ଓଡିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବାପାଙ୍କ ଆଖି ଆଗରେ ପୁଅକୁ ଝାମ୍ପିନେଲା କୁମ୍ଭୀର। ବାପା ଥିଲେ ନାଚାର। ଯେତେ ଚିତ୍କାର କଲେ ବି ପୁଅ ରୁଦ୍ରପ୍ରତାପ ବେଉରିଆ(୧୬)ଙ୍କୁ କୁମ୍ଭୀର ଛାଡ଼ିଲାନି। ଚାହୁଁ ଚାହୁଁ ଚାଲିଗଲା ପୁଅର ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ବରୁଣା ପଞ୍ଚାୟତର ପାରିମୁକୁନ୍ଦପୁର ଗାଁରେ।

ରବିବାର ପାରିମୁକୁନ୍ଦପୁର ଗାଁର ଭୋଳାନାଥ ବେଉରିଆ ଓ ତାଙ୍କ ପୁଅ ରୁଦ୍ରପ୍ରତାପ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ରୁଦ୍ରଙ୍କ ସହିତ ତାଙ୍କ ଗାଁର ୪ ଜଣ ପିଲା ନଦୀରେ ଗାଧୋଉଥିଲେ। ବାପା ଭୋଳାନାଥ ନଦୀ ତୁଠରେ ବସିଥିଲେ । ଏହି ସମୟରେ ଏକ ବିଶାଳ କୁମ୍ଭୀର ରୁଦ୍ରଙ୍କୁ ଟାଣି ନେଇଥିଲା। ପାଖରେ ଗାଧୋଉଥିବା ସେହି ଗାଁର ଲିପନ ବେହେରା ରୁଦ୍ରଙ୍କୁ ଟାଣି ଆଣିବାକୁ ଚେଷ୍ଟା କରିବା ବେଳେ କୁମ୍ଭୀର ଲାଞ୍ଜରେ ଲିପନଙ୍କୁ ଆହତ କରି ରୁଦ୍ରଙ୍କୁ ନେଇ ପଳାଇଥିଲା। ପୁଅକୁ କୁମ୍ଭୀର ଟାଣି ନେଇଯିବା ଦେଖି ନଦୀ ତୁଠରେ ବସିଥିବା ରୁଦ୍ରଙ୍କ ବାପା ଭୋଳାନାଥ ଚିତ୍କାର କରୁଥିଲେ ମଧ୍ୟ କୁମ୍ଭୀର ଛାଡ଼ିନଥିଲା । ଖବର ପାଇ ଗ୍ରାମବାସୀ ଏବଂ ଅଗ୍ନିଶମବାହିନୀ ରୁଦ୍ରଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ।ତେବେ ରାତି ପ୍ରାୟ ୭ଟା ୩୫ ମିନିଟ ସମୟରେ କନିକା ବନବିଭାଗ ଗଡ଼ଗଡ଼ି ପୋଲ ନିକଟରୁ ରୁଦ୍ରଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି। କୁମ୍ଭୀର ରୁଦ୍ରଙ୍କୁ ଖାଉଥିବା ବେଳେ କୁମ୍ଭୀରକୁ ଡଙ୍ଗା କାତରେ ପିଟିପିଟି ରୁଦ୍ରଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ବୋଲି କନିକା ରେଞ୍ଜ୍‌ର ଫରେଷ୍ଟର ପ୍ରଶାନ୍ତ କୁମାର ସିଂହ ସୂଚନା ଦେଇଛନ୍ତି। ରୁଦ୍ରଙ୍କର ବାମଗୋଡ଼ ଓ ଡାହାଣ ହାତକୁ କୁମ୍ଭୀର ଖାଇଦେଇଛି।
ବନବିଭାଗ ରୁଦ୍ରଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଆଜି ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ କରାଯିବ। ରୁଦ୍ର ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ।

ଏହି ଜୁଲାଇ ମାସରେ କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଦୁଇଜଣଙ୍କର ଜୀବନ ଗଲାଣି। ଗତ ୭ ତାରିଖରେ ରାଜନଗର ଥାନା ସାତଭାୟା ଗାଁର ରଞ୍ଜନ ମହାନ୍ତି ନାମକ ଜଣେ ଯୁବକ ବାଉଁଶଗଡ଼ ନଦୀରେ ମଇଁଷି ପହଁରାଇ କୂଳରେ ଠିଆ ହୋଇଥିବା ବେଳେ କୁମ୍ଭୀର ରଞ୍ଜନକୁ ଝାମ୍ପି ନେଇଥିଲା।କୁମ୍ଭୀରପ୍ରବଣ ଏସବୁ ନଦୀକୁ ବ୍ୟବହାର ନକରିବାପାଇଁ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଲୋକେ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ଏମିତି ଅଘଟଣ ଘଟୁଛି। ଏହାଛଡ଼ା ଏଭଳି ନଦୀଗୁଡ଼ିକର ଗାଧୁଆ ଘାଟ ନିକଟରେ ତାରବାଡ଼ ଦେବାକୁ ବନବିଭାଗର ବ୍ୟବସ୍ଥା ଥିବା ବେଳେ ଏହି ଗାଧୁଆ ଘାଟରେ ତାରବାଡ଼ ଦିଆଯାଇନଥିଲା। ଯଦି ତାରବାଡ଼ ଦିଆଯାଇଥାନ୍ତା ଏମିତି ଅଘଟଣ ଘଟିନଥାନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Comment