ଓଡିଶାଲାଇଭ୍ ବ୍ୟୁରୋ

କଟକ: ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳରେ ଚାଲିଥିବା ଗୁଣିଗାରେଡ଼ିକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦେଶରେ ଏକକ ଆଇନ୍ ନ ଥିବାରୁ ଗୁଣିଗାରେଡ଼ିଜନିତ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ତେଣୁ କେନ୍ଦ୍ର ବ୍ୟବସ୍ଥାପିକା ଦ୍ଵାରା ଏକକ ଆଇନ ଅଣାଯିବା ଆବଶ୍ୟକ ବୋଲି ହାଇକୋର୍ଟ ମତ ଦେଇଛନ୍ତି।

ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେ, ହରିୟାଣା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ବିହାର, ଆସାମ ଆଦି ରାଜ୍ୟରେ ଡାହାଣି ନାମରେ ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ଏହିସବୁ ରାଜ୍ୟରେ ଗୁଣିଗାରେଡ଼ିକୁ ନିୟନ୍ତ୍ରଣ କରିବା ଲାଗି ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଛି। କିନ୍ତୁ ଏହା ସତ୍ତ୍ୱେ ଗୁଣିଗାରେଡ଼ିଜନିତ କାର୍ଯ୍ୟ ବଢ଼ିଚାଲିଛି। ଏକକ ଆଇନ ପ୍ରଣୟନ ହେଲେ ଏଥିରେ ରୋକ୍ ଲଗାଯାଇପାରିବ ବୋଲି ହାଇକୋର୍ଟ କହିଛନ୍ତି।

ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳର ଅଭିଯୁକ୍ତ ରାମ ମୁର୍ମୁର ଦୁଇ ପୁଅ ସୁକୁଲୁ ଏବଂ ନରସିଂହର ଜାମିନ୍ ଆବେଦନକୁ ଖାରଜ କରିବା ଅବସରରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍‌.କେ. ପାଣିଗ୍ରାହୀ ଏହା କହିଛନ୍ତି।BGUଡାହାଣି ଛଡ଼ାଇବା ଆସିଥିବା ସମ୍ବରି ମୁର୍ମୁକୁ ଅଭିଯୁକ୍ତ ରାମ ମୁର୍ମୁ ଏବଂ ତାଙ୍କ ପରିବାର ଲୋକେ ପିଟିପିଟି ମାରି ଦେଇଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ତେବେ ରାମ ମୁର୍ମୁଙ୍କ ଦୁଇ ପୁଅ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ଦୁଇ ଅଭିଯୁକ୍ତଙ୍କ ଜାମିନ୍ ଆବେଦନକୁ ଖାରଜ କରିବା ଅବସରରେ ରାଜ୍ୟରେ କିପରି ଏବେ ବି’ ଗୁଣିଗାରେଡ଼ି, ଡାହାଣି ଆଦିକୁ ନେଇ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଘର କରି ରହିଛି ତାହା ରାୟରେ ଉଲ୍ଲେଖ କରିଛନ୍ତି।

ରାୟରେ ଦର୍ଶାଯାଇଛି ଯେ, ଗୁଣିଗାରେଡ଼ି ଆଳରେ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି। ଆଦିବାସୀ ସମ୍ପ୍ରଦାୟରେ ଏହି କାର୍ଯ୍ୟ ବିଶେଷକରି ସ୍ଥାନୀୟ ରାଜନୀତି ସହ ଜଡ଼ିତ। ବହୁ ଆଦିବାସୀ ମହିଳାଙ୍କୁ ଡାହାଣି ବୋଲି ଧାରଣା ସୃଷ୍ଟି କରାଯାଇ ସେମାନଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦିଆଯାଇଥାଏ। ସମାଜର ଗରିବ ଏବଂ ଅଶିକ୍ଷିତ ମହିଳାମାନେ ଏହାର ଅଧକ ଶିକାର ହୋଇଥା’ନ୍ତି।ଏହିଭଳି ଲୋକଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ଦାୟିତ୍ୱରେ ଥିବା ଅଧିକାରୀମାନେ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ବିଧବା ମହିଳା ଏବଂ ନିମ୍ନ ଜାତିର ଛୋଟ ପିଲାମାନଙ୍କୁ ଡାହାଣି ବୋଲି ବେଶୀ ଆକ୍ଷେପ କରାଯାଏ। ଏମାନଙ୍କ ଉପରେ ନିର୍ଯାତନା ହେଲେ ମଧ୍ୟ ଏମାନଙ୍କ ସ୍ୱର ବଡ଼ବଡ଼ିଆଙ୍କ ଚାପରେ ଚପିଯାଏ। ଏହିଭଳି ଅପରାଧକୁ ଦୃଢ଼ ହସ୍ତରେ ଦମନ କରାଯିବା ଆବଶ୍ୟକ। ଏହି ବାର୍ତ୍ତା ମଧ୍ୟ ସ୍ପଷ୍ଟ ଭାବେ ସମସ୍ତଙ୍କ ନିକଟରେ ପହଞ୍ଚିବା ଦରକାର ବୋଲି ହାଇକୋର୍ଟ ମତ ପ୍ରକାଶ କରିଛନ୍ତି।

Comment