ଓଡିଶାଲାଇଭ୍ ବ୍ୟୁରୋ

କୋଭିଡ୍ ସମୟରେ ବିଶୁଦ୍ଧ ଜଳ, ପରିମଳ ଏବଂ ସ୍ଵଚ୍ଛତା କ୍ଷେତ୍ରରେ ଓଡ଼ିଶା ସରକାର ଏବଂ ୟୁନିସେଫ୍ ମିଳିତ ଭାବେ କେଉଁ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି, କରୋନାରୁ ସୁରକ୍ଷିତ ରହିବା ପାଇଁ କରିବା ଆବଶ୍ୟକ? ସେ ସମ୍ପର୍କରେ କହୁଛନ୍ତି ୟୁନିସେଫ୍ ଓଡ଼ିଶାର ଜଳ, ପରିମଳ ପରିଚ୍ଛନ୍ନତା ବିଶେଷଜ୍ଞ ସିପ୍ରା ସକ୍ସେନା

କରୋନା ମୁକାବିଲାରେ ଜଳ, ପରିମଳ ଓ ପରିଚ୍ଛନ୍ନତା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ ପାଇଁ ଆମ ପରିବେଶ ପରିଷ୍କାର ରହୁଛି। ଏହି କର୍ମଚୀରୀମାନେ କରୋନା ଯୋଦ୍ଧାଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି ବୋଲି କହିଛନ୍ତି ୟୁନିସେଫ୍ ଓଡ଼ିଶାର ଜଳ, ପରିମଳ ଓ ପରିଚ୍ଛନ୍ନତା ବିଶେଷଜ୍ଞ ସିପ୍ରା ସକ୍ସେନା।

ଓଡ଼ିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ରେ ଭାଗ ନେଇ କରୋନା ସମୟରେ କିଭଳି ସ୍ଵଚ୍ଛତା ଅବଲମ୍ବନ କରିବା ସେ ସମ୍ପର୍କରେ ସିପ୍ରା କହିଛନ୍ତି।

କୋଭିଡ୍ ସମୟରେ ପରିଚ୍ଛନ୍ନତା ନିହାତି ଜରୁରୀ

କରୋନା ସମୟରେ ପରିଷ୍କାର ପରିଚ୍ଛନ୍ନତା ଉପରେ ସିପ୍ରା ଗୁରୁତ୍ଵ ଦେଇଛନ୍ତି। ସେ କହିଛନ୍ତି, “କରୋନା ଜଳକଣା ମାଧ୍ୟମରେ ସଂକ୍ରମିତ ହୋଇଥାଏ। ଯଦି ଆପଣ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରନ୍ତି ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଅନ୍ତି ତେବେ ତାହା ଆପଣଙ୍କୁ ଏହି ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ତେଣୁ ଆମେ ଏହି ରୋଗରୁ କିପରି ରକ୍ଷା ପାଇବା ସେ ବିଷୟରେ ଜାଣିବା ନିହାତି ଜରୁରୀ।”ସରକାରଙ୍କ ପକ୍ଷରୁ ଟିଏମ୍‌ସିରେ ସବୁ ପ୍ରକାର ସୁବିଧା କରାଯାଇଛି

ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସିପ୍ରା କହିଛନ୍ତି। “ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ପ୍ରତିଷ୍ଠା କରାଯାଇଛି। ସେହି ଅସ୍ଥାୟୀ ଶିବିରଗୁଡ଼ିକରେ ଲୋକମାନେ ଯେପରି ଆରାମରେ ରହିପାରିବେ ସେଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏହି ଶିବିରଗୁଡ଼ିକରେ ସରକାର ବିଶୁଦ୍ଧ ପାନୀୟ ଜଳ, ମହିଳା ଓ ପୁରୁଷଙ୍କ ପାଇଁ ପୃଥକ୍ ଶୌଚାଳୟ ଆଦିର ବ୍ୟବସ୍ଥା କରିଛନ୍ତି। ସେମାନେ କ୍ଵାରେଣ୍ଟାଇନ ସମୟକୁ ଯେପରି ଆରାମରେ କାଟିପାରିବେ ସେଥିପାଇଁ ସରକାର ସମସ୍ତ ସୁବିଧା ପ୍ରଦାନ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ସହ ମିଶି ୟୁନିସେଫ୍ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭେଇଛି”, ସେ କହିଛନ୍ତି।

