ଓଡିଶାଲାଇଭ୍ ବ୍ୟୁରୋ

କଟକ: କିଛି ଅଧିକାରୀଙ୍କ ଅବହେଳା ପାଇଁ ରାଜ୍ୟ ସରକାର ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍ କମ୍ପାନିଠାରୁ ୧୪୦ କୋଟି ଟଙ୍କାର ପ୍ରବେଶ କର ଆଦାୟ କରିପାରିନାହାନ୍ତି। ପ୍ରକୃତ ଫୋରମ୍‌ରେ ଏହି ଅର୍ଥ ପାଇବା ଲାଗି ଆବେଦନ ନ କରିବାରୁ ରାଜ୍ୟ ସରକାରଙ୍କୁ ୧୪୦ କୋଟି ଟଙ୍କା ହରାଇବାକୁ ପଡ଼ିଛି। ତେଣୁ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କଠାରୁ ଏହି ଅର୍ଥ ଆଦାୟ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି।

ଓଡ଼ିଶା ସିଭିଲ୍ ଲିବର୍ଟି ଫୋରମ୍‌ର ଉପସଭାପତି ପ୍ରମୋଦ କୁମାର ପଟ୍ଟନାୟକ ଏହି ମାମଲା ଦାଏର୍ କରିଛନ୍ତି। ଆବେଦନକାରୀ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ପ୍ରବେଶ କର ଲାଗୁ କରିବା ପରେ ଏହାକୁ ଚାଲେଞ୍ଜ କରି ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା। କିନ୍ତୁ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କ ଏହି ପ୍ରବେଶ କର ବୈଧ ବୋଲି ଦର୍ଶାଇଥିଲେ। ସେହି ସମୟରେ କ୍ଷତିରେ ଚାଲୁଥିବା ଏହି କମ୍ପାନି ଗ୍ରହୀତାଙ୍କ ଋଣ ଶୁଝିନପାରି ନାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲଙ୍କ ଦ୍ଵାରସ୍ଥ ହୋଇଥିଲା।ସେତେବେଳେ ବିଭିନ୍ନ ସଂସ୍ଥା ନିଜର ପ୍ରାପ୍ୟ ପାଇବା ନେଇ ଟ୍ରିବ୍ୟୁନାଲରେ ନିଜ ନିଜର ପକ୍ଷ ରଖିଥିଲେ। ଟ୍ରିବ୍ୟୁନାଲଙ୍କ ଦ୍ଵାରା ଗଠିତ ରିଜୋଲ୍ୟୁସନ୍ ପ୍ରଫେସନାଲ କେଉଁମାନେ ସେମାନଙ୍କ ପ୍ରାପ୍ୟ ପାଇବେ ତାହାର ଏକ ତାଲିକା ପ୍ରସ୍ତୁତ କରିଥିଲେ। ଏହି ତାଲିକାକୁ ଟ୍ରିବ୍ୟୁନାଲ ମଞ୍ଜୁର ମଧ୍ୟ କରିଥିଲେ। କିନ୍ତୁ ରାଜ୍ୟ ସରକାର ଏଥିରେ ନିଜର ପକ୍ଷ ନ ରଖିବାରୁ ଟ୍ରିବ୍ୟୁନାଲ ଦ୍ଵାରା ଗଠିତ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇପାରି ନଥିଲେ। ଏହା ବିରୋଧରେ ନାସନାଲ କମ୍ପାନି ଲ’ ଅପିଲେଟ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିବା ରାଜ୍ୟ ସରକାରଙ୍କୁ ମଧ୍ୟ ହାରିବାକୁ ପଡ଼ିଥିଲା।

ରାଜ୍ୟ ସରକାରଙ୍କର ଭୂଷଣ କମ୍ପାନିଠାରୁ ୧୪୦ କୋଟି ଟଙ୍କା ପାଇବାର ହକ୍ ଥିଲେ ମଧ୍ୟ ଟ୍ରିବ୍ୟୁନାଲ ଦ୍ଵାରା ଗଠିତ ରିଜୋଲ୍ୟୁସନ୍ ପ୍ରଫେସନାଲ୍‌ରେ ନିଜର ପକ୍ଷ ରଖିନଥିବାରୁ ଅପିଲେଟ୍ ଟ୍ରିବ୍ୟୁନାଲ ଏହାକୁ ଖାରଜ କରି ଦେଇଥିବା କଥା ରାୟରେ ଉଲ୍ଲେଖ କରିଥିଲେ। କରୋନା ଭଳି ଆର୍ଥିକ ସଙ୍କଟଜନକ ସ୍ଥିତିରେ ଯେଉଁଠି ରାଜ୍ୟ ସରକାର ଦରମା ଦେଇନପାରି ଠିକା କର୍ମଚାରୀଙ୍କୁ ଛଟେଇ କରୁଛନ୍ତି ସେଠି ସରକାରୀ ଅଧିକାରୀଙ୍କ ଅବହେଳା ପାଇଁ ୧୪୦ କୋଟି ଟଙ୍କା ହରାଇବାକୁ ପଡ଼ିଛି।BGUତେଣୁ ଦୋଷୀ ଅଧିକାରୀଙ୍କଠାରୁ ଏହି ଅର୍ଥ ଆଦାୟ କରାଯିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ରୁଜୁ କରିଛନ୍ତି।

Comment