ଓଡିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ସମଗ୍ର ବିଶ୍ଵକୁ ପ୍ରଭାବିତ କରିଛି। ସାଧାରଣ ଲୋକଙ୍କ ତୁଳନାରେ ଭିନ୍ନକ୍ଷମମାନେ ବହୁ ଅସୁବିଧାକୁ ସାମ୍ନା କରୁଛନ୍ତି। କୋଭିଡ୍ ସମୟରେ ଦିବ୍ୟାଙ୍ଗମାନେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ କହୁଛନ୍ତି ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଫିସର ସନ୍ୟାସୀ ବେହେରା।

ଦିବ୍ୟାଙ୍ଗମାନେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଚଳପ୍ରଚଳ କରିବାଠାରୁ ଆରମ୍ଭ କରି ଶିକ୍ଷା, ସ୍ଵାସ୍ଥ୍ୟ, ଜୀବିକା ଏବଂ ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅସୁବିଧା ରହିଥାଏ। ତେଣୁ କରୋନା ମହାମାରୀ ସମୟରେ ସେମାନଙ୍କର ସମସ୍ୟା ଆହୁରି ବଢ଼ିଯାଇଛି ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଫିସର ସନ୍ୟାସୀ ବେହେରା।

ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ରେ ଭାଗ ନେଇ ସେ ଏହା କହିଛନ୍ତି।

ସ୍ଵାସ୍ଥ୍ୟ ସେବାରେ ସମସ୍ୟା

କରୋନା ସମୟରେ ଦିବ୍ୟାଙ୍ଗମାନେ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ୟାସୀ କହିଛନ୍ତି, “ଭିନ୍ନକ୍ଷମମାନେ ଡାକ୍ତରଖାନା ଯିବା ପାଇଁ ସାହାରାର ଆବଶ୍ୟକତା ରହିଛି। ତେଣୁ କେମିତି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଘରୁ ଡାକ୍ତରଖାନା ଯିବେ, ଡାକ୍ତରଖାନାରେ ସାମାଜିକ ଦୂରତ୍ଵକୁ ମାନିବେ ସେ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି।”ଶିକ୍ଷା କ୍ଷେତ୍ରରେ ସମସ୍ୟା

ବର୍ତ୍ତମାନ କରୋନା କଟକଣା ଯୋଗୁଁ ଅନ୍‌ଲାଇନ୍‌ରେ ପାଠ ପଢ଼ାଯାଉଛି। ତେବେ ଏହି ଅନ୍‌ଲାଇନ୍‌ ପାଠପଢ଼ାରୁ ଅନେକ ଭିନ୍ନକ୍ଷମ ପିଲା ବଞ୍ଚିତ ହେଉଥିବ ସନ୍ୟାସୀ କହିଛନ୍ତି। “ଅନେକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଖରେ ଅନ୍‌ଲାଇନ୍‌ ଶିକ୍ଷା ତଥା ସ୍ମାର୍ଟ ଫୋନ୍ ବ୍ୟବହାର ସଂକ୍ରାନ୍ତୀୟ ଜ୍ଞାନର ଅଭାବ ଅଛି। ତେଣୁ ଅଧିକାଂଶ ଦିବ୍ୟାଙ୍ଗ ପିଲା ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ତେଣୁ ଅନ୍‌ଲାଇନ୍‌ ଜ୍ଞାନ ସମ୍ପର୍କରେ ତାଙ୍କୁ ତାଲିମ ଦେବା ଦରକାର”, କହିଛନ୍ତି ସନ୍ୟାସୀ ବେହେରା।

