ଓଡିଶାଲାଇଭ୍ ବ୍ୟୁରୋ

କୋଭିଡ୍ ମୁକାବିଲାରେ ଘରୋଇ ଉଦ୍ୟୋଗଗୁଡ଼ିକର ଭୂମିକା, ସରକାରଙ୍କ ସହ ମିଶି ଘରୋଇ ଉଦ୍ୟୋଗଗୁଡ଼ିକ କେଉଁ ସବୁ ପଦକ୍ଷେପ ନେଇଛନ୍ତି, ଓଡ଼ିଶାର ଘରୋଇ କ୍ଷେତ୍ର ସହ ମିଶି ୟୁନିସେଫ୍ କରୋନା ମୁକାବିଲା ପାଇଁ କିପରି ଆଗ୍ରହୀ ଅଛି? ସେ ସମ୍ପର୍କରେ କହୁଛନ୍ତି ୟୁନିସେଫ୍ ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍।

କରୋନା ମୁକାବିଲା କରିବା ପାଇଁ ଘରୋଇ ଉଦ୍ୟୋଗଗୁଡ଼ିକ କର୍ପୋରେଟ୍ ସାମାଜିକ ଦାୟିତ୍ଵ ପାଣ୍ଠି ଜରିଆରେ ସହାୟତା ପ୍ରଦାନ କରୁଛନ୍ତି। ଏଥିସହ ପରିବେଶ ପ୍ରତି ସମ୍ବେଦନଶୀଳ ତଥା ସାମାଜିକ ମଙ୍ଗଳଧର୍ମୀ ବିଭିନ୍ନ ଦାୟିତ୍ଵମୂଳକ ବ୍ୟବସାୟ ଜରିଆରେ ସେମାନେ ସହାୟତା ପ୍ରଦାନ କରୁଛନ୍ତି। କୋଭିଡ୍ ମୁକାବିଲାରେ ଘରୋଇ ଉଦ୍ୟୋଗଗୁଡ଼ିକର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ମୋନିକା ନେଲସନ୍ କହିଛନ୍ତି।

ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ରେ ଭାଗ ନେଇ ମୋନିକା ଏ ସମ୍ପର୍କରେ କହିଛନ୍ତି।

ଘରୋଇ ଉଦ୍ୟୋଗଗୁଡ଼ିକ ସରକାରଙ୍କୁ ସହଯୋଗ କରିବା ଦରକାର

କୋଭିଡ୍-୧୯ ସମୟରେ ଘରୋଇ ଉଦ୍ୟୋଗଗୁଡ଼ିକ ଗୁରୁତ୍ଵପୂର୍ଣ୍ଣ ତଥା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, “ବର୍ତ୍ତମାନର ଆବଶ୍ୟକତା ତଥା ମହାମାରୀ ପରବର୍ତ୍ତୀ ଅବସ୍ଥା ପାଇଁ ଘରୋଇ କ୍ଷେତ୍ରଗୁଡ଼ିକର ସହଯୋଗ ଆବଶ୍ୟକ।”

ଲୋକଙ୍କ ସୁବିଧା ପାଇଁ ଓଡ଼ିଶାରେ ଅନେକ ସ୍କୁଲ, ହସ୍ପିଟାଲ ଆଦି ଘରୋଇ ଉଦ୍ୟୋଗ ଦ୍ଵାରା ନିର୍ମିତ ହୋଇଛି। ରାଜ୍ୟ ସରକାରଙ୍କ ସହଭାଗିତାରେ ଘରୋଇ ଉଦ୍ୟୋଗଗୁଡ଼ିକ ଜନକଲ୍ୟାଣ ଦିଗରେ କାର୍ଯ୍ୟ କରିପାରିବେ ବୋଲି ମୋନିକା କହିଛନ୍ତି।ୟୁନିସେଫ୍ ଘରୋଇ ଉଦ୍ୟୋଗଗୁଡ଼ିକୁ ସହାୟତା ପ୍ରଦାନ କରୁଛି

ସାରା ବିଶ୍ଵ ସମେତ ଭାରତରେ ଥିବା ଘରୋଇ ଉଦ୍ୟୋଗଗୁଡ଼ିକୁ ସହାୟତାର ହାତ ବଢ଼ାଇଛି। ଭାରତରେ ଫିକି ସହ ମିଶି ୟୁନିସେଫ୍ ଅସୁରକ୍ଷିତ ବର୍ଗ ଏବଂ ପିଲାମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରୁଛି।

ୟୁନିସେଫ୍ ଓଡ଼ିଶାର ଘରୋଇ ଉଦ୍ୟୋଗ ସହ ମିଶି କାମ କରିବାକୁ ଚାହୁଁଛି

ୟୁନିସେଫ୍ ଓଡ଼ିଶାର ଘରୋଇ ଉଦ୍ୟୋଗ ସହ ମିଶି କାମ କରିବାକୁ ଆଗ୍ରହୀ ଅଛି ବୋଲି ମୋନିକା କହିଛନ୍ତି। “କରୋନା ମୁକାବିଲାରେ ସହଯୋଗ ପାଇଁ ୟୁନିସେଫ୍ ଘରୋଇ ଉଦ୍ୟୋଗଗୁଡ଼ିକୁ ଆମନ୍ତ୍ରଣ କରୁଛି। ଆମେ ଆପଣଙ୍କ ଆଇଡିଆକୁ ସ୍ଵାଗତ କରୁଛୁ ଏବଂ ରାଜ୍ୟରେ ଯେକୌଣସି ଘରୋଇ କ୍ଷେତ୍ର ସହ ସହଭାଗିତାକୁ ସ୍ଵାଗତ କରୁଛୁ”, ମୋନିକା କହିଛନ୍ତି।କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment