ଓଡିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ୨୦୦୭ ଓ ୨୦୧୫ ଶିଳ୍ପନୀତି ଏବଂ ଫ୍ୟାକ୍ଟ୍ରି ଆକ୍ଟ ୧୯୫୮ରେ ସଂଶୋଧନ କରାଯାଇଛି। ଏଥିସହ ୨୦ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି।

କାରଖାନାରେ ଓଭର ଟାଇମ୍ ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ପୂର୍ବରୁ ତିନି ମାସ ପାଇଁ ୭୫ ଘଣ୍ଟା ଓଭର ଟାଇମ୍ ନିର୍ଦ୍ଧାରିତ ହୋଇଥିଲା। କ୍ୟାବିନେଟ୍ ମଞ୍ଜୁରୀ କ୍ରମେ ତାହା ୧୧୫ ଘଣ୍ଟାକୁ ବୃଦ୍ଧି ପାଇଛି। ସେହିପରି ଏଣିକି ୨୪୦ ଦିନ ବଦଳରେ ଜଣକୁ ୧୮୦ ଦିନ ଛୁଟି ମିଳିପାରିବ ବୋଲି ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି।

ମହିଳା କର୍ମଚାରୀମାନଙ୍କୁ ରାତି ଡ୍ୟୁଟି ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି। ସେହିପରି ବିଜେପୁର ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ ୧୧୩୮.୬୩ କୋଟି ଖର୍ଚ୍ଚ ହେବ। ଏହାଦ୍ଵାରା ୨୫ ହଜାର ହେକ୍ଟରରେ ଜଳସେଚନ କରାଯିବ ବୋଲି ସୂଚନା ଦେଇଛନ୍ତି ଅସୀତ ତ୍ରିପାଠୀ।

ସ୍ଵାସ୍ଥସେବା କ୍ଷେତ୍ରରେ ମଧ୍ୟ ରାଜ୍ୟ କ୍ୟାବିନେଟ୍ ବଡ଼ ନିଷ୍ପତ୍ତି ନେଇଛି। ସ୍ଵାସ୍ଥ୍ୟ ସେବାରେ ନିର୍ମଳ ସ୍କିମ୍‌ର ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ନିର୍ମଳ ପ୍ଲସ୍ ଓ ନିର୍ମଳ ପ୍ଲସ୍ ପ୍ଲସ୍ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ସେହିପରି ଓଡ଼ିଶା ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ବିଜୁ କୃଷକ ବୀମାଧାରୀଙ୍କ ସମେତ ଅନ୍ୟ ହିତାଧିକାରୀ ଲାଭ ପାଇବେ ବୋଲି କୁହାଯାଇଛି। ୭୦ ଲକ୍ଷ ପରିବାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ସୁବିଧା ପାଇବେ ବୋଲି ସୂଚନା ମିଳିଛି। ମହିଳାମାନଙ୍କ ପାଇଁ ସ୍ଵାସ୍ଥ୍ୟ ସହାୟତା ପରିମାଣ ୧୦ ଲକ୍ଷକୁ ବୃଦ୍ଧି ପାଇଛି।

ଏଥିସହ ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପରେ କ୍ୟାବିନେଟ୍ ମୋହର ବସିଛି। ୮ଟି ବ୍ଲକ୍‌ର ୯୧୧ ଗାଁକୁ ପାନୀୟ ଜଳ ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ସେହିପରି ସହରାଞ୍ଚଳ ବସ୍ତିର ଉନ୍ନତି ପାଇଁ ମଞ୍ଜୁରୀ ମିଳିଛି।ଗ୍ରୁପ୍ ସି ପରୀକ୍ଷା ପାଇଁ କେବଳ ଲିଖିତ ପରୀକ୍ଷା କରାଯିବ। ଏଥିପାଇଁ ଆଉ କୌଣସି ସାକ୍ଷାତକାର ହେବନାହିଁ ବୋଲି ସୂଚନା ମିଳିଛି।

ସେହିପରି ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯୀକରଣ ସମୟରେ ଜମି ହରାଇଥିବା ଲୋକଙ୍କୁ ଜମି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିସହ ଜମି ରେଜିଷ୍ଟ୍ରେସନ ଫି’ ଓ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଅସୀତ ତ୍ରିପାଠୀ କହିଛନ୍ତି।

Comment