ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଙ୍କଟ ସମୟରେ ଅନ୍ତିମ ସଂସ୍କାର ଏବଂ ଶୁଦ୍ଧିକ୍ରିୟା ପାଳନ ଭଳି ସାମାଜିକ କାମର ଆୟୋଜନ କରୁଛନ୍ତି କି? ଜାଣନ୍ତୁ, ରାଜ୍ୟ ସରକାର ଏଥିପାଇଁ କ’ଣ କଟକଣା ଜାରି କରିଛନ୍ତି।

  • ଶୁଦ୍ଧିକ୍ରିୟା ଭଳି କାମର ଆୟୋଜନ କରିବାକୁ ଥିଲେ ପ୍ରଥମେ ସ୍ଥାନୀୟ ଥାନାରୁ ଲିଖିତ ଭାବେ ଅନୁମତି ନେବାକୁ ପଡ଼ିବ। ଏଥିପାଇଁ ଆୟୋଜକ ଇମେଲ କିମ୍ବା ଅନ୍ୟ କୌଣସି ଡିଜିଟାଲ ମାଧ୍ୟମରେ ଆବେଦନ କରିପାରିବେ।
  • ଅନ୍ତିମ ସଂସ୍କାର ଆୟୋଜନ ବେଳେ ସ୍ଥାନୀୟ ଥାନାରେ କେବଳ ଲିଖିତ ଭାବେ ଜଣାଇବାକୁ ପଡ଼ିବ। ମୃତ୍ୟୁବରଣ କରିବା ବ୍ୟକ୍ତିଙ୍କ ସ୍ଥାନ ଏବଂ ସତ୍କାର ହେବାକୁ ଥିବା ସ୍ଥାନ – ଉଭୟ ଜାଗାରେ ସ୍ଥାନୀୟ ଥାନାକୁ ଲିଖିତ ଭାବେ ସୂଚନା ଦେବାକୁ ହେବ।
  • ଅନ୍ତିମ ସଂସ୍କାର ବା ଶୁଦ୍ଧିକ୍ରିୟା ଭଳି କାମ ବେଳେ କର୍ତ୍ତାଙ୍କ ପରିବାରର ଲୋକଙ୍କ ସହିତ ପୁରୋହିତ, ବନ୍ଧୁବାନ୍ଧବ ଏବଂ ସହଯୋଗୀ ସଂସ୍ଥାକୁ ମିଶାଇ ସର୍ବାଧିକ ୨୦ ଜଣ ବ୍ୟକ୍ତି ଯୋଗ ଦେଇପାରିବେ।
  • ଏହି ସମୟରେ ଜଣେ ଅନ୍ୟ ଜଣଙ୍କଠାରୁ ଅନ୍ତତଃ ୨ ମିଟର ଦୂରତା ବଜାୟ ରଖିବେ।

  • ଖାଇବା ସମୟରେ ମଧ୍ୟ ସାମାଜିକ ଦୂରତା ସୁନିଶ୍ଚିତ କରାଯିବ। ଅର୍ଥାତ୍ ଲୋକଙ୍କ ବସିବା ପାଇଁ ହୋଇଥିବା ବ୍ୟବସ୍ଥାରେ ଗୋଟିକରୁ ଅନ୍ୟ ଆସନ ମଧ୍ୟରେ ୨ ମିଟର ବ୍ୟବଧାନ ରହିବ।
  • ଅନ୍ତିମ ସଂସ୍କାର ବା ଶୁଦ୍ଧିକ୍ରିୟା ଭଳି କାମରେ ଯୋଗ ଦେଉଥିବା ପ୍ରତ୍ୟେକ ବ୍ୟକ୍ତି କେବଳ ଗାଧୋଇବା ଏବଂ ଖାଇବା ସମୟ ଛାଡ଼ିଦେଲେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୁହଁରେ ମାସ୍କ ପିନ୍ଧିବେ।
  • ଏହି ସମୟରେ କେହି ପାନ, ଗୁଟୁଖା ଖାଇ ଏଣେ ତେଣେ ଛେପ ପକାଇବେ ନାହିଁ। ଏଥିପ୍ରତି କର୍ତ୍ତା ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବେ। ଶବ ଶୋଭାଯାତ୍ରା ବେଳେ କୌଣସି ଗାଡ଼ିରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ବ୍ୟକ୍ତି ବସିପାରିବେ ନାହିଁ।
  • ସଂପୃକ୍ତ ସ୍ଥାନରେ ହାତ ଧୋଇବା ପାଇଁ ଠିକଣା ବ୍ୟବସ୍ଥା କରାଯିବା ଦରକାର ବିଶେଷକରି, ଆବଶ୍ୟକତା ଅନୁଯାୟୀ ସାବୁନ, ପାଣି ଏବଂ ସାନିଟାଇଜର ବ୍ୟବସ୍ଥା କରାଯିବ।

CGU new

ଊଲ୍ଲଙ୍ଘନ ଲାଗି ଦଣ୍ଡ ବ୍ୟବସ୍ଥା:

  • ଅନ୍ତିମ ସଂସ୍କାର ବା ଶୁଦ୍ଧିକ୍ରିୟା ଭଳି କାମ ବେଳେ ଯଦି କେହି ଏହି କୋଭିଡ୍ ନିୟମ ଉଲ୍ଲଘଂନ କରନ୍ତି, ତେବେ କର୍ତ୍ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।
  • ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ହେଉଥିବା ସ୍ଥାନର ମାଲିକ ବା ପରିଚାଳକ ମଧ୍ୟ କୋଭିଡ୍ ନିୟମ କିପରି କଡ଼ାକଡ଼ି ଭାବେ ପାଳନ ହେବ ତାହା ସୁନିଶ୍ଚିତ କରିବେ। ତେଣୁ କୌଣସି କ୍ଷେତ୍ରରେ ଯଦି ନିୟମର ଉଲ୍ଲଘଂନ ହେଉଥାଏ ତେବେ ତାଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

ପୁରୋହିତ, ଟେଣ୍ଟ ହାଉସ୍ ଏବଂ କ୍ୟାଟରିଂ ସଂସ୍ଥାର କର୍ମଚାରୀଙ୍କ ପାଇଁ କଟକଣା

ବାହାଘର ଏବଂ ଶୁଦ୍ଧିକ୍ରିୟା ଭଳି ସାମାଜିକ କାର୍ଯ୍ୟକ୍ରମ ବେଳେ ପୁରୋହିତ, ଟେଣ୍ଟ ହାଉସ୍ କର୍ମଚାରୀ ଏବଂ କ୍ୟାଟରିଂ ବା ଭୋଜି ଦାୟିତ୍ୱରେ ଥିବା ଲୋକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେଣୁ କୋଭିଡ୍-୧୯ ମହାମାରୀ ବ୍ୟାପିବାକୁ ରୋକିବା ସମ୍ପର୍କରେ ସେମାନଙ୍କୁ ସଚେତନ କରିବା ସହ ରାଜ୍ୟ ସରକାର କୋଭିଡ୍ ନିୟମାବଳିରେ ସେମାନଙ୍କ ପାଇଁ ଦାୟିତ୍ୱ ସ୍ଥିର କରିଛନ୍ତି।

ପୁରୋହିତଙ୍କ ଦାୟିତ୍ୱ:

