ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋହନ ସୁନ୍ଦର ଦେବ ଗୋସ୍ୱାମୀ, ଓଡ଼ିଆ ଫିଲ୍ମର ଜନକ। ଓଲିଉଡରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ତାଙ୍କ ନାଁରେ ପୁରସ୍କାର ଦିଆଯାଏ। ଏହାକୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର କୁହାଯାଏ। ଆଜି ସେହି ମହାନ ବ୍ୟକ୍ତିଙ୍କର ଜନ୍ମଦିନ। ୧୮୮୨, ଅଗଷ୍ଟ ୭ରେ ସେ ପୁରୀରେ ଜନ୍ମ ହୋଇଥିଲେ। ତାଙ୍କର ମୂଳନାମ ଶ୍ୟାମ ସୁନ୍ଦର ଦେବ ଗୋସ୍ୱାମୀ। ତାଙ୍କ ବଡ଼ ଭଉଣୀ ତାଙ୍କୁ ମୋହନ ବୋଲି ଡାକୁଥିଲେ। ପରେ ସେ ଏହି ନାମରେ ହିଁ ପରିଚିତ ହୋଇଗଲେ।

ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ତାଙ୍କର ଉଦ୍ୟମରେ ହିଁ ହୋଇପାରିଥିଲା । ଏହି ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ ସେ ଥିଲେ। ଏହାଛଡ଼ା ଏହି ଫିଲ୍ମରେ ସେ ‘ବିଶ୍ୱାମିତ୍ର’ଙ୍କ ଚରିତ୍ରରେ ଅଭିନୟ କରିଥିଲେ।  ଏଥିରେ ଥିବା ୧୪ଟି ଗୀତ ମଧ୍ୟରୁ ୧୨ଟି ସେ ନିଜେ ରଚନା କରିଥିଲେ।

ଏହି ଫିଲ୍ମ ୧୯୩୬ ମସିହା, ଏପ୍ରିଲ ୨୮ରେ ପୁରୀର ’ଲକ୍ଷ୍ମୀ ଟକିଜ’ରେ ରିଲିଜ ହୋଇଥିଲା। ଏହି ଫିଲ୍ମର ସମସ୍ତ ସୁଟିଂ କୋଲକାତାର ଏକ ଷ୍ଟୁଡିଓରେ ହୋଇଥିଲା।

ଏହି ଫିଲ୍ମ ପାଇଁ ସେ ସମୟରେ ମୋହନ ସୁନ୍ଦର ୨୯୭୮୧ ଟଙ୍କା ଖର୍ଚ୍ଚ କରିଥିଲେ। ଏଥିରୁ କିଛି ଟଙ୍କା ସେ ଦାନ ସୂତ୍ରରେ ପାଇଥିଲେ ଓ ଆଉ କିଛି ଟଙ୍କା ପତ୍ନୀଙ୍କ ଗହଣା ବିକି ଓ ଘର ବନ୍ଧକ ରଖି ଯୋଗାଡ଼ କରିଥିଲେ।

ମୋହନ ସୁନ୍ଦର ଦେବ ଗୋସ୍ୱାମୀ ବହୁ ପ୍ରତିଭାର ଅଧିକାରୀ ଥିଲେ। ସେ ଏକାଧାରରେ ଜଣେ ରାସ ରଚୟିତା, ଗୀତିକାର, ଅଭିନେତା, ନୃତ୍ୟ-ସଙ୍ଗୀତ ସଂଯୋଜକ, ବାଦ୍ୟ ଯନ୍ତ୍ର ଶିଳ୍ପୀ, କଣ୍ଠଶିଳ୍ପୀ ଥିଲେ।ତାଙ୍କର ଏହି ଅବଦାନ ପାଇଁ କୋଟି କୋଟି ଓଡ଼ିଆ ସିନେ ପ୍ରେମୀଙ୍କ ଚିର ସ୍ମରଣୀୟ।

Comment