କେୟାର ଗିଭର ସମସ୍ୟା

ଯେଉଁ ଭିନ୍ନକ୍ଷମମାନଙ୍କର ଜଟିଳ ସ୍ଵାସ୍ଥ୍ୟ ସମସ୍ୟା ଥାଏ ସେମାନଙ୍କର ବିଭିନ୍ନ କାମ ପାଇଁ କେୟାର ଗିଭରମାନେ ନିୟୋଜିତ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ଚାଲିଥିବାରୁ କେୟାର ଗିଭରମାନେ ତାଙ୍କ ଘର ଛାଡ଼ି ଆସିପାରୁନାହାନ୍ତି। ଏହା ମଧ୍ୟ ଭିନ୍ନକ୍ଷମଙ୍କ ପାଇଁ ଏକ ବଡ଼ ସମସ୍ୟା ବୋଲି ସନ୍ୟାସୀ କହିଛନ୍ତି।ଜୀବିକା ପ୍ରଭାବିତ ହୋଇଛି

କୋଭିଡ୍ ମହାମାରୀ ସମୟରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଜୀବିକା ପ୍ରଭାବିତ ହୋଇଛି। ସନ୍ୟାସୀ କହିଛନ୍ତି, “ଦୋକାନ ବଜାର ବନ୍ଦ ଥିବାରୁ ଛୋଟ ଛୋଟ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ଭିନ୍ନକ୍ଷମମାନେ ନିଜ ଜୀବିକା ହରେଇ ବସିଛନ୍ତି। ସେହିପରି ଯେଉଁମାନେ ଟ୍ୟୁସନ କରୁଥିଲେ, ନାଚୁଥିଲେ, ଗାଉଥିଲେ କିମ୍ବା ଅନ୍ୟାନ୍ୟ ବ୍ୟବସାୟ ସହ ଜଡ଼ିତ ଥିଲେ ସେମାନେ ସେସବୁ କରିପାରୁନାହାନ୍ତି। ତେଣୁ ସେମାନଙ୍କ ଜୀବିକା ବହୁ ମାତ୍ରାରେ ପ୍ରଭାବିତ ହୋଇଛି।”ଶୁଖିଲା ଖାଦ୍ୟର ବ୍ୟବସ୍ଥା

ବର୍ତ୍ତମାନ ଖାଦ୍ୟ ନିରାପତ୍ତା ଏକ ବଡ଼ ଆହ୍ଵାନରେ ପରିଣତ ହୋଇଛି। “ବିନା କୌଣସି ସାହାରାରେ ଭିନ୍ନକ୍ଷମମାନେ ଚଳପ୍ରଚଳ କରିବା ବହୁତ କଷ୍ଟ। ଅନ୍ୟପଟେ କରୋନା ମହାମାରୀ ସମୟରେ ସାମାଜିକ ଦୂରତା ମାନି ନିଜେ ଆସି ଖାଦ୍ୟ ନେବା ଅସମ୍ଭବ। ତେଣୁ ସେମାନଙ୍କ ଘରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇଲେ ସେମାନେ ସହଜରେ ଖାଦ୍ୟ ପାଇପାରିବେ”, ସନ୍ୟାସୀ କହିଛନ୍ତି।

ବିଭିନ୍ନ ଥେରାପିର ସୁବିଧା

ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ପ୍ରକାର ଥେରାପି ମାଧ୍ୟମରେ ଚିକିତ୍ସା କରାଯାଏ। ତେଣୁ ବର୍ତ୍ତମାନ ସମୟରେ ସେମାନଙ୍କୁ କିଭଳି ସହଜରେ ଥେରାପି ଚିକିତ୍ସା ମିଳିପାରିବ ସେଥି ପ୍ରତି ଧ୍ୟାନ ଦେବା ଦରକାର ବୋଲି ସନ୍ୟାସୀ କହିଛନ୍ତି।ସେ ଆହୁରି କହିଛନ୍ତି, “ଭିନ୍ନକ୍ଷମମାନେ ନିଜ ଘରୁ କିପରି ସୁବିଧାରେ ଥେରାପି ସେଣ୍ଟରକୁ ଯାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉ। ଅଥବା ମୋବାଇଲ ମେଡିକାଲ ଭ୍ୟାନ ଦ୍ଵାରା ଥେରାପି ସେଣ୍ଟରର ସ୍ଵାସ୍ଥ୍ୟକର୍ମୀମାନଙ୍କୁ ଭିନ୍ନକ୍ଷମଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ।”

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment