ଓଡିଶାଲାଇଭ୍ ବ୍ୟୁରୋmatric exam

କଟକ: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌(ଏସ୍‌ଓଏସ୍‌ସି) ପରୀକ୍ଷା ଆସନ୍ତା ମାସ ୧୪ରୁ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ। ସକାଳ ୯ଟା ୪୫ରେ ଉଭୟ ସଂକ୍ଷିପ୍ତ ଉତ୍ତର ମୂଳକ (ଅବ୍‌ଜେକ୍‌ଟିଭ୍‌) ଓ ଦୀର୍ଘ ଉତ୍ତର ମୂଳକ (ସବ୍‌ଜେକ୍‌ଟିଭ୍‌) ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ପଠାଯିବ।ଅବ୍‌ଜେକ୍‌ଟିଭ୍ ପରୀକ୍ଷା ସକାଳ ୧୦ଟାରୁ ଆାରମ୍ଭ ହୋଇ ୧୧ଟାରେ ଶେଷ ହେବ। ସେହିପରି ୧୧ଟାରୁ ସବ୍‌ଜେକ୍‌ଟିଭ୍ ପରୀକ୍ଷା ଆରମ୍ଭ ହୋଇ ୧୨ଟାରେ ସରିବ। ପରୀକ୍ଷାର୍ଥୀମାନେ ଅବ୍‌ଜେକ୍‌ଟିଭ୍ ପରୀକ୍ଷା ଓଏମ୍‌ଆର୍ ସିଟ୍‌ରେ ଦେବେ ଓ ସବ୍‌ଜେକ୍‌ଟିଭ୍ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ବୁକ୍‌ଲେଟ୍‌ରେ ଦେବେ ବୋଲି ବୋର୍ଡ ସୂଚନା ଦେଇଛି।

ସେପ୍ଟେମ୍ବର ୧୪ ତାରିଖରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାର ଭାଷା ଓଡ଼ିଆ ଓ ଅଲ୍‌ଟରନେଟିକ୍ ପରୀକ୍ଷା ରହିଥିବା ବେଳେ ୧୫ ତାରିଖରେ ଇଂରାଜୀ ଓ ମୂକ ବଧିର ପରୀକ୍ଷାର୍ଥୀଙ୍କ ପରିବେଶ ଓ ଜନସଂଖ୍ୟା ପରୀକ୍ଷା ରହିଛି।ସେହିପରି ୧୬ ଓ ୧୮ ତାରିଖରେ ତୃତୀୟ ଭାଷା ଯଥାକ୍ରମେ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ରହିଛି। ୧୯ ତାରିଖରେ ଗଣିତ ପରୀକ୍ଷା ରହିଥିବା ବେଳେ ୨୦ରେ ଭିଜୁଆଲ ଆର୍ଟର ପ୍ରାକ୍ଟିକାଲ ପରୀକ୍ଷା ହେବ। ୨୧ ତାରିଖରେ ସାଧାରଣ ବିଜ୍ଞାନ ପରୀକ୍ଷା ରହିଥିବା ବେଳେ ୨୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ପରୀକ୍ଷାର୍ଥୀ।

ସେହିପରି ଆସନ୍ତା ମାସ ୧୪ ତାରିଖରେ ଏସ୍‌ଓଏସ୍‌ସିର ଓଡ଼ିଆ ପରୀକ୍ଷା ରହିଥିବା ବେଳେ ୧୫ରେ ଇଂରାଜୀ, ୧୬ରେ ହିନ୍ଦୀ, ୧୮ରେ ସଂସ୍କୃତ, ୧୯ରେ ଗଣିତ, ୨୦ରେ ଗୃହ ବିଜ୍ଞାନ, ୨୧ରେ ବିଜ୍ଞାନ, ୨୨ରେ ସାମାଜିକ ବିଜ୍ଞାନ, ୨୩ରେ ଭାରତୀୟ ସଂସ୍କୃତି ଓ ଐତିହ୍ୟ ଓ ୨୪ରେ ଚିତ୍ରାଙ୍କନ ପରୀକ୍ଷା ରହିଛି। ଏହି ଚିତ୍ରାଙ୍କନ ପରୀକ୍ଷାର ଥିଓରୀ ୧୦ଟାରୁ ଆରମ୍ଭ ହୋଇ ୧୧ଟାରେ ଶେଷ ହେବ ଏବଂ ପ୍ରାକ୍ଟିକାଲ୍ ୧୧ଟାରୁ ଆରମ୍ଭ ହୋଇ ସାଢ଼େ ୧ଟାରେ ଶେଷ ହେବ ବୋଲି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି।

Comment