ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ବିଶ୍ୱ ସଙ୍କଟ ପରିଚାଳନା କରିବାକୁ ହେଲେ ପ୍ରଥମେ ଶିଶୁ ଓ ମହିଳାଙ୍କୁ କେନ୍ଦ୍ର କରି ଚିନ୍ତା କରିବାକୁ ପଡ଼ିବ’’ – କୋଭିଡ ପରିସ୍ଥିତିରେ ଶିଶୁ ଓ ମହିଳାଙ୍କ ସୁରକ୍ଷା ଚିନ୍ତା କରି ଏଭଳି କହିଛନ୍ତି ଆକ୍ସନ ଏଡର ‘ବାଲ୍ୟ ବିବାହ ବିରୋଧୀ କାର୍ଯ୍ୟକ୍ରମ’ର ନାସନାଲ ମ୍ୟାନେଜର ଘାସିରାମ ପଣ୍ଡା।

କରୋନା ପିଲାମାନଙ୍କୁ ବେଶ କଲବଲ କରିଛି। ଏମିତି ଥରକୁ ଥର ମହାମାରୀ ଆସିଲେ କ’ଣ ହେବ? ପିଲାମାନଙ୍କ ପ୍ରତି ଆସୁଥିବା ଏହି ବିପଦକୁ କିଭଳି ଟାଳି ହେବ? ସେ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି ଆକ୍ସନ ଏଡର ବାଲ୍ୟ ବିବାହ ବିରୋଧୀ କାର୍ଯ୍ୟକ୍ରମର ନାସନାଲ ମ୍ୟାନେଜର ଘାସିରାମ ପଣ୍ଡା।BGU

ୟୁନିସେଫ୍, ଓଡିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ର ଦ୍ଵାଦଶ ଅଧ୍ୟାୟ ‘ବିଲ୍ଡିଂ ବ୍ୟାକ୍ ବେଟର’ରେ ଯୋଗ ଦେଇ ଘାସିରାମ ପଣ୍ଡା କହିଛନ୍ତି, ‘‘ଯେକୌଣସି ମହାମାରୀ ଆସେ ବା ଯେକୌଣସି ବିପଦ ଆସେ ସେ ସମୟରେ ସବୁଠୁ ଅଧିକ ଯେଉଁମାନେ ପ୍ରଭାବିତ ହୁଅନ୍ତି ସେମାନେ ହେଲେ ମହିଳା ଓ ଶିଶୁ। ବିଶେଷ କରି ଯେଉଁ ଶିଶୁଙ୍କ ବାପା, ମା’ ନାହାନ୍ତି ଯେଉଁମାନଙ୍କ ବିଭିନ୍ନ କାରଣରୁ ଆର୍ଥିକ ଅବସ୍ଥା ଖରାପ ରହିଛି , ଯେଉଁମାନେ ବିଦ୍ୟାଳୟକୁ ଯାଇପାରୁ ନାହାନ୍ତି ସେମତି କ୍ଷେତ୍ରରେ ପିଲାମାନେ ଅଧିକ ବିପଦଶଙ୍କୁଳ ଅବସ୍ଥାକୁ ଯାଆନ୍ତି। ତେବେ ଏମିତି କ୍ଷେତ୍ରରେ ଯେତେବେଳେ ଆମେ କୌଣସି ବିପଦର ପରିଚାଳନା କରନ୍ତି ସେତେବେଳେ ପିଲାମାନଙ୍କୁ କେନ୍ଦ୍ର କରି ଚିନ୍ତା କରିବାକୁ ପଡ଼ିବ। ଏଥିସହିତ ଏକ ବିପର୍ଯ୍ୟୟ ସହଣୀ ବ୍ୟବସ୍ଥା କରିବାକୁ ହେଲେ ପ୍ରଥମେ ଆମକୁ ପିଲାମାନଙ୍କୁ ଶୁଣିବାକୁ ପଡ଼ିବ, ସେମାନଙ୍କୁ ବୁଝିବାକୁ ପଡ଼ିବ’’।

ସମସ୍ୟା ସମୟରେ କେବଳ ପିଲାମାନଙ୍କ କଥା ଶୁଣିଲେ ହେବ ନାହିଁ, ସେମାନଙ୍କ ଅଧିକାର ଓ ସୁରକ୍ଷା ଭଳି ବିଷୟଗୁଡ଼ିକୁ ସୁନିଶ୍ଚିତ କରିବାକୁ ହେବ। ଘରେ ଘରେ ଓ ସମାଜରେ ସମସ୍ତଙ୍କୁ ଦୃଷ୍ଟିଭଙ୍ଗୀ ବଦଳାଇବାକୁ ହେବ। ଏ ସମ୍ପର୍କରେ ଘାସୀରାମ ପଣ୍ଡା କହନ୍ତି,‘‘ ଯେଉଁ ଅଞ୍ଚଳରେ ପିଲାଟି ରହେ ସେ ସମାଜକୁ ପିଲାମାନଙ୍କର ଅଧିକାର ସମ୍ପର୍କରେ ଚିନ୍ତା କରିବାକୁ ହେବ। ପିଲାମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ଏକ ସାମଜିକ ବ୍ୟବସ୍ଥା କରିବା ଦିଗରେ କାମ କରିବାକୁ ପଡ଼ିବ।ଏଥିସହିତ ଅଭିଭାବକମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାକୁ ପଡ଼ିବ’’।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ପିଲାମାନଙ୍କ ପାଇଁ ସରକାରୀ ବ୍ୟବସ୍ଥା ରହିଛି। ପିଲାଙ୍କ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ପଦ ପଦବୀ ଓ ଅନେକ ଅନୁଷ୍ଠାନ ସୃଷ୍ଟି କରାଯାଇଛି। ଜିଲ୍ଲାସ୍ତରରେ ଶିଶୁ କଲ୍ୟାଣ କମିଟି ରହିଛି। ବିଭିନ୍ନ ସ୍ଥାନରେ ବାଲ୍ୟ ବିବାହ ନିଷେଧ ଅଧିକାରୀମାନେ ନିଯୁକ୍ତ ହୋଇଛନ୍ତି। ଜିଲ୍ଲାସ୍ତରରେ ଶିଶୁ ଶ୍ରମ ଓ ଶିଶୁ ଶ୍ରମିକଙ୍କୁ ନିଷେଧ କରିବା ପାଇଁ କମିଟି ଅଛି। ଏହି ଅଧିକାରୀମାନେ ଓ ଅନୁଷ୍ଠାନମାନେ ରହିଲେ ସେମାନଙ୍କୁ ସଶକ୍ତ କରିବାକୁ ହେବ। ସେମାନେ କିଭଳି ପିଲାଙ୍କ ନିକଟରେ ପହଞ୍ଚିପାରିବେ ସେ ଦିଗରେ ଯଥେଷ୍ଟ କାର୍ଯ୍ୟକ୍ରମ ଆଗକୁ ନେବାକୁ ହେବ।  ଏହି ଧାରାରେ କାମ କଲେ ପିଲାମାନେ ଯେକୌଣସି ବିପଦ ସଙ୍କୁଳ ସମୟରେ ସୁରକ୍ଷିତ ରହିପାରିବେ’’।

କୋଭିଡ୍ ମୁକାବିଲାରେ ୟୁନିସେଫ୍ ଓ ଓଡ଼ିଶାର ବିଭିନ୍ନ ପଦକ୍ଷେପ, କୋଭିଡ୍ ହିରୋମାନଙ୍କର କାହାଣୀ, ବିଶେଷଜ୍ଞଙ୍କ ପରାମର୍ଶ ଆଦିକୁ ନେଇ ଆରମ୍ଭ ହୋଇଥିଲା ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏହି ଧାରାବାହିକ ଏବେ ଦ୍ୱାଦଶ ଅଧ୍ୟାୟରେ ପହଞ୍ଚିଛି। ଏହି ଅଧ୍ୟାୟର ବିଷୟ ବସ୍ତୁ ରହିଛି ‘ବିଲ୍ଡିଂ ବ୍ୟାକ୍ ବେଟର’। ଅର୍ଥାତ କୋଭିଡ୍ ମୁକାବିଲାରୁ ଆମେ ଯେଉଁ ଶିକ୍ଷା ପାଇଲେ ତାହାକୁ ଅଧାର କରି କିଭଳି ଆଗାମୀ ଦିନରେ ଏହିଭଳି ବିପତ୍ତିକୁ ସାମ୍ନା କରିବା ସେ ସମ୍ପର୍କରେ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟ ପ୍ଲସ୍ ବିଭିନ୍ନ ବିଷୟର ବିଶେଷଜ୍ଞଙ୍କ ସହ ଏହି ଧାରାବାହିକରେ ଆଲୋଚନା କରୁଛି। ସେମାନଙ୍କର ଭାବନା, ଦୃଷ୍ଟିଭଙ୍ଗୀକୁ ଲୋକଙ୍କ ନିକଟରେ ପହଞ୍ଚାଉଛି।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟ ପ୍ଲସ୍ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଛନ୍ତି ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ। ଏଥିରେ ସହଯୋଗ କରିଛନ୍ତି ୟୁନିସେଫ୍ ଓଡ଼ିଶା।

Comment