ୟୁନିସେଫ୍ ପକ୍ଷରୁ ଟିଏମ୍‌ସି କର୍ମଚାରୀଙ୍କୁ ତାଲିମ ଦିଆଯାଇଛି

ଟିଏମ୍‌ସିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ୟୁନିସେଫ୍ ତାଲିମ ଦେବାର ବ୍ୟବସ୍ଥା କରିଛି। ଏ ସମ୍ପର୍କରେ ସିପ୍ରା କହିଛନ୍ତି, “ଟିଏମ୍‌ସିରେ କାମ କରୁଥିବା ସରପଞ୍ଚ, ଜିପିଓ ନୋଡାଲ ଅଫିସର, ତୃଣମୃଳ ସ୍ତରରେ କାମ କରୁଥିବା ଆଶା, ଅଙ୍ଗନବାଡ଼ି, ସ୍ଵେଚ୍ଛାସେବୀ ଆଦିଙ୍କୁ ସଂକ୍ରମଣ, ପ୍ରତିକାର ଏବଂ ନିୟନ୍ତ୍ରଣ ଉପରେ ତାଲିମ ଦିଆଯାଇଛି।”

ୟୁନିସେଫ୍ ଯୋଗାଯୋଗ ସାମଗ୍ରୀ ପ୍ରସ୍ତୁତ କରିଛି

ଲୋକମାନଙ୍କ ପାଖରେ କରୋନା ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ୟୁନିସେଫ୍ ଯୋଗାଯୋଗ ସାମଗ୍ରୀ ପ୍ରସ୍ତୁତ କରିଛି। ଏନ୍‌ଜିଓ ମାଧ୍ୟମରେ ଅନେକ ଲୋକଙ୍କ ପାଖରେ ବାରମ୍ବାର ସଚେତନତା ବାର୍ତ୍ତା ପହଞ୍ଚାଇଛି। ସ୍ଥାନୀୟ ସ୍ଵେଚ୍ଛାସେବୀ ସଙ୍ଗଠନଗୁଡ଼ିକ ଆମକୁ ଏହି କାମରେ ବହୁତ ସାହାଯ୍ୟ କରିଛନ୍ତି କହିବା ସହ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ସିପ୍ରା।ନିୟମିତ ହାତ ଧୋଇବା ଜରୁରୀ

କରୋନାରୁ ସୁରକ୍ଷା ପାଇଁ ସେ ହାତ ଧୋଇବା ଉପରେ ଗୁରୁତ୍ଵ ଦେଇଛନ୍ତି। ସେ କହିଛନ୍ତି, “କରୋନା ଭୂତାଣୁ ଆମ ହାତ ମାଧ୍ୟମରେ ଆମ ପାଟି ଓ ନାକ ଭିତରକୁ ଯିବା ସହ ଆଖି ଦ୍ଵାରା ମଧ୍ୟ ଶରୀର ଭିତରକୁ ଯାଇପାରେ। ତେଣୁ ସଂକ୍ରମଣ କମ୍ କରିବା ପାଇଁ ଆମେ କୌଣସି ଜିନିଷକୁ ଯଥାସମ୍ଭବ କମ୍ ସ୍ପର୍ଶ କରିବା ଉଚିତ। ଏଥିସହ ନିୟମିତ ହାତ ଧୋଇବା ଜରୁରୀ।”

ହାତ ଧୋଇବା ଶୈଳୀକୁ ନେଇ ଡିଜାଇନ୍ ପ୍ରସ୍ତୁତ କରିଛି ୟୁନିସେଫ୍

ୟୁନିସେଫ୍ ହାତ ଧୋଇବା ଶୈଳୀକୁ ନେଇ ଅନେକ ଡିଜାଇନ୍ ପ୍ରସ୍ତୁତ କରିଛି। ସେ କହିଛନ୍ତି, “ଏହି ଡିଜାଇନ୍‌ଗୁଡ଼ିକୁ ସରକାରଙ୍କ ସମେତ ଆପଣଙ୍କ ପାଖରେ ପହଞ୍ଚାଇବାକୁ ୟୁନିସେଫ୍ ପ୍ରୟାସ କରିଛି। କିଛି ଏନ୍‌ଜିଓ ସହିତ ମିଶି ଆମେ ଏହି ଡିଜାଇନ୍‌ଗୁଡ଼ିକୁ ପ୍ରଦର୍ଶନ ମଧ୍ୟ କରିଛୁ। ସରକାରଙ୍କ ସହ ମିଶି ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଆମେ ଚେଷ୍ଟା କରୁଛୁ। ଯାହାଫଳରେ ଆମେ ଏହି ହାତ ଧୁଆ ପ୍ରଣାଳୀ ମାଧ୍ୟମରେ ସଂକ୍ରମଣକୁ କମ୍ କରିପାରିବା।”

ଜଳ, ପରିମଳ ଓ ସ୍ଵଚ୍ଛତା ବହୁତ ଗୁରୁତ୍ଵପୂର୍ଣ୍ଣ

କରୋନା ସମୟରେ ଜଳ, ପରିମଳ ଓ ପରିଚ୍ଛନ୍ନତା ବହୁତ ଗୁରୁତ୍ଵପୂର୍ଣ୍ଣ ଏବଂ ଜରୁରୀ। କରୋନା ସଂକ୍ରମଣକୁ ପ୍ରତିହତ କରିବା କ୍ଷେତ୍ରରେ ଏହି ତିନିଟି ଜିନିଷ ନିହାତି ଦରକାର। ଏ ବାବଦରେ ସିପ୍ରା କହିଛନ୍ତି, “ଜଳ, ପରିମଳ ଓ ସ୍ଵଚ୍ଛତା ଆମ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଆମକୁ ବିଶୁଦ୍ଧ ଜଳ, ସ୍ଵଚ୍ଛ ଶୌଚାଳୟ ନ ମିଳିବ କିମ୍ବା ଆମେ ପରିଷ୍କାର ପରିଚ୍ଛନ୍ନ ନ ରହିବା ତେବେ ତାହା ଅନେକ ରୋଗର ମୂଳ କାରଣ ହୋଇଥାଏ। କରୋନା ସମୟରେ ଏହାର ଗୁରୁତ୍ଵ ଆହୁରି ବଢ଼ିଯାଇଛି। କାରଣ ସଫାସୁତୁରା ରହିବା ଦ୍ଵାରା ହିଁ ପ୍ରତିକାରର ରାସ୍ତା ମିଳିଥାଏ। ଆମେ ଆମ ହାତକୁ ସଫା ରଖିବା, ନିଜକୁ ସଫା ରଖିବା, ନିଜ ଆଖପାଖ ପରିବେଶକୁ ସଫା ରଖିବା ଦ୍ଵାରା ଭୂତାଣୁଗୁଡ଼ିକ ଦୂରେଇ ରହିଥାନ୍ତି।”

କେଉଁ ଦିଗ ପ୍ରତି ଧ୍ୟାନ ଦେବେ

ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ କେତୋଟି ମୁଖ୍ୟ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ। ଏ ବିଷୟରେ ସିପ୍ରା କହିଛନ୍ତି, “ସବୁ ଲୋକଙ୍କ ପାଇଁ ଜଳ ଓ ଶୌଚାଳୟର ସୁବିଧା ଉପଲବ୍ଧ ହେବା ଦରକାର। ଦ୍ଵିତୀୟରେ ଏଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦରକାର। ତୃତୀୟରେ ଆଚରଣଗତ ପରିବର୍ତ୍ତନ ଜରୁରୀ। ଏଥିପାଇଁ ଯେଉଁ ସୁବିଧା ଅଛି ତାହା କାର୍ଯ୍ୟକ୍ଷମ ମଧ୍ୟ ହେଉଛି। ଲୋକମାନେ ଏହାକୁ ବ୍ୟବହାର କରିବା ଦରକାର। ଚତୁର୍ଥରେ ଏହି ସୁବିଧାଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ ଠିକ୍ ଭାବରେ ହେବା ଜରୁରୀ। ଯାହାଫଳରେ ଲୋକମାନେ ଏଗୁଡ଼ିକୁ ବ୍ୟବହାର କରିପାରିବେ। ଏହି ୪ଟି ବିନ୍ଦୁକୁ ‘ଓ୍ଵାସ୍ ପ୍ୟାକେଜ’ କୁହାଯାଉଛି। ଏହି ପ୍ୟାକେଜ୍‌ କିପରି ସଠିକ୍ ଭାବରେ କାର୍ଯ୍ୟକ୍ଷମ ହେବ ସେଥିପାଇଁ ସରକାର, କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି।କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment