ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଦଲଫଟା ବର୍ଷାରେ ଉବୁଟୁବୁ ହେଲା ମାୟାନଗରୀ ମୁମ୍ବାଇ। ସହରର ମୁଖ୍ୟ ରାସ୍ତା, ଗଳି ରାସ୍ତାରେ ଅଣ୍ଟାଏ ଲେଖାଏଁ ପାଣିର ସୁଅ ଛୁଟୁଥିବା ବେଳେ ଘରେ ବି ବର୍ଷା ପାଣି ଲହଡ଼ି ଭାଙ୍ଗିଥିଲା। ବର୍ଷ ଯୋଗୁଁ ବସ୍‌, ଟ୍ରେନ୍‌ ଏବଂ ବିମାନସେବା ପ୍ରଭାବିତ ହୋଇଛି। ଗୋଟିଏପଟେ କରୋନା ମହାମାରୀ ମୁମ୍ବାଇର ସ୍ଥିତିକୁ ବେହାଲ କରିଦେଇଥିବା ବେଳେ ବର୍ଷା ଦୁର୍ଦ୍ଦଶା ଆହୁରି ବଳି ଯାଇଛି। ପବନ ମଧ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।

ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୁସ୍ଖଲନ ହୋଇଛି। ନିର୍ମାଣାଧୀନ ପାଚେରୀ ଭୁଶୁଡ଼ି ପଡ଼ିବା ସହ ଗଛ ମଧ୍ୟ ଉପୁଡ଼ି ପଡ଼ିଥିଲା। ଦକ୍ଷିଣ ମୁମ୍ବାଇର କୋଲାବା ଅଞ୍ଚଳରେ ହୋଇଥିବା ବର୍ଷା ୪୬ ବର୍ଷର ରେକର୍ଡ ଭାଙ୍ଗିଥିଲା। ଗତକାଲି ଏଠାରେ ୩୩୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।

ବର୍ଷା ବିତ୍ପାତ ଯୋଗୁଁ ସବୁ ଅଫିସ୍‌ ବନ୍ଦ ରହିଥିଲା। କେବଳ ଜରୁରୀକାଳୀନ ଅଫିସ୍‌ ଖୋଲା ରହିଥିଲା। ଲୋକଙ୍କ ଘର ଭିତରେ ପାଣି ପଶିଯିବାରୁ ନାହିଁ ନଥିବା ଅସୁବିଧା ଦେଖାଦେଇଥିଲା।

କୋଲାବାରେ ଗତ ୨୪ ଘଣ୍ଟାରେ ୩୩୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ୧୯୭୪ ପରେ ଏମିତି ବର୍ଷା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ସାନ୍ତାକ୍ରୁଜରେ ବି ୧୬୨.୩ ମିଏିମିଟର ବର୍ଷା ରେକର୍ଡ କରାଯାଇଛି।

ବୁଧବାର ଦିନ ରେଳ ଧାରଣାରେ ପାଣି ମାଡ଼ିଯିବାରୁ ଦୁଇଟି ଟ୍ରେନ ଫସି ଯାଇଥିଲା। ୨୦୦ରୁ ଅଧିକ ଲୋକ ପାଣିଘେରରେ ରହିଥିଲେ। ଏନଡିଆର୍‌ଏଫ୍‌ ଟିମ୍‌ ସେମାନଙ୍କୁ ଉଦ୍ଧାର କରିଥିଲେ। ବର୍ଷା ଯୋଗୁଁ ପଞ୍ଚଗଙ୍ଗା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ୯ଟି ରାଜ୍ୟ ରାଜପଥ ଏବଂ ୨୫ଟି ଅନ୍ୟ ରାସ୍ତା ବର୍ଷା ପାଣିରେ ବୁଡ଼ି ରହିଛି। ପାଲଘରରେ ବି ସ୍ଥିତି ସଙ୍ଗୀନ ହୋଇଛି।

Comment