ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ବିଜୟ ମହାନ୍ତିଙ୍କ ଶେଷକୃତ୍ୟ।

ଚିର ନିଦ୍ରାରେ ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ଗତକାଲି ରାତିରେ ଭୁବନେଶ୍ୱର କେୟାର ହସ୍ପିଟାଲରେ ଆଖି ବୁଜିଥିବା ବିଜୟଙ୍କୁ ଆଜି ବହୁ କଳାକାର, ବିଶିଷ୍ଟ ବ୍ୟକ୍ତି ଅଶ୍ରୁଳ ବିଦାୟ ଦେଇଛନ୍ତି। ବିଜୟଙ୍କୁ ବହୁ କଳାପ୍ରେମୀ, ସିନେ ଜଗତ ଝୁରୁଛି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ମାଇଲ ଖୁଣ୍ଟ ଭାବେ ପରିଚିତ ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ସମ୍ପନ୍ନ ସତ୍ୟନଗର ଶ୍ମଶାନରେ ଶେଷ ହୋଇଛି। ତାଙ୍କ ଜ୍ୱାଇଁ ମୁଖାଗ୍ନି ଦେଇଥିଲେ।

CGU newକେୟାର ହସ୍ପିଟାଲରୁ ବିଜୟଙ୍କ ମରଶରୀର ବମିଖାଲସ୍ଥିତ ବାସଭବନକୁ ପ୍ରଥମେ ଅଣାଯାଇଥିଲା। ଏଠାରେ ତାଙ୍କ ପରିବାରବର୍ଗ, ପ୍ରିୟଜନ, ଓଡ଼ିଆ ଫିଲ୍ମ, ନାଟକ ଓ ଯାତ୍ରା ଜଗତର ବହୁ କଳାକାର ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କ ପାର୍ଥିବ ଶରୀର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ଅଣାଯାଇଥିଲା। ଏଠାରେ ମଧ୍ୟ ବହୁ କଳାକାର, ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ତଥା ଅଭିନେତା ମୁନ୍ନା ଖାଁ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବହୁ କଳାକାର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ବିଜୟଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। କରୋନା କଟକଣା ଭିତରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Comment