ଓଡିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ସାରା ବିଶ୍ଵକୁ ପ୍ରଭାବିତ କରିଛି। ଏଭଳି ସ୍ଥିତିରେ ଆମେ ଆଗାମୀକାଲି ପାଇଁ କିପରି ପ୍ରସ୍ତୁତ ହେବା, ଏଥିପାଇଁ ୟୁନିସେଫ୍ ଓ ଓଡ଼ିଶା ସରକାର ମିଳିତ ଭାବେ କେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି? ସେ ସମ୍ପର୍କରେ କହୁଛନ୍ତି ୟୁନିସେଫ୍ ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍।

“କରୋନା ମହାମାରୀ ଆମ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି। ବର୍ତ୍ତମାନ ସମୟରେ ଆମେ କିଭଳି ଆଗାମୀକାଲି ପାଇଁ ପ୍ରସ୍ତୁତ ହେବା, କିଭଳି ଆମ ଆଗାମୀ ଜୀବନକୁ ପୁଣି ଥରେ ଗଢ଼ିତୋଳିବା ସେ ବିଷୟରେ ଚିନ୍ତା କରିବା ଉଚିତ”, କହିଛନ୍ତି ମୋନିକା ନେଲ୍‌ସନ୍।

ୟୁନିସେଫ୍ ସହଭାଗିତାରେ ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ର ଦ୍ଵାଦଶ ଅଧ୍ୟାୟ ‘ବିଲ୍ଡିଂ ବ୍ୟାକ୍ ବେଟର’ରେ ଭାଗ ନେଇ ମୋନିକା ଏ ସମ୍ପର୍କରେ କହିଛନ୍ତି।

କରୋନା ମହାମାରୀ ସୁଯୋଗ ସୃଷ୍ଟି କରିଛି

କରୋନା ମହାମାରୀ ମାନବଜାତିକୁ ଅନେକ ପଛକୁ ଠେଲି ଦେଇଛି ସତ କିନ୍ତୁ ଏହା ଆମ ପାଇଁ ଅନେକ ସୁଯୋଗ ମଧ୍ୟ ସୃଷ୍ଟି କରିଛି ବୋଲି ମୋନିକା କହିଛନ୍ତି। “କରୋନା ମହାମାରୀ ଆମ ଜୀବନକୁ ଆହୁରି ଭଲ ଭାବେ ଗଢ଼ିତୋଳିବା ପାଇଁ ଏକ ସୁଯୋଗ ପ୍ରଦାନ କରିଛି”, ସେ ମତବ୍ୟକ୍ତ କରିଛନ୍ତି।ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵ

କରୋନା ମହାମାରୀ ଆମକୁ ଅନେକ ଶିକ୍ଷା ଦେଇଛି। ମୋନିକା କହିଛନ୍ତି, “ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ପରିବେଶ ସଂରକ୍ଷଣ ଉପରେ ଗୁରୁତ୍ଵ ଦେବା ନିହାତି ଜରୁରୀ, ଯାହାଦ୍ଵାରା ଆମମାନଙ୍କ ସହ ଆମ ଭବିଷ୍ୟତ ପିଢ଼ିର ସ୍ଥାୟୀ ସହଭାଗିତା ରକ୍ଷା ହୋଇପାରିବ।”

ସେ ଆହୁରି କହିଛନ୍ତି, “ଆମେ ଆମର କାର୍ଯ୍ୟକଳାପ ଦ୍ଵାରା ଜଳ,ବାୟୁ ଓ ମୃତ୍ତିକା ପ୍ରଦୂଷଣ କରିଚାଲିଛୁ। ଏହାର ଓଲଟା ପ୍ରଭାବ ଆମ ଉପରେ ପଡ଼ୁଛି ଏବଂ କ୍ଷତି ହେଉଛି। ତେଣୁ ଆମେ ନ୍ୟୁ ନର୍ମାଲରେ ଏସବୁକୁ କିପରି କମ୍ କରିପାରିବା ସେ ଦିଗରେ ଗୁରୁତ୍ଵ ଦେବା ଆବଶ୍ୟକ।”

ପଛୁଆ ବର୍ଗର ଲୋକଙ୍କୁ ଆଗକୁ ଆଣିବା

ଆମେ ପୁଣି ଥରେ ଆମ ଜୀବନ ଗଢ଼ି ତୋଳିବାକୁ ଚେଷ୍ଟା କରୁଛୁ। ଏଭଳି ସମୟରେ ପଛୁଆ ତଥା ଅସୁରକ୍ଷିତ ବର୍ଗର ଲୋକଙ୍କୁ ଆମ ସହ ସାମିଲ କରିବା ନିହାତି ଜରୁରୀ ବୋଲି ମୋନିକା କହିଛନ୍ତି।

ସେ ଆହୁରି କହିଛନ୍ତି, “କରୋନା ସମୟରେ ପ୍ରବାସୀ ଶ୍ରମିକମାନେ ରାତାରାତି ନିଜ ଜୀବିକା ହରେଇ ଅସହାୟ ହୋଇପଡ଼ିଛନ୍ତି। ସେମାନେ କିଛି ନୂଆ ସୁଯୋଗ ପାଇବା ଆଶାରେ ବିପଦପୂର୍ଣ୍ଣ ଅବସ୍ଥାରେ ଘରକୁ ଫେରୁଛନ୍ତି। ଆମେ ଏହି ଶ୍ରମିକ ଶ୍ରେଣୀର ଲୋକଙ୍କ ସମେତ ସମସ୍ତ ପଛୁଆ ଶ୍ରେଣୀର ଲୋକଙ୍କୁ ଆମ ପୁନରୁଦ୍ଧାର ପଥରେ ସାମିଲ କରିବା ଦରକାର।”ପ୍ରବାସୀଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା

କରୋନା ମହାମାରୀ ଯୋଗୁଁ ଅନେକ ପ୍ରବାସୀ ନିଜ ଜୀବିକା ହରାଇଛନ୍ତି। ସେମାନଙ୍କ ସହାୟତା ଲାଗି ୟୁନିସେଫ୍ ଓ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେ ସମ୍ପର୍କରେ ସୂଚନା ଦେଇ ମୋନିକା କହିଛନ୍ତି, “ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏକ ଉତ୍ତମ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ୟୁନିସେଫ୍ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିଛି।

ଶିକ୍ଷା ଏବଂ ପିଲାଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ପିଲାଙ୍କ ଉପରେ କରୋନା ବିଶେଷ ଭାବେ ପ୍ରଭାବ ପକାଇଛି। ତେଣୁ ପିଲାମାନଙ୍କ ପାଇଁ ୟୁନିସେଫ୍ ଏବଂ ରାଜ୍ୟ ସରକାର ମିଳିତ ଭାବେ କାମ କରୁଛନ୍ତି।

“ପିଲାଙ୍କୁ ସୁରକ୍ଷିତ ରଖିବା ସହ ସେମାନଙ୍କୁ ନିଜ ସାମର୍ଥ୍ୟ ବିଷୟରେ ଜଣେଇବା ପାଇଁ ଆମର ଯେଉଁ ପ୍ରତିବଦ୍ଧତା ଥିଲା ବର୍ତ୍ତମାନ ସମୟରେ ତାକୁ ଆମେ ପୁଣି ଆରମ୍ଭ କରିବା ଜରୁରୀ। ୟୁନିସେଫ୍ ଓଡ଼ିଶା ସରକାରଙ୍କ ସହ ମିଶି ଶିକ୍ଷା କ୍ଷେତ୍ରରେ ସୃଷ୍ଟି ହୋଇଥିବା ବ୍ୟାଘାତକୁ ଯଥାସମ୍ଭବ ଦୂର କରିବା ପାଇଁ ଚେଷ୍ଟା କରୁଛି। ଏଥିସହ ଅନୁଷ୍ଠାନଗୁଡ଼ିକରେ ରହୁଥିବା ପିଲାମାନଙ୍କ ସୁରକ୍ଷା ପାଇଁ ଆମେ ଅଂଶୀଦାରମାନଙ୍କ ସହ ମିଶି କାମ କରୁଛୁ”, ମୋନିକା କହିଛନ୍ତି।ଦୃଢ଼ ସହଭାଗିତା

କରୋନା ମହାମାରୀ ସାରା ବିଶ୍ଵକୁ ଏକାଠି ହୋଇ ଲଢ଼ିବାକୁ ଶିକ୍ଷା ଦେଇଛି। ମୋନିକା କହିଛନ୍ତି, “ଏହି ମହାମାରୀ ଆମକୁ ସହଭାଗୀତା ଶକ୍ତିର ଗୁରୁତ୍ଵ ବୁଝାଇଛି। ବର୍ତ୍ତମାନ ସମୟରେ ଅନେକ ଲୋକ, ଘରୋଇ ଉଦ୍ୟୋଗ ଏବଂ ସରକାର ଲୋକଙ୍କୁ ସାହାଯ୍ୟ କରିବାକୁ ମିଳିତ ଭାବେ ଆଗେଇ ଆସିଛନ୍ତି। ଏମାନେ ପରସ୍ପରକୁ ମଧ୍ୟ ସାହାଯ୍ୟ କରୁଛନ୍ତି। ତେଣୁ ଏହି ମହାମାରୀରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହେବା ପାଇଁ ସମସ୍ତଙ୍କ ଭିତରେ ଦୃଢ଼ ସହଭାଗିତା ରହିବା ଜରୁରୀ। କାରଣ ମହାମାରୀ ହେଉ କିମ୍ବା ଅନ୍ୟ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ଏସବୁ ଲୋକଙ୍କୁ ଏକାଠି କରିଥାଏ ଯାହାକି ବର୍ତ୍ତମାନ କୋଭିଡ୍ ସମୟରେ ଆମେ ଦେଖୁଛୁ।”

କୋଭିଡ୍ ମୁକାବିଲାରେ ୟୁନିସେଫ୍ ଓ ଓଡ଼ିଶାର ବିଭିନ୍ନ ପଦକ୍ଷେପ, କୋଭିଡ୍ ହିରୋମାନଙ୍କର କାହାଣୀ, ବିଶେଷଜ୍ଞଙ୍କ ପରାମର୍ଶ ଆଦିକୁ ନେଇ ଆରମ୍ଭ ହୋଇଥିଲା ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏହି ଧାରାବାହିକ ଏବେ ଦ୍ୱାଦଶ ଅଧ୍ୟାୟରେ ପହଞ୍ଚିଛି। ଏହି ଅଧ୍ୟାୟର ବିଷୟ ବସ୍ତୁ ରହିଛି ‘ବିଲ୍ଡିଂ ବ୍ୟାକ୍ ବେଟର’। ଅର୍ଥାତ କୋଭିଡ୍ ମୁକାବିଲାରୁ ଆମେ ଯେଉଁ ଶିକ୍ଷା ପାଇଲେ ତାହାକୁ ଅଧାର କରି କିଭଳି ଆଗାମୀ ଦିନରେ ଏହିଭଳି ବିପତ୍ତିକୁ ସାମ୍ନା କରିବା ସେ ସମ୍ପର୍କରେ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟ ପ୍ଲସ୍ ବିଭିନ୍ନ ବିଷୟର ବିଶେଷଜ୍ଞଙ୍କ ସହ ଏହି ଧାରାବାହିକରେ ଆଲୋଚନା କରୁଛି। ସେମାନଙ୍କର ଭାବନା, ଦୃଷ୍ଟିଭଙ୍ଗୀକୁ ଲୋକଙ୍କ ନିକଟରେ ପହଞ୍ଚାଉଛି।BGUଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment