ଓଡ଼ିଶାଲାଇଭ ବ୍ୟୁରୋ

ରାସାୟନିକ ସାର, ରୋଗ ଓ ପୋକ ମରା ଔଷଧ ବ୍ୟବହାର ନକରି, ପ୍ରାକୃତିକ ଉପାୟରେ ଫସଲ ଚାଷ କରିବାକୁ ଜୈବିକ ଚାଷ କୁହାଯାଏ। ବରଗଡ଼ରେ ବିଭିନ୍ନ ହାଟରେ ଏହି ପଦ୍ଧତିରେ ଚାଷ ହେଉଥିବା ପନିପରିବା ମିଳେ।

ବରଗଡ଼ର ଜୈବିକ ହାଟ। ସାରା ରାଜ୍ୟରେ ରହିଛି ଏହାର ଖ୍ୟାତି। ତେବେ ଏହି ହାଟର ନାଁ ଜୈବିକ ହାଟ ହେବାର କାରଣ ହେଉଛି ଏହି ହାଟରେ ମିଳୁଥିବା ସମସ୍ତ ପନିପରିବା ଜୈବିକ ପଦ୍ଧତିରେ ଉତ୍ପାଦିତ ହୋଇଥାଏ। ସହରର ଅନ୍ୟ କିଛି ସ୍ଥାନରେ ମଧ୍ୟ ଏହିଭଳି ସାପ୍ତାହିକ ହାଟ ବସିଥାଏ।

‘‘ପ୍ରଥମେ ପ୍ରଥମେ ଲୋକ ବିଶ୍ୱାସ କରୁନଥିଲେ ଯେ ଏହି ପରିବା ସମ୍ପୂର୍ଣ୍ଣ ଜୈବିକ ଉପାୟରେ ଉତ୍ପାଦିତ ହୋଇଛି। ଏଥିରେ କୌଣସି ରାସାୟନିକ କୀଟନାଶକ ବା ସାର ପ୍ରୟୋଗ ହୋଇନାହିଁ। ଧୀରେ ଧୀରେ ଏବେ କିନ୍ତୁ ଲୋକଙ୍କ ଆଦର ବଢ଼ିଛି’’, କହିଛନ୍ତି ବରଗଡ଼ର ଜଣେ ଚାଷୀ ପୁଷ୍ପରଞ୍ଜନ ସାହୁ।

ଏହି ଜୈବକ ହାଟକୁ ବରଗଡ଼ ସହର ଉପକଣ୍ଠରୁ ଚାଷୀମାନେ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅଗ୍ରଣୀ ଯୁବ ଚାଷୀ ହେଉଛନ୍ତି ଶ୍ୟାମଘନ ପ୍ରଧାନ। ବୟସ ମାତ୍ର ୩୦। ଯୁକ୍ତ ୨ ଯାଏଁ ପାଠ ପଢ଼ିଥିବା ଶ୍ୟାମଘନ ଜୈବିକ କୃଷିରେ ମାତିଛନ୍ତି। ସେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି। ସେ ୮ ଏକର ଜମିରେ ଜୈବିକ ଚାଷ କରୁଛନ୍ତି। ୪ ଏକର ଜମିରେ ଧାନ ବାକି ୪ ଏକରରେ ମକା ଓ ଅନ୍ୟ ପନିପରିବା ଚାଷ କରୁଛନ୍ତି। କୌଣସି ସାର ଓ କୀଟନାଶକର ବ୍ୟବହାର କରୁନାହାନ୍ତି ସେ।

ଜୈବିକ ଚାଷ ପାଇଁ ସେ ଗୋବର ଖର, ଗୋମୂତ୍ର, ଜିଆ ଖତ, ଦହି, ବେସନ, ନିମ୍ବ ଓ ଲଙ୍କା ଆଦି ପତ୍ରକୁ ଚାଷରେ ପ୍ରୟୋଗ କରୁଛନ୍ତି। ଏହି ସବୁ ପ୍ରୟୋଗ ଦ୍ୱାରା ମାଟିର ଉର୍ବରତା ବଢ଼ିବା ସହ ଉପକାରୀ କୀଟଙ୍କ ବଂଶ ବୃଦ୍ଧି ହୋଇଥାଏ।

ତାଙ୍କ ଚାଷରୁ ବର୍ଷକୁ ଏକର ପ୍ରତି ହାରାହାରି ୫୦ ହଜାର ଟଙ୍କା ଲାଭ ହେଉଛି। କେବଳ ଏତିକି ନୁହେଁ ଶ୍ୟାମଘନ ନିଜେ ପ୍ରସ୍ତୁତ କରୁଥିବା ଜୀବାମୃତ୍ୟୁ ଓ ଅମୃତଜଳ ଆଦି ଅନ୍ୟ ଚାଷୀଙ୍କୁ ବିକ୍ରି କରୁଛନ୍ତି। ଫଳରେ ସେମାନେ ବି ଜୈବିକ କୃଷି ପ୍ରତି ଆକୃଷ୍ଟ ହେଉଛନ୍ତି। ତେବେ ଜୈବିକ ଚାଷ ସାରାଦେଶରେ ଏବେ କ୍ରାନ୍ତି ସୃଷ୍ଟି କରିଛି। ଶ୍ୟାମଘନଙ୍କ ଜୈବିକ ଚାଷର ଅବଦାନ ସମସ୍ତଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି।

Comment