ଓଡିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ମୁକାବିଲା ପାଇଁ ରାଜ୍ୟ ସରାକାରଙ୍କ ପରିକଳ୍ପନା ଏବଂ ପଦକ୍ଷେପ ସମ୍ପର୍କରେ ସୂଚନା ଦେଉଛନ୍ତି କରୋନା ମୁଖପାତ୍ର ସୁବ୍ରତ ବାଗ୍‌ଚି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ଉପରେ ଗୁରୁତ୍ଵ ଦେଇଛନ୍ତି। କୋଭିଡ୍ ହସ୍ପିଟାଲଠାରୁ ଆରମ୍ଭ କରି ଅସ୍ଥାୟୀ ସ୍ଵାସ୍ଥ୍ୟକେନ୍ଦ୍ର ନିର୍ମାଣ, କୋଭିଡ୍ ଚିକିତ୍ସା ପାଇଁ ଅତ୍ୟାଧୁନିକ ସାଜ ସରଞ୍ଜାମର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ସୁବ୍ରତ ବାଗ୍‌ଚି।

ଓଡିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ରେ ଭାଗ ନେଇ ସୁବ୍ରତ ବାଗ୍‌ଚି ଏ ସମ୍ପର୍କରେ କହିଛନ୍ତି।

“ଓଡ଼ିଶାରେ କୋଭିଡ୍-୧୯ ଯୁଦ୍ଧରେ ଯେଉଁ ଭିତ୍ତିଭୂମି ତିଆରି ହେଲା ସେତେବେଳେ ବୃହତ୍ତମ ପରିଣାମକୁ ଆଖି ଆଗରେ ରଖି ସବୁ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ଯେଉଁଠି ଶହେ ହଜାରରେ ଟେଷ୍ଟିଂ ଚଳିଯାଇଥାନ୍ତା ସେଠି ମୁଖ୍ୟମନ୍ତ୍ରୀ ଦିନକୁ ୫ ହଜାର ଟେଷ୍ଟିଂ କରିବା ପାଇଁ ଆମକୁ ଟାର୍ଗେଟ୍ ଦେଇଥିଲେ। ଆମେ ୫-୧୦ଟା କୋଭିଡ୍ ହସ୍ପିଟାଲ କଥା ଚିନ୍ତା କଲାବେଳେ ମୁଖ୍ୟମନ୍ତ୍ରୀ ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ତିଆରି କରିବାକୁ ଚିନ୍ତା କରିଥିଲେ। ଯେଉଁଠି ଆମେ ଜିଲ୍ଲା ସ୍ତରରେ କାମ କରିପାରିଥାନ୍ତେ ସେଠି ମୁଖ୍ୟମନ୍ତ୍ରୀ ପଞ୍ଚାୟତ ସ୍ତରରେ କାମ କରିବାକୁ କହିଲେ। ତେଣୁ ୬,୭୯୮ଟି ପଞ୍ଚାୟତରେ ବର୍ତ୍ତମାନ କ୍ଵାରେଣ୍ଟାଇନ୍ ସେଣ୍ଟର କରାଯାଇଛି”, କହିଛନ୍ତି ସୁବ୍ରତ ବାଗ୍‌ଚି।

ବର୍ତ୍ତମାନ ଓଡ଼ିଶାରେ କରୋନା ସନ୍ତର୍ପଣରେ ପଦାର୍ପଣ କରୁଛି। ଜୁନ୍ ମଝିରୁ ଜୁଲାଇ ମଝି ପର୍ଯ୍ୟନ୍ତ ବିସ୍ଫୋରଣର ସମ୍ଭାବନା ରହିଛି। ତେଣୁ ଆମକୁ ଲକ୍ଷ ଲକ୍ଷ ମଣିଷଙ୍କ  କଥା ଭାବି ଏବେଠୁ ପରିକଳ୍ପନା କରିବାକୁ ପଡ଼ିବ ବୋଲି ବାଗ୍‌ଚି କହିଛନ୍ତି।ପ୍ରବାସୀ ବ୍ୟକ୍ତି ସବୁ ସମସ୍ୟାର ମୂଳ ବୋଲି ଭାବିବା ଅନୁଚିତ୍

