ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ହୋମ୍ ଆଇସୋଲେସନ୍ ନିୟମରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। 

  • ସହରାଞ୍ଚଳର କରୋନା ରୋଗୀ ହୋମ୍ ଆଇସୋଲେସନ ପାଇଁ ଅନୁମତି 
  • ଲକ୍ଷଣହୀନ କରୋନା ରୋଗୀ ହୋମ୍ ଆଇସୋଲେସନରେ ରହିପାରିବେ
  • ସାମାନ୍ୟ ଲକ୍ଷଣ ଥିବା ରୋଗୀମାନ ମଧ୍ୟ ହୋମ୍ ଆଇସୋଲେସନରେ ରହିପାରିବେ
  • ବିଭିନ୍ନ ସଂସ୍ଥା ମଧ୍ୟ ନିଜ କର୍ମଚାରୀଙ୍କ ପାଇଁ କୋଭିଡ୍ କେୟାର ହୋମ୍ କରିପାରିବେ

ଏଣିକି ଲକ୍ଷଣ ନଥିବା କରୋନା ରୋଗୀମାନେ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହୋଇପାରିବେ। ସହରାଞ୍ଚଳର ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ହୀନ କରୋନା ରୋଗୀମାନଙ୍କୁ ଘରେ ରହି ଚିକିତ୍ସିତ ହେବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଯେଉଁଥିରେ ସହରାଞ୍ଚଳର ହୋମ୍ ଆଇସୋଲେସନ ବ୍ୟବସ୍ଥାକୁ ନେଇ ସେ ବହୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ରାଜ୍ୟର ସମସ୍ତ ସହରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ ଓ ବ୍ଲକ ମୁଖ୍ୟାଳୟ ଅଞ୍ଚଳରେ ଚିହ୍ନଟ ହେଉଥିବା ଲକ୍ଷଣ ହୀନ କିମ୍ବା ସାମାନ୍ୟ ଲକ୍ଷଣଯୁକ୍ତ କରୋନା ରୋଗୀମାନେ ହୋମ୍ ଆଇସୋଲେସନରେ ରହିପାରିବେ। ହେଲେ ଏଥିପାଇଁ ସେମାନଙ୍କ ଘରେ ସମସ୍ତ ସୁବିଧା ସୁଯୋଗ ରହିଥିବା ଦରକାର। ଯଦି ତାଙ୍କ ପାଖରେ ସ୍ୱତନ୍ତ୍ର ଘର, ପାଇଖାନା ଆଦି ଥିବ ତେବେ ସେମାନେ ହୋମ୍ ଆଇସୋଲେସନରେ ରହିପାରିବେ।”

ଏଥିପାଇଁ ସରକାରଙ୍କ ତରଫରୁ ମଧ୍ୟ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏପିରିକି ତାଙ୍କ ସମ୍ପର୍କୀୟଙ୍କ ପାଇଁ ପିପିଇ କିଟ୍ ଓ ରୋଗୀଙ୍କ ପାଇଁ ଔଷଧ ମଧ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ। ହୋମ୍ ଆଇସୋଲେସନରେ ରହୁଥିବା ଲୋକଙ୍କ ଦାୟିତ୍ୱରେ ତାଙ୍କର ଘରର ଜଣେ ଲୋକ ରହିବେ। ଯିଏକି ସରକାର ଓ ରୋଗୀଙ୍କ ମଧ୍ୟରେ ଯୋଗସୁତ୍ର ରକ୍ଷା କରିବେ।CGU newହେଲେ ଡାଇବେଟିସ୍, ଏଚଆଇଭି, କ୍ୟାନସର ଥେରାପି ଓ କିଡନୀ ଆଦି ରୋଗରେ ପୀଡ଼ିତ ଥିବା ରୋଗୀମାନେ ଚାହିଁଲେ ବି ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ। ଏଥିସହିତ ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ ବୋଲି କୁହାଯାଇଛି।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ନିଜ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ କେୟାର ହୋମ୍ ଗଠନ କରିପାରିବେ। ଯେଉଁଠାରେ ତାଙ୍କର କର୍ମଚାରୀମାନେ ଚିକିତ୍ସିତ ହେବେ। ମ୍ୟୁନିସିପାଲଟି, ଏୟାରପୋର୍ଟ, ବନ୍ଦର, ବିଏସଏଫ୍, ସିଆଇଏସଏଫ୍, ଏନଡିଆରଏଫ୍, ରେଲୱେ ଭଳି ଅନୁଷ୍ଠାନ ନିଜ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ କେୟାର ହୋମ୍ ଗଠନ କରିପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି।

ଏହି କୋଭିଡ୍ କେୟାର ହୋମରେ ୧୦ରୁ ୨୦ଟି ବେଡ୍ ସହିତ ସମସ୍ତ ପ୍ରକାର ସୁବିଧା ରହିବା ଆବଶ୍ୟକ। ଏଥିସହିତ ଯଦି ଅଧିକ ସଂଖ୍ୟକ ବେଡ୍ ଆବଶ୍ୟକ ତେବେ ଏହି ସଂସ୍ଥାମାନେ କୋଭିଡ୍ କେୟାର ସେଣ୍ଟର ମଧ୍ୟ ସ୍ଥାପନ କରିପାରିବେ ବୋଲି କୁହାଯାଇଛି।

ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ବହୁତ ଭଲ ରହିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Comment