ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଥିଲେ ବିଜୟ ମହାନ୍ତି। ତାଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି।

ନାୟକ, ଖଳନାୟକ, ହାସ୍ୟ ଅଭିନେତା ସବୁ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ବିଜୟ ମହାନ୍ତି। ତାଙ୍କର ନିଖୁଣ ଅଭିନୟ ପ୍ରତିଟି ଚରିତ୍ରକୁ କରିଥିଲା ଜୀବନ୍ତ। କୋଟି କୋଟି ଓଡ଼ିଆଙ୍କ ମନରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିବା ବିଜୟ ଆଉ ଆମ ଗହଣରେ ନାହାନ୍ତି। ତାଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି।

୧୯୫୦ରେ ଏପ୍ରିଲ ୮ରେ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁରେ ଜନ୍ମ ହୋଇଥିବା ବିଜୟ ଯେ ଦିନେ ଏତେ ବଡ଼ କଳାକାର ହୋଇ ବାହାରିବେ ତାହା କେହି କେବେ କଳ୍ପନା କରିନଥିଲେ। କିନ୍ତୁ ବିଜୟଙ୍କ ଭିତରେ ଥିବା ପ୍ରତିଭା ତାଙ୍କୁ ଜଣେ ସଫଳ କଳାକାର ଭାବେ ପ୍ରତିଷ୍ଠିତ କରାଇପାରିଲା।

ବିଜୟଙ୍କ ପିଲାବେଳେ ବାରପଦାରେ କଟିଥିଲା। ସେଠାରେ ଏମପିସି ହାଇସ୍କୁଲରେ ପଢ଼ିବା ବେଳେ ସେ ମଞ୍ଚ ନାଟକରେ ସାମିଲ ହୋଇଥିଲେ। ବି.ଏ ପାସ କରିବା ପରେ ସେ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାରେ ଅଭିନୟ ଶିକ୍ଷା କରିଥିଲେ।

ଅଭିନୟ ଯାତ୍ରା

୧୯୭୫ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଅବସ୍ଥାନ କରିବା ଦହ ଥିଏଟର କରି ଆସିଥିଲେ। ଓଡ଼ିଶା ଫେରିବା ପରେ ସେ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ୧୯୭୭ ମସିହାରେ ବିଜୟ ମହାନ୍ତି ‘ଚିଲିକା ତୀରେ’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ପ୍ରାରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟିକୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। କ୍ୟାରିୟର ଆରମ୍ଭରେ ତାଙ୍କ ଖଳନାୟକ ଭୂମିକା ମିଳିଥିଲା।

ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକା ଆଖି ସବୁ ଦେଖୁଛି, ଏକାଧିକ ଫିଲ୍ମରେ ତାଙ୍କର ପ୍ରଭାବଶାଳୀ ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା।

ଆରତୀ, ମମତା, ଏଇ ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ରାକ୍ଷୀ ଭିଜିଗଲା ଆଖି ଲୁହରେ, ଲକ୍ଷ୍ମଣ ରେଖା ପ୍ରଭୃତି ୧୮୦ରୁ ଅଧିକ ଫିଲ୍ମ କରିଛନ୍ତି ବିଜୟ। ଅଭିନୟ କରିବା ସହିତ ବିଜୟ ମହାନ୍ତି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ହେଉଛି ‘ଭୁଲି ହୁଏନା’।

୧୯୭୭ ମସିହା ଜାନୁଆରୀ ୧୪ତାରିଖରେ, ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ସେ ମଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଉଦ୍ୟମରେ ବାରିପଦାରେ ଯୁଗେଚ୍ଛା ନାମରେ ଏକ ନାଟ୍ୟଦଳ ଗଢ଼ି ଉଠିଥିଲା। ସେ ଦୂରଦର୍ଶନର ଆଶାର ଆଲୋକ, ଶ୍ରୀଜଗନ୍ନାଥ, ସୁଭଦ୍ରା, ସାରା ଆକାଶ, ସମୟ ଚକ, ସକାଳର ଅପେକ୍ଷାରେ, ନଦେଖିଲା  ଲୋକ ଦେଖ,  ମହାଯଜ୍ଞ, ବିଧାତାର ଖେଳ ପ୍ରଭୃତି ଧାରାବାହିକରେ ମଧ୍ୟ ସେ ଅଭିନୟ କରିଥିଲେ।CGU new

ପୁରସ୍କାର ଓ ସମ୍ମାନ

ଅଭିନୟ କ୍ଷେତ୍ରରେ ଅବଦାନ ପାଇଁ ୨୦୧୪ରେ ସେ ଜୟଦେବ ସମ୍ମାନ ପାଇଥିଲେ। ଏହାବ୍ୟତୀତ ସେ ୬ରୁ ଅଧିକ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, କଳା ସଂସ୍କୃତି କ୍ଷେତ୍ରକୁ  ଅବଦାନ ନିମେନ୍ତ ଜାତୀୟ ପୁରସ୍କାର, ଓଡ଼ିଶା ସିନେ କ୍ରିଟିକ ସମ୍ମାନ ଆଦିରେ ସେ ସମ୍ମାନିତ ହୋଇଛନ୍ତି।

ଅଭିନେତ୍ରୀ ତନ୍ଦ୍ରା ରାୟଙ୍କ ହାତ ଧରିଥିଲେ ବିଜୟ

ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିବାହ କରିଥିଲେ ବିଜୟ। ଦୁହେଁ ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତି ମଧ୍ୟ। ତାଙ୍କ ଯୋଡ଼ି ଓଲିଉଡରେ ଏକ ସଫଳ ଯୋଡ଼ି ଭାବେ ପରିଚୟ ସୃଷ୍ଟି କରିଥିଲା। ତାଙ୍କର ଏକମାତ୍ର କନ୍ୟା ଜସ୍ମିନ ଅଛନ୍ତି।

ରାଜନୀତିରେ ଭାଗ୍ୟ ପରୀକ୍ଷା

ଅଭିନୟ ବ୍ୟତୀତ ରାଜନୀତିରେ ମଧ୍ୟ ଭାଗ୍ୟ ପରୀକ୍ଷା କରିଥିଲେ ବିଜୟ। ୨୦୧୪ରେ  ସେକଂଗ୍ରେସରେ ଯୋଗ ଦେଇଥିଲେ। ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ଛିଡ଼ା ହୋଇଥିଲେ। ମାତ୍ର ଏଥିରେ ସେ ପରାଜିତ ହୋଇଥିଲେ। ଏହାପରେ ସେ ରାଜନୀତିରୁ ଦୂରେଇ ଯାଇ ପୁଣି ଅଭିନୟରେ ମନ ବଳାଇଥିଲେ।

ସୋମବାର ରାତିରେ ବିଜୟଙ୍କର ପରଲୋକ ଘଟିଥିଲା। ତାଙ୍କ ମୃତ୍ୟୁ ଖବରରେ ବହୁ ଓଡ଼ିଆ ସିନେପ୍ରେମୀ ଗଭୀର ମର୍ମାହତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Comment