ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜିଓ ପ୍ଲାଟଫର୍ମରେ ପୁଞ୍ଜି ନିବେଶ କରିବ ଗୁଗଲ
  • ଜିଓର ୭.୭୩ ଅଂଶଧନ କିଣିବ ଗୁଗଲ
  •  ଗୁଗଲ ୩୩ ହଜାର ୭୩୭ କୋଟି ଟଙ୍କା ନିବେଶ କରିବ
  • ଭାରତର ସବୁ ଲୋକଙ୍କ ହାତରେ ପହଞ୍ଚିବ ଶସ୍ତା ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ଶାଖା ଜିଓ ପ୍ଲାଟଫର୍ମରେ ପୁଞ୍ଜି ନିବେଶ କରିବ ଗୁଗଲ। ଜିଓର ୭.୭୩ ଅଂଶଧନରେ ଗୁଗଲ ୩୩ ହଜାର ୭୩୭ କୋଟି ଟଙ୍କା ନିବେଶ କରିବାକୁ ଆଗେଇ ଆସିଛି। ଏନେଇ ସୂଚନା ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୩ତମ ବାର୍ଷିକ ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଅନ୍‌ଲାଇନ୍ ବା ଭର୍ଚୁଆଲ୍ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି ଉଦବୋଧନ ଦେଇ ଜିଓ ପ୍ଲାଟଫର୍ମରେ ଯେଉଁ କମ୍ପାନିମାନେ ଅଂଶୀଦାର ଅଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବା ସହିତ ନିବେଶ କରିବାକୁ ଚାହୁଁଥିବା ନୂଆ କମ୍ପାନିମାନଙ୍କୁ ସ୍ୱାଗତ କରିଥିଲେ।

‘‘ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ସୂଚନା ପାଇବା ଭାରତୀୟମାନେ ଗୁଗଲ ବ୍ୟବହାର କରି ଆସୁଛନ୍ତି। ଏଣୁ ଭାରତରେ ଡିଜିଟାଲ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଜିଓ ପ୍ଲାଟଫର୍ମରେ ଗୁଗଲ ନିବେଶ କରିବା ସ୍ୱାଗତଯୋଗ୍ୟ। ଏହାଦ୍ୱାରା ଲୋକମାନଙ୍କ ପାଖରେ ସହଜରେ ଇଣ୍ଟରନେଟ୍‌ ଉପଲବ୍ଧ ହୋଇପାରିବ। ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଡିଜିଟାଲ କ୍ଷେତ୍ର ନୂଆ ବାଟ ଫିଟାଇବ’’, କହିଛନ୍ତି ରିଲାଏନ୍ସ ଇଣ୍ଟଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି।

ବର୍ତ୍ତମାନ ଜିଓର ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୪.୩୬ ଲକ୍ଷ କୋଟି। ଗତ କିଛି ବର୍ଷ ହେଲା ବିଶ୍ୱର ପ୍ରମୁଖ କମ୍ପାନିମାନେ ଜିଓ ପ୍ଲାଟଫର୍ମରେ ନିବେଶ କରି ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ କମ୍ପାନି ଜିଓ ପ୍ଲାଟଫର୍ମରେ ୧ ଲକ୍ଷ ୫୨ ହଜାର ୫୬ କୋଟି ଟଙ୍କା ନିବେଶ କରିଛନ୍ତି।

ଭାରତରେ ଏବେ ୫୦ କୋଟିରୁ ଅଧିକ ଲୋକ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ଏଣୁ ଭାରତରେ ଡିଜିଟାଇଜେସନକୁ ଅଧିକ ସଶକ୍ତ କରିବା ପାଇଁ ଗୁଗଲ ଏବଂ ଜିଓ ମିଳିତ ଭାବେ ଉଦ୍ୟମ କରିବେ। ଭାରତର ସବୁ ଲୋକଙ୍କ ହାତରେ ସ୍ମାର୍ଟ ଫୋନ୍‌ ପହଞ୍ଚାଇବା ଲାଗି ଜିଓ ଲକ୍ଷ୍ୟ ରଖିଛି। ଏଥିପାଇଁ ଗୁଗଲ ଏବଂ ଜିଓ ମିଳିତ ଭାବେ ଏକ ଶସ୍ତା ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

‘‘ଭାରତରେ ଡିଜିଟାଲ ବିପ୍ଲବ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ଜିଓ ପକ୍ଷରୁ ଯେଉଁ ଉଦ୍ୟମ କରାଯାଉଛି ତାହା ସ୍ୱାଗତଯୋଗ୍ୟ। ଡିଜିଟାଲ ମାଧ୍ୟମରେ ସ୍ୱଚ୍ଛତା ଆଣିବା ପାଇଁ ଭାରତ ଯେଉଁ ପଦକ୍ଷେପ ନେଇଛି ତାହା ଆମମାନଙ୍କୁ ଆକର୍ଷିତ କରିଛି। ଜିଓ ପ୍ଲାଟଫର୍ମରେ ଆମେ ନିବେଶ କରୁଥିବାରୁ ବହୁତ ଖୁସି। ଭାରତର ସବୁ ବର୍ଗର ଲୋକଙ୍କୁ ସ୍ମାର୍ଟଫୋନ୍‌ ଦେବା ପାଇଁ ଆମର ଲକ୍ଷ୍ୟ ରହିଛି’’, କହିଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ।

ଏପଟେ ୫-ଜି ପାଇଁ ଜିଓ ପ୍ରସ୍ତୁତ ଥିବା ମୁକେଶ ଅମ୍ବାନି ସୂଚନା ଦେଇଛନ୍ତି। ୫-ଜି ସ୍ପେକ୍ଟ୍ରମ ଉପଲବ୍ଧ ହେଲେ ଜିଓ ଏହାକୁ ବଜାରକୁ ଛାଡ଼ିବ ବୋଲି ସେ କହିଛନ୍ତି। ଯୁବ ଇଞ୍ଜିନିୟରମାନଙ୍କ ପ୍ରଚେଷ୍ଟାରେ ଏବଂ ସ୍ୱଦେଶୀ ଜ୍ଞାନକୌଶଳ ବଳରେ ଜିଓ ୫-ଜି ପ୍ରସ୍ତୁତ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଜିଓ ୫-ଜିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତକୁ ଉତ୍ସର୍ଗୀକୃତ କରାଯାଇଥିବା ଅମ୍ବାନି କହିଛନ୍ତି।

Comment