ଓଡିଶାଲାଇଭ୍ ବ୍ୟୁରୋ

କୋଭିଡ୍ ମୁକାବିଲାରେ ଯୁବପିଢ଼ିଙ୍କ ଭୂମିକା, ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ଓଡ଼ିଶା ସରକାରଙ୍କ ସହ ମିଶି ୟୁନିସେଫ୍ କେଉଁ ସବୁ ପଦକ୍ଷେପ ନେଇଛି? ସେ ସମ୍ପର୍କରେ କହୁଛନ୍ତି ୟୁନିସେଫ୍ ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍।

“କୋଭିଡ୍ ମୁକାବିଲାରେ ଯୁବପିଢ଼ି ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି। ଦିନକୁ ଦିନ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ଯୁବପିଢ଼ି ଗୋଷ୍ଠୀ, ଗାଁ, ରାଜ୍ୟ ତଥା ନିଜ ଦେଶର ସେବା କରିବା ପାଇଁ ଆଗଭର ହେଉଛନ୍ତି”, କହିଛନ୍ତି ୟୁନିସେଫ୍ ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍।

ଓଡିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ରେ ଭାଗ ନେଇ ସେ ଏହା କହିଛନ୍ତି।

ମୋନିକା ଆହୁରି କହିଛନ୍ତି, ଓଡ଼ିଶାର ଯୁବବର୍ଗ କୋଭିଡ୍ ସଂଗ୍ରାମୀ ଭାବେ ବିଭିନ୍ନ ସେବା କରୁଛନ୍ତି।

ଯୁବପିଢ଼ିଙ୍କୁ ନେତୃତ୍ଵ ନେବା ଲାଗି ସୁଯୋଗ ମିଳିବା ଦରକାର

ଯୁବବର୍ଗ ସାମାଜିକ ବିକାଶ ଏବଂ ଡିଜିଟାଲ ସମାଧାନ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ। ସେହି ଦୃଷ୍ଟିରୁ ଯୁବପିଢ଼ିଙ୍କୁ ବିଭିନ୍ନ ବିଷୟରେ ନେତୃତ୍ଵ ନେବା ପାଇଁ ସୁଯୋଗ ମିଳିବା ଦରକାର ବୋଲି ମୋନିକା କହିଛନ୍ତି।ଯୁବବର୍ଗଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ୟୁନିସେଫ୍ ଅନେକ ପଦକ୍ଷେପ ନେଇଛି

ୟୁନିସେଫ୍ ଯୁବବର୍ଗଙ୍କ ସକ୍ରିୟ ଅଂଶଗ୍ରହଣକୁ ସବୁବେଳେ ପ୍ରୋତ୍ସାହିତ କରିଥାଏ। ଏଥିପାଇଁ ୟୁନିସେଫ୍ ଭାରତ ସମେତ ସାରା ବିଶ୍ଵରେ ଅନେକ ପଦକ୍ଷେପ ଗ୍ରହଣ କରିଛି।

ଓଡ଼ିଶାର ୧୫ଟି ଜିଲ୍ଲାରେ କାର୍ଯ୍ୟ କରୁଛି ୟୁନିସେଫ୍

ରାଜ୍ୟ ସରକାର ଯୁବବର୍ଗଙ୍କ ପାଇଁ ପ୍ଲାଟ୍‌ଫର୍ମ ଯୋଗାଇ ଦେଉଛନ୍ତି। ଏଥିରେ ରାଜ୍ୟ ସରକାରଙ୍କୁ ବୈଷୟିକ ସହାୟତା ଏବଂ ପରାମର୍ଶ ଦେଇଆସୁଛି ୟୁନିସେଫ୍। ଏଥିସହ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ କରି ଯୁବପିଢ଼ିଙ୍କ ଅଂଶଗ୍ରହଣକୁ ୟୁନିସେଫ୍ ପ୍ରୋତ୍ସାହିତ କରୁଛି। ମୋନିକା କହିଛନ୍ତି, “ଓଡ଼ିଶାର ୧୫ଟି ଜିଲ୍ଲାରେ କିଶୋର କିଶୋରୀଙ୍କ ପାଇଁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସହିତ ୟୁନିସେଫ୍ ଜଡ଼ିତ ରହିଛି।”ଯୁବବର୍ଗଙ୍କୁ ପ୍ଲାଟ୍‌ଫର୍ମ ଯୋଗାଇ ଦେବ ୟୁନିସେଫ୍

“ୟୁନିସେଫ୍ ବର୍ତ୍ତମାନର ଅଂଶୀଦାରଙ୍କ ସମେତ ନୂତନ ଅଂଶୀଦାରଙ୍କ ସହ ମିଶି ଯୁବବର୍ଗଙ୍କୁ ପ୍ଲାଟ୍‌ଫର୍ମ ଦେବା ପାଇଁ ଲକ୍ଷ୍ୟ ରଖିଛି। ଏଥିସହ ଯୁବପିଢ଼ିଙ୍କ ସହ ମିଶି ଅଧିକ କାର୍ଯ୍ୟକ୍ରମ କରିବାକୁ ୟୁନିସେଫ୍ ଯୋଜନା କରୁଛି”, ମୋନିକା କହିଛନ୍ତି।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment