ଓଡିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଜଣେ ମହିଳାଙ୍କୁ ରାସ୍ତାରେ ଆଣି ଠିଆ କରାଇଥିଲା। କିନ୍ତୁ ତାଙ୍କୁ ବଞ୍ଚିବାର ରାହା ଦେଖାଇଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ।ଅର୍ଥ ସହାୟତା ନ ଦେଇ ସବ୍ୟସାଚୀ ମହିଳା ଜଣଙ୍କୁ ନିଜ ଗୋଡ଼ରେ ଛିଡ଼ା କରାଇବା ପାଇଁ ଏକ ବ୍ୟବସାୟର ବାଟ ବତାଇଲେ। ତାଙ୍କ ପାଇଁ ରୋଷେଇ ଉପକରଣ ଓ କଂଚାମାଲ କିଣି ଆଣି ଦେବା ପରେ ସେହି ସମ୍ବଳକୁ ନେଇ ମହିଳା ଜଣକ ଖୋଲିଲେ ଏକ କ୍ୟାଣ୍ଟିନ୍। ଏହାର ନାଁ ରହିଲା ‘ସବ୍ୟସାଚୀ କ୍ୟାଣ୍ଟିନ୍’।

କରୋନା ମହାମାରୀ ସମୟରେ ପ୍ରବାସୀ କିମ୍ବା ଅସହାୟ ଲୋକଙ୍କ ପାଇଁ କେହି ଥାଉ କି ନ ଥାଉ, ଭାରତରେ ଅଭିନେତା ସୋନୁ ସୁଦ୍ ଏବଂ ଓଡ଼ିଶାରେ ଅଭିନେତା ସବ୍ୟସାଚୀ ନିହାତି ସେମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ପ୍ରସ୍ତୁତ ରହିଛନ୍ତି। ପୂର୍ବରୁ ଅନେକ ପ୍ରବାସୀ ଓ ଅସହାୟ ବ୍ୟକ୍ତି ସୋନୁ ସୁଦ୍‌ଙ୍କ ସହାୟତା ପାଇ ତାଙ୍କରି ନାମରେ ନିଜ ବ୍ୟବସାୟ ପ୍ରତିଷ୍ଠାନର ନାମ ରଖିଛନ୍ତି। କେନ୍ଦ୍ରାପଡ଼ାର ଜଣେ ପ୍ରବାସୀ ଓଡ଼ିଆଙ୍କୁ ସୋନୁ ସୁଦ୍ ଘରକୁ ଫେରାଇ ଆଣିବା ପରେ ସେ ଯେଉଁ ଦୋକାନ ଖୋଲିଲେ, ତାହାର ନାମ ରହିଲା ସୋନୁ ସୁଦ ଶପ୍। ସେହିପରି ଅଭିନେତା ସବ୍ୟସାଚୀ ଭୁବନେଶ୍ୱରର ଜଣେ ମହିଳାଙ୍କୁ ସହାୟତା ଦେଇ ସ୍ୱାବଲମ୍ବୀ କରିବା ପରେ ସେ ଖୋଲିଛନ୍ତି ‘ସବ୍ୟସାଚୀ କ୍ୟାଣ୍ଟିନ୍’।ଭାଗ୍ୟ ଆଣି ଦେଇଥିଲା ଖରାପ ସ୍ଥିତି

ଭୁବନେଶ୍ୱରର ରସୁଲଗଡ଼ ନିକଟସ୍ଥ ଜିଜିପି କଲୋନୀରେ ରୁହନ୍ତି ଜ୍ୟୋତ୍ସ୍ନା ମହାନ୍ତିି। କରୋନା ମହାମାରୀ ଯୋଗୁ ଯେଉଁ ଲକ୍‌ଡାଉନ ଜାରି ହେଲା, ସେଥିରେ ଅନେକଙ୍କ ରୋଜଗାରର ବାଟ ବନ୍ଦ ହୋଇଗଲା। ଅନ୍ୟମାନଙ୍କ ଭଳି ଜ୍ୟୋତ୍ସାଙ୍କୁ ମଧ୍ୟ କରୋନାଜନିତ ଆର୍ଥିକ ଦୁଃସ୍ଥିତିର ସାମ୍ନା କରିବାକୁ ପଡ଼ିଲା। ଲକ୍‌ଡାଉନର ଏଇ ୫ ମାସ ଭିତରେ ତାଙ୍କୁ ଜୀବନ ଜୀବିକା ନେଇ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ ରାଶନରେ ଆସିଥିବା ଚାଉଳ, ଡାଲିକୁ ବିକି ମଧ୍ୟ ପଇସା ଯୋଗାଡ଼ କରିବାକୁ ବାଧ୍ୟ ହୋଇଛନ୍ତି ସେ। ବାପଘରୁ ମଧ୍ୟ ତାଙ୍କୁ କିଛି କିଛି ସହାୟତା ମିଳୁଥିଲା। କରୋନା ଭଳି ଘଡ଼ିସନ୍ଧି ମୁହୂର୍ତରେ ତାଙ୍କୁ ଉତର ବିଧାୟକ ସୁଶାନ୍ତ ରାଉତଙ୍କ ତରଫରୁ ମଧ୍ୟ କିଛି ସରକାରୀ ସହାୟତା ବ୍ୟବସ୍ଥା ହୋଇଥିଲା। ଏସବୁ ସତ୍ତ୍ଵେ ଆଜିକାର ମହଙ୍ଗା ଯୁଗରେ ପାଖରେ ପଇସା ନ ଥିଲେ ଘର ପରିବାର ଚଳେନି। ଏନେଇ ଜ୍ୟୋତ୍ସ୍ନା ବହୁ ଘାତ ପ୍ରତିଘାତର ସାମ୍ନା କରିଛନ୍ତି।

