ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନ ଥିଲା ଡିକ୍ସିନାରୀ ବିକ୍ରି କରି ପଢ଼ା ଖର୍ଚ୍ଚ ଉଠାଇଥିଲେ। ହେଲେ ଆଜି ତାଙ୍କର ପରାମର୍ଶରେ ବିଜନେସ ଟାଇକୁନ ସେମାନଙ୍କ ବ୍ୟବସାୟ ପରିଚାଳନା କରୁଛନ୍ତି। ଖାଲି ସେତିକି ନୁହେଁ, ଏମିତି ବି ବ୍ୟବସାୟୀ ଅଛନ୍ତି, ଯେଉଁମାନେ ରାସ୍ତାକଡ଼କୁ ଚାଲିଆସିବାର ସମ୍ଭାବନା ସୃଷ୍ଟି ହୋଇଥିଲା, ସେମାନେ ଆଜି କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି। ସ୍କୁଲରେ ପଢ଼ୁଥିବା ବେଳେ ପିଲାଙ୍କ ଘରକୁ ଯାଇ ଟିଉସନ କରୁଥିଲେ। ଏବେ ଶହଶହ ବ୍ୟବସାୟୀ ତାଙ୍କ ପାଖରୁ ଟିଉସନ ହେଉଛନ୍ତି। ସେ ହେଉଛନ୍ତି ବ୍ୟବସାୟର ବଡ଼ ଗୁରୁ ଡକ୍ଟର ବିବେକ ବିନ୍ଦ୍ରା। ବେଷ୍ଟ ସିଇଓ କୋଚ୍ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ଭଲ ମାର୍କେଟିଂ ପ୍ରଫେସନାଲ ଅଛନ୍ତି, ଭଲ ପ୍ରଡକ୍ଟ ବି ଅଛି, ତଥାପି ଷ୍ଟ୍ରାଟେଜି ଫେଲ୍ ହୋଇଯାଉଛି। ସେଲ୍ସରେ ଆଶାନୁରୂପକ ବୃଦ୍ଧିନାହିଁ। କେମିତି ପ୍ରଡକ୍ଟ ବିକ୍ରି କରିବେ କାହାମୁଣ୍ଡରେ ପଶୁନି। ଠିକ୍ ଏମିତି ସ୍ଥିତିରେ ବିଜନେସ ଗୁରୁ, ବିଜନେସ କୋଚ୍ ଭାବେ ଉଭା ହୁଅନ୍ତି, ଆଉ ଟ୍ରାକ୍ ବାହାରକୁ ଯାଇଥିବା କମ୍ପାନିକୁ ଟ୍ରାକକୁ ଫେରାଇ ଆଣିବାର କ୍ଷମତା ରଖନ୍ତି ବଡ଼ ବ୍ୟବସାୟର ବଡ଼ ଗୁରୁ ଡକ୍ଟର ବିବେକ ବିନ୍ଦ୍ରା ହାରିଯାଉଥିବା ଲୋକମାନଙ୍କ ପାଇଁ ପ୍ରେରଣାର ଉତ୍ସ ଡକ୍ଟର ବିବେକ ବିନ୍ଦ୍ରା। ଭଗବତ ଗୀତାର ଦର୍ଶନକୁ ବ୍ୟବହାର କରି ବୁଡ଼ିଯାଉଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାର କଳା ତାଙ୍କୁ ବେଶ୍ ମାଲୁମ। ସେଥିପାଇଁ ଭାରତର ଟପ୍ ୧୦୦ ସିଇଓ ତାଙ୍କର ଛାତ୍ର। ବ୍ୟବସାୟ ବଢ଼ାଇବାର କଳା, କୌଣସି ସମସ୍ୟାରୁ ବାହାରି ଆସିବାର କୌଶଳ ଶିଖିବା ପାଇଁ ଭିଡ଼ ଲଗାନ୍ତି। ଖାଲି ସେତିକି ନୁହେଁ ବିଶ୍ୱର ପ୍ରାୟ ୧୫୦୦ରୁ ଅଧିକ ବ୍ୟବସାୟ ସଂସ୍ଥାର ସେ ପରାମର୍ଶଦାତା। ନିଜର ଟପ୍ ଲିଡରମାନଙ୍କୁ ତାଲିମ ଦେବା ପାଇଁ ସବୁବେଳେ ଖୋଜନ୍ତି ବିଶ୍ୱର ଶ୍ରେଷ୍ଠ ବ୍ୟବସାୟିକ ସଂସ୍ଥା।

ଏପ୍ରିଲ୍ ୫ ୧୯୮୨ରେ ଜନ୍ମ ହୋଇଥିଲେ ବିବେକ ବିନ୍ଦ୍ରା। ଦିଲ୍ଲୀରେ ଜନ୍ମ ହୋଇଥିବା ବିବେକଙ୍କର ପଢ଼ାପଢ଼ି ସବୁ ଦିଲ୍ଲୀରେ ହିଁ ହୋଇଥିଲା।  ସେଣ୍ଟ ଜାଭିୟର ସ୍କୁଲରୁ ପଢ଼ା ପରେ ସେ ଆମିଟି ବିଜନେସ ସ୍କୁଲରୁ ଏମବିଏ ଡିଗ୍ରି ହାସଲ କରିଥିଲେ। କୌଣସି ଚାକିରିରେ ବାନ୍ଧି ନ ହୋଇ ସେ ଖୋଜିବା ଆରମ୍ଭ କରିଥିଲେ ବ୍ୟବସାୟିକ ସଫଳତାର ସୂତ୍ର। ବିଶେଷ କରି ଭଗବତ ଗୀତା ହିଁ ତାଙ୍କ ଜୀବନର ମୂଳ ଦର୍ଶନ। ସେ କାହାକୁ କିଛି ଶିଖାଇବା ବେଳେ ଗୀତାର ଉଦାହରଣ ଅବଶ୍ୟ ଦିଅନ୍ତି। ତାଙ୍କ ମତାମତ, ମନ୍ତବ୍ୟର ସଫଳତାର ହାର ଏତେ ଅଧିକ ଯେ କେବଳ ଦେଶ ନୁହେଁ, ବିଦେଶରେ ବି ସଂଖ୍ୟାଧିକ କ୍ଲାଏଣ୍ଟ ଅଛନ୍ତି। ତାଙ୍କ ୟୁଟ୍ୟୁବ୍ ଚ୍ୟାନଲର ଦର୍ଶକଙ୍କ ସଂଖ୍ୟା କାହିଁରେ କେତେ। ବ୍ୟବସାୟ ସମ୍ପର୍କିତ ଚ୍ୟାନେଲ ଭାବେ ତାଙ୍କ ଚ୍ୟାନେଲର ଦର୍ଶକ ସବୁଠାରୁ ଅଧିକ। ପ୍ରାୟ ୧୦ ମିଲିୟନରୁ ଅଧିକ ସକ୍ରିୟ ଦର୍ଶକ ତାଙ୍କ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଛନ୍ତି।ପ୍ରାରମ୍ଭିକ ଦିନ ଗୁଡ଼ିକରେ କେହି ତାଙ୍କ ପାଖକୁ ଆସୁ ନ ଥିଲେ। ଏହି ସମୟରେ ସେ ଗୀତା ପଢ଼ିବା ଆରମ୍ଭ କରିଥିଲେ। ଏଥିରୁ ହିଁ ବ୍ୟବସାୟିକ ସମାଧାନର ସୂତ୍ର ଖୋଜି ପାଇଥିଲେ। ଏହା ପରେ ସେ ଲୋକଙ୍କୁ ବ୍ୟବସାୟିକ ସୂତ୍ର ଶିଖାଇଲେ। ଏଥିରୁ ଲୋକଙ୍କ ସଫଳତା ମିଳିବା ଆରମ୍ଭ କଲା। ଖାଲି ସେତିକି ନୁହେଁ, ବିଭିନ୍ନ ସମୟରେ ପ୍ରେରଣାଦାୟୀ ଭିଡ଼ିଓ ପ୍ରସ୍ତୁତ କଲେ। ୨୦୧୩ ମସିହାରେ ଆରମ୍ଭ କରିଥିବା ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିବା ଆରମ୍ଭ କରିଥିଲେ। ବ୍ୟବସାୟର ଗୁରୁମନ୍ତ୍ର ଅନେକ ଲୋକଙ୍କୁ ସଫଳତା ଦେବା ପରେ ତାଙ୍କର କ୍ଲାଏଣ୍ଟଙ୍କ ସଂଖ୍ୟା ବଢ଼ିବା ଆରମ୍ଭ କଲା।

ସେ ବିଭିନ୍ନ କମ୍ପାନିର ବ୍ୟବସାୟିକ ସଫଳତା ଉପରେ ଗବେଷଣା କରନ୍ତି। କାହିଁକି ଗୋଟେ କମ୍ପାନି ବିଫଳ ହେଉଛି ସେ ସମ୍ପର୍କରେ କାରଣ ଖୋଜିବାର ଅଦ୍ଭୂତ ମାନସିକ ଦକ୍ଷତା ରଖନ୍ତି, ଡକ୍ଟର ବିବେକ। ଆଉ ଏ ଗବେଷଣାଲବ୍ଧ ତଥ୍ୟକୁ ନେଇ ବହୁ ବ୍ୟବସାୟିକ ସଂସ୍ଥା ନିଜର ଦୁର୍ବଳତା ଓ ଶକ୍ତି ସମ୍ବନ୍ଧରେ ଜାଣିପାରନ୍ତି। ଏହା ହିଁ ଡକ୍ଟର ବିବେକଙ୍କ ସଫଳତାର ସୂତ୍ର।

BGU

କେବଳ ବଡ଼ ବଡ଼ କମ୍ପାନି ନୁହେଁ, ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ତାଙ୍କ ପାଖରେ ସମାଧାନ ରହିଛି। ତାଙ୍କ କହିବା ଅନୁସାରେ ତାଙ୍କର ବିଜନେସ ପ୍ଲାନ କେବଳ ବଡ଼ କମ୍ପାନି ନୁହେଁ, ବରଂ କେଉଁଠି ଏକ ଛୋଟଗାଁର ଛୋଟ ବ୍ୟବସାୟୀ ପାଇଁ ଉଦ୍ଦିଷ୍ଟ। ବ୍ୟବସାୟର ଆନ୍ଦୋଳନ ଗାଁରୁ ଆରମ୍ଭ କରିବା ପାଇଁ ସେ ଚିନ୍ତା କରନ୍ତି। ଏଥିପାଇଁ ସେ ନିୟମିତ ଭାବେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲର ପରାମର୍ଶ ଦିଅନ୍ତି। ପ୍ରେରଣାଦାୟୀ ଉପଦେଶ ଦିଅନ୍ତି। ଖାଲି ସେତିକି ନୁହେଁ, ଏକଦମ ଆଶା ହରାଇ ସାରିଥିବା ଲୋକଙ୍କ ପାଇଁ ତାଙ୍କ ପ୍ରେରଣା ସଞ୍ଜୀବନୀ ଭଳି କାମ କରନ୍ତି। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରେରଣାଦାୟୀ ଭାଷଣ ପାଇଁ ବଡ଼ ବଡ଼ ସଂସ୍ଥା ନିମନ୍ତ୍ରଣ କରନ୍ତି। ସଫ୍ଟ ସ୍କିଲ ବଢ଼ାଇବା ପାଇଁ ବିଭିନ୍ନ ବଡ଼ ବଡ଼ କମ୍ପାନିର ମାନବ ସମ୍ବଳ ଅଧିକାରୀଙ୍କର ସେ ବଡ଼ ପସନ୍ଦ।

ନିଜର ସଫଳତା ପାଇଁ ସେ ଅନେକ ପୁରସ୍କାର ଓ ସମ୍ବର୍ଧନା ପାଇଛନ୍ତି। ଇକୋନୋମିକ୍ସ ଟାଇମ୍ସ ଗେମ ଚେଞ୍ଜର ଅଫ୍ ଦି ଇୟରଠାରୁ ଆରମ୍ଭ କରି ସମ୍ମାନସୂଚକ ଡକ୍ଟରେଟ୍ ମଧ୍ୟ ପାଇଛନ୍ତି। ଦୁବାଇର ୱାର୍ଲ୍ଡ ଲିଡରସିପ୍ ଫେଡେରେସନ ପକ୍ଷରୁ ଥିଙ୍କ ଟ୍ୟାଙ୍କ କର୍ପୋରେସନ ଅଫ୍ ଏସିଆ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୱାର୍ଲ୍ଡ ଏଚଆରଡି କଂଗ୍ରେସରେ ମାର୍ସାଲ ଗୋଲ୍ଡ ସ୍ମିଥ୍ ପକ୍ଷରୁ ବେଷ୍ଟ ଲିଡରସିପ୍ ଟ୍ରେନର ସମ୍ମାନ ମିଳିଥିଲା।

Comment