ଓଡିଶାଲାଇଭ୍ ବ୍ୟୁରୋ

  • ୨୦୦୦ରୁ ଊର୍ଦ୍ଧ୍ୱ ଶଯ୍ୟାବିଶିଷ୍ଟ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଚାଲିଛି ସଂକ୍ରମିତଙ୍କ ଚିକିତ୍ସା
  • ବୃଦ୍ଧ, ବୃଦ୍ଧା ଏବଂ ୧୦ ବର୍ଷରୁ କମ୍ ବୟସର ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି
  • ସମ୍ କୋଭିଡ୍ ହସ୍ପିଟାଲ ଓଡ଼ିଶାର ବୃହତ୍ତମ କୋଭିଡ୍ ହସ୍ପିଟାଲର ମାନ୍ୟତା ପାଇଛି

କୋଭିଡ୍ ଯୁଦ୍ଧରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ରକ୍ଷା ଲାଗି ଓଡ଼ିଶା ସରକାରଙ୍କ ସହ ହାତ ମିଳାଇଛି ଶିକ୍ଷା ଓ ଅନୁସନ୍ଧାନ(ଡିମ୍‌ଡ ଟୁ ବି ୟୁନିଭର୍ସିଟି)। କରୋନା ମୁକାବିଲା ପାଇଁ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୋଭିଡ୍-୧୯ ହସ୍ପିଟାଲଗୁଡ଼ିକ ମଧ୍ୟରୁ ୪ଟି କୋଭିଡ୍ ହସ୍ପିଟାଲ ଏବଂ ଦୁଇଟି କୋଭିଡ୍ କେୟାର ସେଣ୍ଟରର ଦାୟିତ୍ୱ ନେଇଛି ସୋଆ। ସଂକ୍ରମିତ ବ୍ୟକ୍ତି ଯେପରି ସମୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିବେ ସେଥିପାଇଁ ସୋଆ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଗତ ମାର୍ଚ୍ଚ ମାସ ଦ୍ଵିତୀୟ ସପ୍ତାହରେ ଓଡ଼ିଶାରେ କରୋନା ପ୍ରଭାବ ପଡ଼ିଥିଲା। ସେହି ସମୟରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ କୋଭିଡ୍ ହସ୍ପିଟାଲ ଆରମ୍ଭ କରିଥିଲେ। ସେତେବେଳେ ରାଜ୍ୟ ସରକାରଙ୍କୁ ସୋଆ ସହଯୋଗ କରିଥିଲା।ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ତାଙ୍କୁ ସୁସ୍ଥ କରିବା ଲକ୍ଷ୍ୟରେ ସୋଆ ପକ୍ଷରୁ ୨୦୦୦ରୁ ଊର୍ଦ୍ଧ୍ୱ ଶଯ୍ୟାବିଶିଷ୍ଟ କୋଭିଡ୍ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟର ପରିଚାଳନା କରାଯାଉଛି। ଏପ୍ରିଲ ୬ ତାରିଖରେ ଭୁବନେଶ୍ୱରସ୍ଥିତ ସୋଆ କ୍ୟାମ୍ପସ୍-୨ରେ ମହାନଦୀ କୋଲ୍ ଫିଲ୍ଡସ୍‌ର ସହଭାଗିତାରେ ସେଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହୋଇଥିଲା ୫୨୫ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଂଖ୍ୟା ଆଉ ୧୦୦କୁ ବୃଦ୍ଧି ହୋଇ ୬୨୫ରେ ପହଞ୍ଚିଛି। ଏଥିରେ ୫୦୦ ଶଯ୍ୟା ବା ବେଳେ ୧୨୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏହି ହସ୍ପିଟାଲ ଓଡ଼ିଶାର ବୃହତ୍ତମ ଏବଂ ଭାରତର ଅନ୍ୟତମ ବୃହତ୍ତମ କୋଭିଡ୍ ଆଇସିୟୁ ଭାବେ ପରିଗଣିତ ହେଉଛି ।

ସେହିପରି ସୋଆ ପକ୍ଷରୁ ଏପ୍ରିଲ୍ ୧୨ ତାରିଖରେ କେନ୍ଦ୍ରାପଡ଼ାରେ ମଧ୍ୟ ରାଜ୍ୟ ସରକାରଙ୍କ ସହଭାଗିତାରେ ୧୭୦ ଶଯ୍ୟାବିଶିଷ୍ଟ ସମ୍ କୋଭିଡ୍ ହସ୍ପିଟାଲ ଆରମ୍ଭ କରାଯାଇଛି। ଏହି ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ୧୬୦ଟି ଶଯ୍ୟା ରହିଥିବା ବେଳେ ୧୦ଟି ଆଇସିୟୁ ଶଯ୍ୟା ରହିଛି।ସେହିପରି ଏପ୍ରିଲ୍ ୨୦ ତାରିଖରେ ତାଳଚେର ଠାରେ ଏମ୍‌ସିଏଲ୍‌ ସହଭାଗିତାରେ ୧୫୦ ଶଯ୍ୟାବିଶିଷ୍ଟ ସମ୍ କୋଭିଡ୍ ହସ୍ପିଟାଲ୍ ଆରମ୍ଭ ହୋଇଥିଲା। ଏଠାରେ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ୧୪୪ଟି ଶଯ୍ୟା ରହିଥିବା ବେଳେ ୬ଟି ଆଇସିୟୁ ଶଯ୍ୟା ରହିଛି । ଗତ ଜୁଲାଇ ୨୩ ତାରିଖରେ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟାବିଶିଷ୍ଟ ସମ୍‌ କୋଭିଡ୍ ହସ୍ପିଟାଲ୍ ଆରମ୍ଭ କରାଯାଇଛି। ଏଥିରେ ୩୫୦ଟି ଶଯ୍ୟା ରହିଥିବା ବେଳେ ୧୬ଟି ଆଇସିୟୁ ଶଯ୍ୟା ରହିଛି। ଲକ୍ଷଣବିହୀନ କିମ୍ବା କମ୍ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଜାମୁଝରି ଏବଂ ଜଟଣୀର ଖୁଦୁପୁର ଠାରେ ସୋଆ ପକ୍ଷରୁ ଯଥାକ୍ରମେ ୫୦୦ ଓ ୩୦୦ ଶଯ୍ୟାବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ମଧ୍ୟ ଆରମ୍ଭ କରାଯାଇଛି।

ସୋଆ ପକ୍ଷରୁ ୧୫୭ ଆଇସିୟୁ ଶଯ୍ୟା ସମେତ ୨୧୧୧ ଶଯ୍ୟାର ବ୍ୟବସ୍ଥା କରାଯାଇ ହସ୍ପିଟାଲ ଏବଂ କୋଭିଡ୍ କେୟାର ସେଣ୍ଟରଗୁଡ଼ିକରେ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ି ଚାଲିଥିବା ବେଳେ ୮୦ ରୁ ୯୦ ପ୍ରତିଶତ ଶଯ୍ୟା ପୂରଣ ହୋଇ ଚିକିତ୍ସା ଜାରି ରହିଛି। ଏହା ଏକ ଯୁଦ୍ଧ। ଦିନ ରାତି ଏହି ମହାମାରୀ ସହ ଯୁଦ୍ଧ କରୁଥିବା ଯୋଦ୍ଧାମାନଙ୍କ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ।

କରୋନା ସଂକ୍ରମଣ ବୟସ୍କ ବ୍ୟକ୍ତି ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ମାରାତ୍ମକ। କିନ୍ତୁ ସମ୍ କୋଭିଡ୍ ହସ୍ପିଟାଲଗୁଡ଼ିକରେ ୮୦ ରୁ ୮୫ ବର୍ଷର ବୃଦ୍ଧ, ବୃଦ୍ଧା ଏବଂ ୧୦ ବର୍ଷରୁ କମ୍ ବୟସର ଶିଶୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସହ ମୁକାବିଲା କରିବା ଏତେ ସହଜସାଧ୍ୟ ନୁହେଁ। ଏହି ସଂକ୍ରମଣକୁ ରୋକିବା ପାଇଁ ଜ୍ଞାନ, କୌଶଳ ଏବଂ ବୁଝାମଣାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇଏମ୍‌ଏସ୍ ଆଣ୍ଡ ସମ୍‌ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର।କୋଭିଡ-୧୯ ଟିକା ପରୀକ୍ଷଣରେ ମଧ୍ୟ ନିଜକୁ ନିୟୋଜିତ କରିଛି ସୋଆ। ସମ୍‌ ହସ୍ପିଟାଲରେ କୋଭିଡ-୧୯ ଟିକା ମାନବ ପରୀକ୍ଷଣ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇସିଏମ୍‌ଆର୍ ଏବଂ ଭାରତ ବାୟୋଟେକ୍‌ର ମିଳିତ ସହଯୋଗରେ ଏହି ଟିକାର ପ୍ରସ୍ତୁତି ଚାଲିଥିବା ବେଳେ ସମ୍ ହସ୍ପିଟାଲ୍‌ରେ ଏହାର ପରୀକ୍ଷଣ ଆରମ୍ଭ କରାଯାଇଛି । ଅନେକ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ ଜାରୀ ରହିଛି ।

ସେହିପରି ସମ୍ କୋଭିଡ୍ ହସ୍ପିଟାଲରେ ପ୍ଲାଜ୍‌ମା ଥେରାପି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏଥିସହ କୋଭିଡ-୧୯ ମହାମାରୀର ସଂକ୍ରମଣ ଢାଞ୍ଚାକୁ ଗଭୀରଭାବେ ବୁଝିବା ନିମନ୍ତେ ସମ୍ ହସ୍ପିଟାଲରେ ଜେନୋମିକ୍‌ ଗବେଷଣା ଆରମ୍ଭ ହୋଇଛି। କୋଭିଡ୍ ହସ୍ପିଟାଲ ଏବଂ କୋଭିଡ୍ କେୟାର ସେଣ୍ଟରଗୁଡ଼ିକରେ ଭର୍ତ୍ତି ହେଉଥିବା ସଂକ୍ରମିତଙ୍କର ଚିକିତ୍ସା ସୁଚାରୁରୂପେ କରାଯାଉଥିବା ସୋଆ ପକ୍ଷରୁ କୁହାଯାଇଛି।

Comment