  • ବାହାଘର କିମ୍ବା ଶୁଦ୍ଧିକ୍ରିୟା ଆୟୋଜନ ବେଳେ ପୁରୋହିତମାନଙ୍କର ବଡ଼ ଭୂମିକା ରହିଛି। ତେଣୁ ସେମାନେ କୋଭିଡ୍-୧୯ ନିୟମର କଡ଼ାକଡ଼ି ପାଳନ ଲାଗି ଆୟୋଜକଙ୍କୁ ପରାମର୍ଶ ଦେବେ।
  • ଏହି ସବୁ ସାମାଜିକ କାର୍ଯ୍ୟର ଆୟୋଜନ ସମୟରେ ସେଠାରେ ଉପସ୍ଥିତ ଥିବା ସବୁ ଲୋକ ସାମାଜିକ ଦୂରତା ରକ୍ଷା ସହ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୁହଁରେ ମାସ୍କ ପିନ୍ଧିବେ।
  • ବାହାଘର ବେଦୀ ଏବଂ ବସିବା ବ୍ୟବସ୍ଥା ଏପରି କରାଯିବା ଫଳରେ ବର, କନ୍ୟା ଓ କର୍ତ୍ତା ଏବଂ ଉପସ୍ଥିତ ସମସ୍ତ ଅତିଥି ପରସ୍ପରଠାରୁ ୨ ମିଟର ଦୂରତା ରଖିବେ। ସେହିପରି ସମସ୍ତେ ମୁହଁରେ ମାସ୍କ ପିନ୍ଧିଛନ୍ତି କି ନାହିଁ ସେଥିପ୍ରତି ପୁରୋହିତ ମଧ୍ୟ ଧ୍ୟାନ ଦେବା ଦରକାର।
  • ବାହାଘରରେ ୫୦ରୁ ଅଧିକ ଲୋକ ଏବଂ ଶୁଦ୍ଧିକ୍ରିୟା ବେଳେ ୨୦ରୁ ଅଧିକ ଲୋକଙ୍କୁ ନଡାକିବା ପାଇଁ ପୁରୋହିତ କର୍ତ୍ତାଙ୍କୁ ପରାମର୍ଶ ଦେବା ସହ କୋଭିଡ୍ ନିୟମ ସଂପୂର୍ଣ୍ଣ ମାନିବାକୁ ପରାମର୍ଶ ଦେବେ। ଯଦି କୌଣସି ସ୍ଥାନରେ ଏହା ପାଳନ କରା ନଯାଏ ତେବେ ପୁରୋହିତ ସେ ସ୍ଥାନରେ ଯୋଗଦେବେ ନାହିଁ।

ଟେଣ୍ଟ ହାଉସ୍ କର୍ମଚାରୀଙ୍କ ଦାୟିତ୍ୱ:

  • ବାହାଘର ବେଳେ ନିୟୋଜିତ ଟେଣ୍ଟ ହାଉସର ମାଲିକ, ପରିଚାଳକ ବା କର୍ମଚାରୀମାନେ ସାମାଜିକ ଦୂରତା ନିୟମ ରକ୍ଷା କରିବେ। ଉତ୍ସବ ପାଇଁ କାମ କଲା ବେଳେ ମାସ୍କ ପିନ୍ଧିବା ସହ ପାନ ବା ଗୁଟୁଖା ଖାଇ ଛେପ ପକାଇବେ ନାହିଁ। ଏଥିପ୍ରତି ଟେଣ୍ଟ ହାଉସ୍ ମାଲିକ ବା ପରିଚାଳକ ନଜର ରଖିବେ।
  • ଯଦି ସଂପୃକ୍ତ ଟେଣ୍ଟ ହାଉସ୍ ବାହାଘର ବା ଶୁଦ୍ଧିକ୍ରିୟା ବେଳେ ରୋଷେଇ, ଖାଦ୍ୟ ବିତରଣ ଏବଂ ସଫେଇ ଆଦିର ଦାୟିତ୍ୱ ନେଇଛି, ତାହେଲେ ସେହିସବୁ କାମରେ ନିୟୋଜିତ ବ୍ୟକ୍ତି ଯେପରି କୋଭିଡ୍ କଟକଣା ପାଳନ କରିବେ ତାହା ସୁନିଶ୍ଚିତ କରିବେ।
  • ଯଦି ଟେଣ୍ଟ ହାଉସର କୌଣସି କର୍ମଚାରୀଙ୍କର କୋଭିଡ ଭଳି କୌଣସି ଲକ୍ଷଣ (ଯଥା ଜ୍ୱର, କାଶ, ଛିଙ୍କ, ଶ୍ୱାସକ୍ରିୟାଜନିତ ସମସ୍ୟା) ରହିଥାଏ ତେବେ ସେମାନଙ୍କୁ ଏଭଳି ଉତ୍ସବ ଲାଗି କାମରେ ନିୟୋଜିତ କରାଯିବ ନାହିଁ।
  • ଟେଣ୍ଟ ବାନ୍ଧିବା ଲାଗି ଯୋଜନା କଲା ବେଳେ ବାହାଘର ହୋଇଥିଲେ ସର୍ବାଧିକ ୫୦ ଜଣ ଏବଂ ଶୁଦ୍ଧିକ୍ରିୟା ବେଳେ ୨୦ ଜଣରୁ ଅଧିକ ଲୋକଙ୍କ ପାଇଁ ଟେଣ୍ଟ ବ୍ୟବସ୍ଥା ନକରିବାକୁ ଟେଣ୍ଟ ହାଉସ୍ ମାଲିକ କିମ୍ବା ମ୍ୟାନେଜର କର୍ତ୍ତାଙ୍କୁ ପରାମର୍ଶ ଦେବେ।
  • ଯଦି କୋଭିଡ ନିୟମରେ କୌଣସି ପ୍ରକାର ଉଲ୍ଲଘଂନ ହୁଏ ତେବେ ଟେଣ୍ଟ ହାଉସର ମାଲିକ, ପରିଚାଳକ ବା ସଂପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଉପରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

 

ଖାଦ୍ୟ ପ୍ରସ୍ତୁତି, ବିତରଣ ଏବଂ କ୍ୟାଟରିଂ ସଂସ୍ଥାଙ୍କ ଦାୟିତ୍ୱ:

  • ବାହାଘର କିମ୍ବା ଶୁଦ୍ଧିକ୍ରିୟା ବେଳେ ଭୋଜି ରାନ୍ଧିବା ଏବଂ ବିତରଣ କରିବାର ଦାୟିତ୍ୱ ନେଇଥିବା ସଂସ୍ଥାର କର୍ମଚାରୀମାନେ ବି କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରିବେ। ସଂପୃକ୍ତ କର୍ମଚାରୀମାନେ ମାସ୍କ ବ୍ୟବହାର କରିବା ସହ ସାମଜିକ ଦୂରତା ବଜାୟ ରଖିବେ। ତା’ ସାଂଗକୁ ପାନ ବା ଗୁଟୁଖା ଆଦି ଖାଇ ସର୍ବସାଧାରଣ ସ୍ଥାନରେ ଛେପ ପକାଇବେ ନାହିଁ।
  • ଯଦି କୌଣସି କର୍ମଚାରୀଙ୍କର କୋଭିଡ ଭଳି କୌଣସି ଲକ୍ଷଣ (ଯଥା ଜ୍ୱର, କାଶ, ଛିଙ୍କ, ଶ୍ୱାସକ୍ରିୟାଜନିତ ସମସ୍ୟା) ରହିଥାଏ, ତେବେ ସେମାନଙ୍କୁ ଏଭଳି ଉତ୍ସବ ଲାଗି କାମରେ ନିୟୋଜିତ କରାଯିବ ନାହିଁ।
  • କ୍ୟାଟରିଙ୍ଗ ସଂସ୍ଥା ବାହାଘର ବେଳେ ୫୦ ଜଣ ଏବଂ ଶୁଦ୍ଧିକ୍ରିୟା ହୋଇଥିଲେ ୨୦ ଜଣରୁ ଅଧିକ ଲୋକଙ୍କ ଖାଦ୍ୟ ପାଇଁ ଅର୍ଡର ନେଇପାରିବେ ନାହିଁ।
  • ଯଦି କୋଭିଡ ନିୟମରେ କୌଣସି ପ୍ରକାର ଉଲ୍ଲଘଂନ ହୁଏ ତେବେ କ୍ୟାଟରିଂ ସଂସ୍ଥାର ମାଲିକ, ପରିଚାଳକ ବା ସଂପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଉପରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

(ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିସନର ସମସ୍ତ ଜିଲ୍ଲାପାଳ, ପୋଲିସ ଏସ୍‌ପି, ସମସ୍ତ ମୁନିସିପାଲ୍ କର୍ପୋରେସନ କମିସନର ଏବଂ ଭୁବନେଶ୍ୱର-କଟକ ପୋଲିସ କମିସନରଙ୍କୁ ୬ ଜୁଲାଇ ୨୦୨୦ରେ ଜାରି କରିଥିବା ଚିଠି ଅନୁଯାୟୀ)

Comment