ପୃଥିବୀର ଯେଉଁ ରାଷ୍ଟ୍ରଗୁଡ଼ିକ କରୋନାରେ ସବୁଠୁ ବେଶି ସଂକ୍ରମିତ ହୋଇଛନ୍ତି ସେସବୁ ଜାଗାରେ କୌଣସି ଶ୍ରମଜୀବୀ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯାଇ ସଂକ୍ରମଣ କରିନାହାନ୍ତି। ତେଣୁ ପ୍ରବାସୀମାନେ ଯେ କରୋନା ସଂକ୍ରମଣର ମୂଳ ଏ କଥାକୁ ମନରୁ କାଢ଼ିଦେବା ଉଚିତ୍ ବୋଲି କହିଛନ୍ତି ସୁବ୍ରତ ବାଗ୍‌ଚି।

ମଣିଷଙ୍କ ସେବା ପ୍ରତି ଧ୍ୟାନ ଦେବା ଦରକାର

କୋଭିଡ୍ ସମୟରେ ଅସହାୟ ଲୋକଙ୍କର ସେବା କରିବାକୁ ବାଗ୍‌ଚି ପରାମର୍ଣ ଦେଇଛନ୍ତି। ସେ କହିଛନ୍ତି, “କିଏ କୋଉଠୁ ଗୋଟିଏ ରୋଗର ଶିକାର ହେଇ, ବ୍ୟତିବ୍ୟସ୍ତ ହେଇ, କ୍ଷତିଗ୍ରସ୍ତ ହେଇ, ବାସ୍ତୁହରା ହେଇ ଆସି ପହଞ୍ଚିଲା ସେଇଟା ବଡ଼ କଥା ନୁହେଁ। ବଡ଼ କଥା ହେଲା ମଣିଷଟିର ଆମେ କଣ ସେବାସୁଶ୍ରୁଷା କରିପାରିବା।”

କୋଭିଡ୍‌କୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି କରାଯାଇଛି

କୋଭିଡ୍ ମୁକାବିଲା କରିବା ପାଇଁ ଯେଉଁ ଓଡ଼ିଶା ମଡେଲ ତିଆରି ହୋଇଛି ସେଥିରେ କେବଳ ହସ୍ପିଟାଲ ନୁହେଁ, ମାନବ ସମ୍ବଳ ମଧ୍ୟ ସ୍ଥାନ ପାଇଛି।

ବାଗ୍‌ଚି କହିଛନ୍ତି, “ଯେତେବେଳେ ସରକାର ମାନବ ସମ୍ବଳ କଥା ଭାବିଲେ ସେତେବେଳେ ପ୍ରଥମ ପର୍ଯ୍ୟାୟରେ ହିଁ ପ୍ରାୟ ୧ ଲକ୍ଷ ୨୦ ହଜାର କର୍ମଚାରୀମାନଙ୍କୁ ପ୍ରଥମ ୬୦ ଦିନରେ ତାଲିମ୍ ଦିଆଗଲା ଏବଂ ମାନବ ସମ୍ବଳ ତିଆରି ହେଲା।”ମାନବ ସମ୍ବଳ ବ୍ୟତୀତ ସାଜ ସରଞ୍ଜାମ ମଧ୍ୟ ପ୍ରସ୍ତୁତ କରାଗଲା। ମାସେ କି ଦୁଇ ମାସ ନୁହେଁ ଆଗାମୀ ୫-୬ ମାସ କଥା ଭାବି ଅକ୍ସିଜେନ୍ ସିଲିଣ୍ଡରଠାରୁ ଆରମ୍ଭ କରି ଭେଣ୍ଟିଲେଟର ପର୍ଯ୍ୟନ୍ତ ସବୁକିଛି ପ୍ରସ୍ତୁତ କରି ରଖାଗଲା ବୋଲି ବାଗ୍‌ଚି କହିଛନ୍ତି।

ବୃହତ୍ତମ ପରିଣାମକୁ ଆଖି ଆଗରେ ରଖି ରାଜ୍ୟ ସରକାର କାମ କରୁଛନ୍ତି

ସେ ଆହୁରି କହିଛନ୍ତି, “କରୋନା ସଂକ୍ରମଣ କମିବା ପୂର୍ବରୁ ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ଏଭଳି ସ୍ଥିତିରେ ଆମେ ଭାଙ୍ଗିପଡ଼ିବା ନାହିଁ। ଆମକୁ ଅପ୍ରସ୍ତୁତ ଲାଗିବ ନାହିଁ। ତେଣୁ ଆମେ ଏଇ ଯୁଦ୍ଧରେ ବୃହତ୍ତର ପରିଣାମର ପରିକଳ୍ପନାକୁ ଆଖି ଆଗରେ ରଖି କାମ କରୁଛୁ।କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment