ଓଡିଶାଲାଇଭ୍ ବ୍ୟୁରୋ

ଦେଶରେ ଲାଗୁ ହୋଇଥିବା ନୂଆ ଶିକ୍ଷାନୀତି ଏବଂ ତାହାର କାର୍ଯ୍ୟକାରିତାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମତ ରଖିଛନ୍ତି। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ମୋଦୀ କହିଛନ୍ତି ଆଜି ଯାଏଁ ଦେଶରେ ଯେଉଁ ଶିକ୍ଷାନୀତି ପ୍ରଚଳିତ ଥିଲା ତାହା କେବଳ ‘ହ୍ଵାଟ୍ ଟୁ ଥିଙ୍କ୍’(କ’ଣ ଭାବିବା)ଉପରେ ଗୁରୁତ୍ଵ ଦେଉଥିଲା। କିନ୍ତୁ ଏବେ ଆମେ ‘ହାଓ ଟୁ ଥିଙ୍କ୍’(କିପରି ଭାବିବା) ଉପରେ ଗୁରୁତ୍ଵ ଦେବା ବୋଲି ମୋଦୀ କହିଛନ୍ତି।

ତିନି-ଚାରି ବର୍ଷ ଧରି ବିଚାରବିମର୍ଶ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଦେଶ ସାରା ଏହାକୁ ନେଇ ଚର୍ଚ୍ଚା ହେଉଛି। ଦେଶର ଶିକ୍ଷା ବ୍ୟବସ୍ଥାକୁ ନିଶ୍ଚିତ ଭାବରେ ଏହାର ଲାଭ ମିଳିବ ବୋଲି ମୋଦୀ କହିଛନ୍ତି।

ଏହି ଅବସରରେ ମୋଦୀ କହିଛନ୍ତି ଆଜି ପ୍ରତ୍ୟକ ବିଚାରଧାରାର ଲୋକେ ନୂଆ ଶିକ୍ଷାନୀତି ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। କିନ୍ତୁ କେହି ଏହାକୁ ବିରୋଧ କରୁନାହାନ୍ତି, କାରଣ ଏଥିରେ କିଛି ବି ଏକତରଫା ନାହିଁ। ବର୍ତ୍ତମାନ ଲୋକ ଭାବୁଛନ୍ତି ଯେ ଏତେ ବଡ଼ ସଂସ୍କାର କିପରି କାର୍ଯ୍ୟକାରୀ ହେବ। ଏହା ହେଉଛି ଏକ ମହାଯଜ୍ଞ ଯାହାକି ନୂତନ ଭାରତ ଗଢ଼ିବା ସହ ନୂତନ ଯୁଗର ଆରମ୍ଭ କରିବ ବୋଲି ମୋଦୀ କହିଛନ୍ତି।ମୋଦୀ ଆହୁରି କହିଛନ୍ତି, ନୂତନ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଯାହା କିଛି ଆବଶ୍ୟକ ସେସବୁ କରାଯିବ। ଏହାକୁ ଲାଗୁ କରିବା ପାଇଁ ଆବଶ୍ୟକୀୟ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି। ଶିକ୍ଷାନୀତିରେ ଦେଶର ଲକ୍ଷ୍ୟକୁ ଧ୍ୟାନ ଦେବା ଜରୁରୀ, ଯାହାଦ୍ଵାରା ଆଗାମୀ ପିଢ଼ିକୁ ପ୍ରସ୍ତୁତ କରାଯାଇପାରିବ। ଏହି ନୀତି ନୂତନ ଭାରତର ମୂଳଦୂଆ ପକାଇବ। ଭାରତକୁ ସଶକ୍ତ କରିବାକୁ ହେଲେ ନାଗରିକମାନଙ୍କୁ ଉତ୍ତମ ଶିକ୍ଷା ମିଳିବା ଜରୁରୀ। ସେହି ଦୃଷ୍ଟିରୁ ନୂଆ ଶିକ୍ଷାନୀତି ଭାରତକୁ ସଶକ୍ତ କରିବ ବୋଲି ମୋଦୀ କହିଛନ୍ତି।

ମୋଦୀ କହିଛନ୍ତି, ବହୁଦିନରୁ ଦେଶର ଶିକ୍ଷାନୀତିରେ ପରିବର୍ତ୍ତନ ହୋଇନଥିଲା। ପିଲାମାନେ କେବଳ ଡାକ୍ତର, ଇଞ୍ଜିନିୟର ପାଇଁ ଚାହୁଁଥିଲେ। କିନ୍ତୁ ବର୍ତ୍ତମାନ ସମୟ ସହ ତାଳ ଦେଇ ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ଜରୁରୀ ହୋଇପଡ଼ିଛି। ତେଣୁ ନୂତନ ଶିକ୍ଷା ବ୍ୟବସ୍ଥାରେ ପ୍ରତିଯୋଗିତାକୁ କମ୍ କରି ସୃଜନଶୀଳତାକୁ ବେଶି ପ୍ରାଧାନ୍ୟ ଦିଆଯାଇଛି ବୋଲି ମୋଦୀ କହିଛନ୍ତି। ଏଥିସହ ସ୍ଥାନୀୟ ଭାଷାରେ ଶିକ୍ଷାଦାନକୁ ମୋଦୀ ଗୁରୁତ୍ଵ ଦେଇଛନ୍ତି।ବର୍ତ୍ତମାନ ସମୟରେ ପିଲାମାନେ ପାଠ ପଢ଼ିବା ସହ ଦେଶର ବାସ୍ତବତା ବିଷୟରେ ଅବଗତ ହେବା ଜରୁରୀ ବୋଲି ମୋଦୀ କହିଛନ୍ତି। ନୂତନ ଶିକ୍ଷାନୀତି ଜରିଆରେ ଦେଶ ଉତ୍ତମ ଛାତ୍ର ଏବଂ ନାଗରିକ ସୃଷ୍ଟି କରିବାର ମାଧ୍ୟମ ହେବା ଜରୁରୀ। ଉତ୍ତମ ଛାତ୍ରଙ୍କ ସମେତ ନୂଆ ଶିକ୍ଷକଙ୍କୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ଵ ଦିଆଯାଉଛି ବୋଲି ମୋଦୀ କହିଛନ୍ତି।

Comment