ଓଡିଶାଲାଇଭ୍ ବ୍ୟୁରୋ

ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଉତ୍ତେଜନା କମ୍ କରିବା ପାଇଁ ଆଜି ପୁଣି ଭାରତ ଓ ଚୀନ ମଧ୍ୟରେ ଆଲୋଚନା ହେବ। ଚୀନ ପଟ ମୋଲ୍‌ଡୋରେ ପଞ୍ଚମ କୋର କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଫିଙ୍ଗର ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଏହି ବୈଠକରେ ଦାବି ରଖିବ ବୋଲି ସୂଚନା ମିଳିଛି।

ଚୀନ ପକ୍ଷରୁ ସମସ୍ତ ବିବାଦୀୟ ଅଞ୍ଚଳରୁ ସୈନ୍ୟ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଚୀନ ଦାବି କରୁଛି। କିନ୍ତୁ ଭାରତର କହିବା କଥା ହେଉଛି ପୈଂଗୌନ୍ଗ ଏବଂ ଗୋଗରା ଅଞ୍ଚଳରୁ ଚୀନ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିନାହିଁ।

ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ବାଂଗ ଓ୍ଵେନବିନ ବେଜିଂରେ କହିଥିଲେ ଯେ ତିନିଟି ପଏଣ୍ଟରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିନେଇଛି। କିନ୍ତୁ ପୈଂଗୌନ୍ଗ ଓ ଗୋଗରା ଅଞ୍ଚଳର ଉଭୟ ପାର୍ଶ୍ଵରେ ଏବେ ବି ସୈନ୍ୟ ମହଜୁଦ ଥିବା ସୂଚନା ମିଳିଛି।ବାସ୍ତବରେ, ଚୀନ ପୈଂଗୌନ୍ଗର ଫିଙ୍ଗର ୫ ଓ ୮ରେ ନିଜର ସ୍ଥିତି ଦୃଢ଼ କରିସାରିଛି। ଚୀନ ସେନା ସେଠାରୁ ପଛକୁ ଯାଉନାହାନ୍ତି। ଫିଙ୍ଗର ଅଞ୍ଚଳରେ କୌଣସି ପରିବର୍ତ୍ତନ ଆସିନାହିଁ। ପେଟ୍ରୋଲିଂ ପଏଣ୍ଟ ୧୭ ଏ ଅନ୍ତର୍ଗତ ପୈଂଗୌନ୍ଗ ହ୍ରଦ ଏବଂ ହଟ୍‌ସ୍ପ୍ରିଙ୍ଗ ଅଞ୍ଚଳରେ ଏବେ ବି ଅସ୍ଥିରତା ଲାଗି ରହିଛି। ଫିଙ୍ଗର ୫ ଓ ୬ ଅଞ୍ଚଳରେ ଚୀନ ଲଗାତାର ଭାବେ ସୈନ୍ୟବାହିନୀ ବୃଦ୍ଧି କରୁଥିବା ଜଣାପଡ଼ିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ ସେନା ଫିଙ୍ଗର ୮ ଏବଂ ୪ ଅଞ୍ଚଳରେ ସ୍ଥାପିତ ଶିବିରକୁ ହଟାଇବା ନେଇ କୌଣସି ସଙ୍କେତ ଦେଇନାହିଁ। ନଦୀ କୂଳରେ ଉଭୟ ସେନା ମଧ୍ୟରେ ୪-୫ କିଲୋମିଟର ଦୂରତା ଥିବା ବେଳେ ପୈଂଗୌନ୍ଗ ହ୍ରଦ ନିକଟବର୍ତ୍ତୀ ପାହାଡ ନିକଟରେ ଉଭୟ ଦେଶର ସେନାବାହିନୀ ପରସ୍ପରଠାରୁ ୧ କିଲୋମିଟର ଦୂରରେ ରହିଛି।ଗଲଓ୍ଵାନ ଘାଟିରେ ସଂଘର୍ଷ ପରେ ଉଭୟ ସେନା ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଚାରି ଥର କୋର କମାଣ୍ଡର ସ୍ତରୀୟ ବୈଠକ ହୋଇସାରିଛି। ଚୀନ ପଟ ମୋଲ୍‌ଡୋରେ ଦୁଇ ଥର ଏବଂ ଭାରତ ପଟ ଚୁଶୁଲରେ ଦୁଇ ଥର ଏହି ବୈଠକ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।

Comment