ଓଡିଶାଲାଇଭ୍ ବ୍ୟରୋ

କଟକ: ପୁରୀ ସ୍ଵର୍ଗଦ୍ଵାରକୁ ବାହାର ଜିଲ୍ଲା ଲୋକଙ୍କ ଯିବା ଉପରେ ଲାଗୁ ହୋଇଥିବା କଟକଣାକୁ ବିରୋଧ କରି ରୁଜୁ ହୋଇଥିବା ମାମଲାରେ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ସ୍ଵର୍ଗଦ୍ଵାରରେ ଯଦି ସାମାଜିକ ଦୂରତ୍ୱ ବଜାୟ ରଖି ଲୋକେ ଛିଡ଼ା ହୁଅନ୍ତି ତାହେଲେ ସର୍ବାଧିକ ୪୦ ଜଣ ଲୋକ ଛିଡ଼ା ହୋଇପାରିବେ। ଜାଗା ଅଭାବ ହେତୁ କୋଭିଡ୍‌-୧୯ କଟକଣା ଭିତରେ ବାହାର ଜିଲ୍ଲା ଲୋକଙ୍କୁ ଏଠାରେ ଶବ ସଂସ୍କାର ପାଇ ଅନୁମତି ଦେବା ସମ୍ଭବ ନୁହେଁ ବୋଲି ଅଦାଲତଙ୍କୁ ଅବଗତ କରାଯାଇଛି।

ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବି.ଆର୍‌. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୨ ତାରିଖକୁ ଧାର୍ଯ୍ୟ କରିଛନ୍ତି । କଟକର ସମାଜସେବୀ ସଞ୍ଜୀବ କୁମାର ଚିନାରା ଏହି ମାମଲା ରୁଜୁ କରିଥିଲେ। ପୁରୀ ଜିଲ୍ଲା ପ୍ରଶାସନ କୋଭିଡ୍ -୧୯ ନାଁରେ ସ୍ଵର୍ଗଦ୍ଵାରରେ ବାହାର ଜିଲ୍ଲା ଲୋକଙ୍କ ଶବଦାହ ଉପରେ କଟକଣା ଲାଗୁ କରିବା ଘଟଣାକୁ ସେ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ।ସ୍ଵର୍ଗଦ୍ଵାର ସହ ଓଡ଼ିଶାର ପ୍ରତ୍ୟେକ ହିନ୍ଦୁଙ୍କର କେଉଁଭଳି ଭାବଗତ ସମ୍ପର୍କ ରହିଛି ସେ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଥିଲେ। ଆଜି ସରକାର ଜବାବରେ ଦର୍ଶାଇଛନ୍ତି ଯେ, ପୁରୀ ଜିଲ୍ଲାରେ ଗତ ଜୁଲାଇ ୧୬ ତାରିଖ ସୁଦ୍ଧା ୩୮୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୨ ଜଣଙ୍କର ମୃତ୍ୟୁ ହୋଇଛି।

ଯେହେତୁ ପୁରୀ ଏକ ପ୍ରସିଦ୍ଧ ସ୍ଥାନ ତେଣୁ ଏଠାରେ ଯେପରି କରୋନା ଅଧିକରୁ ଅଧିକ ନ ବ୍ୟାପେ ସେଥିଲାଗି ପ୍ରଶାସନ ଅଧିକ ସଚେତନ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ କରୋନା ସମୟରେ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। କେଉଁ ଅଞ୍ଚଳରେ କଟକଣା ଲାଗୁ କରାଯିବ, କେଉଁ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯିବ, କେଉଁ ଅଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ ଏସବୁ କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି।

ଯଦି ସ୍ଵର୍ଗଦ୍ଵାର କଥା ଦେଖାଯାଏ ତାହେଲେ ଏହାର ଆୟତନ ହିସାବ କଲେ ସାମାଜିକ ଦୂରତ୍ୱ ରଖି ସର୍ବାଧିକ ୪୦ ଜଣ ବ୍ୟକ୍ତି ଏଠାରେ ଉପସ୍ଥିତ ରହିପାରିବେ। ତେଣୁ ଯଦି ଏହି ସମୟରେ ବାହାର ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ଵାର ଆସିବା ପାଇଁ ଅନୁମତି ଦିଆଯାଏ ତାହେଲେ ଗୋଟିଏ ସମୟରେ ଏକାଧିକ ଶବ ସଂସ୍କାର କରିବାକୁ ପଡ଼ିବ। ଯେଉଁଥିପାଇଁ ସ୍ଵର୍ଗଦ୍ଵାରରେ ଗହଳି ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। କିନ୍ତୁ କୋଭିଡ୍‌-୧୯ ନିୟମ ଅନୁଯାୟୀ, ଶବ ସଂସ୍କାର ବେଳେ ସର୍ବାଧିକ ୨୦ ଜଣ ଲୋକ ଉପସ୍ଥିତ ରହିବେ।ଏଠି କିନ୍ତୁ ଗୋଟିଏ ସମୟରେ ଏକାଧିକ ଶବ ସଂସ୍କାର କରାଗଲେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହେବାର ଆଶଙ୍କା ରହିଛି। ଏଣୁ ଗହଳି ରୋକିବାକୁ ପୁରୀ ଜିଲ୍ଲାପାଳ ସ୍ଵର୍ଗଦ୍ଵାରକୁ ବାହାର ଜିଲ୍ଲା ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଆବେଦନକାରୀ ଶ୍ରୀ ଚିନାରାଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ମାମଲା ପରିଚାଳନା କରୁଥିଲେ।

Comment