ବାୟୁମଣ୍ଡଳରେ ଥିବା ଅତି କ୍ଷୁଦ୍ର କଣିକା ମଧ୍ୟ କରୋନା ସଂକ୍ରମଣର ମାଧ୍ୟମ ହୋଇପାରେ। ତେଣୁ ଏହାକୁ ନେଇ ଏବେ ସମଗ୍ର ବିଶ୍ଵ ଚିନ୍ତାରେ ପଡ଼ିଛି।

Comment