ଅଭାବ ଥାଇ ବି ସ୍ୱାଭିମାନର ସହ ବଞ୍ଚିବାକୁ ଇଚ୍ଛା ଥିଲା

ଜ୍ୟୋତ୍ସ୍ନାଙ୍କ ନିଜ ଘର ନିଆଳି। କିନ୍ତୁ ୧୪ ବର୍ଷ ହେଲାଣି ସେ ଭୁବନେଶ୍ୱରରେ ରହିଆସୁଛନ୍ତି। ପରିବାର କହିଲେ ପୁଅ ଓ ଝିଅ। ପୁଅ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଝିଅ ଅଷ୍ଟମ ଶ୍ରେଣୀର ଛାତ୍ରୀ। ସେମାନଙ୍କୁ ପାଠ ପଢ଼ାଇ ମଣିଷ କରିବା ଓ ସମାଜରେ ସ୍ୱାଭିମାନର ସହ ବଂଚିବାର ସ୍ୱପ୍ନ ଜ୍ୟୋତ୍ସ୍ନାଙ୍କ ଭିତରେ ରହିଛି। ପୂର୍ବରୁ ଜ୍ୟୋତ୍ସ୍ନାଙ୍କ ପାରିବାରିକ ଓ ଆର୍ଥିକ ଜୀବନ ବେଶ୍ ଭଲ ଥିଲା। କିନ୍ତୁ ଭାଗ୍ୟ ତାଙ୍କୁ ଏଭଳି ପରିସ୍ଥିତିରେ ଆଣି ଛିଡ଼ା କରାଇଦେଲା। କରୋନା ଯେଉଁ ଆର୍ଥିକ ଦୁଃସ୍ଥିତି ଦେଇଛି, ସେଥିରେ ମଧ୍ୟ ସେ କେବଳ କାହାଠୁ ଆର୍ଥିକ ସହାୟତା ନ ଲୋଡ଼ି ସ୍ୱାବଲମ୍ବୀ ହେବା ପାଇଁ ରୋଜଗାରର ବାଟ ଚାହୁଁଥିଲେ। ଜ୍ୟୋତ୍ସ୍ନା ପୂର୍ବରୁ ଗୋଟିଏ ସ୍ୱୟଂ ସହାୟିକା ଗୋଷ୍ଠୀ କରି ତାହାର ସଭାନେତ୍ରୀ ଅଛନ୍ତି। ଏହାର ନାମ ଓମ୍ ସାଇ ସ୍ୱୟଂ ସହାୟିକା ଗୋଷ୍ଠୀ ଯେଉଁଥିରେ ୧୦ ଜଣ ସଦସ୍ୟ ଅଛନ୍ତି। ସେହିପରି ନୀଳକଣ୍ଠେଶ୍ୱର ମହିଳା ମହାସଂଘର ସେ ସମ୍ପାଦିକା ମଧ୍ୟ ରହିଛନ୍ତି।ଦେବଦୂତ ସାଜିଲେ ଅଭିନେତା ସବ୍ୟସାଚୀ

କରୋନା ଦୁଃସ୍ଥିତି ସମୟରେ ଜ୍ୟୋତ୍ସ୍ନାଙ୍କ ପାଇଁ ଦେବଦୂତ ଭଳି ଉଭା ହେଲେ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର। ପୂର୍ବରୁ ଅନେକ ପ୍ରବାସୀ ଓଡ଼ିଆଙ୍କୁ ଘରକୁ ସୁରକ୍ଷିତ ଫେରାଇ ଆଣିବା, ସେମାନଙ୍କୁ ସହାୟତାର ହାତ ବଢ଼ାଇଥିବା ସବ୍ୟସାଚୀ ଜ୍ୟୋତ୍ସ୍ନାଙ୍କୁ କେବଳ ଆର୍ଥିକ ସହଯୋଗ ଦେଲେ ନାହିଁ, ବରଂ ତାଙ୍କୁ ନିଜ ଗୋଡ଼ରେ ସ୍ୱାଭିମାନର ସହ ଛିଡ଼ା ହେବା ପାଇଁ ବାଟଟିଏ ବତାଇଦେଲେ। ଗୋଟିଏ କ୍ୟାଣ୍ଟିନ୍ ଚଳାଇବା ପାଇଁ ସେ ତାଙ୍କୁ ରୋଷେଇ ଉପକରଣ ଓ ଖାଦ୍ୟର କଂଚାମାଲ କିଣି ଆଣିଦେଲେ। କେବଳ ସେତିକି ନୁହେଁ କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ସବ୍ୟସାଚୀ ତାଙ୍କ ନିରାପତ୍ତା ଲାଗି ପିପିଇ କିଟ୍ ମଧ୍ୟ ଦେଇଛନ୍ତି।BGUନାଁ ରହିଲା ‘ସବ୍ୟସାଚୀ କ୍ୟାଣ୍ଟିନ୍’

ସେହି ସମ୍ବଳକୁ ନେଇ ଜ୍ୟୋତ୍ସ୍ନା ଯେଉଁ କ୍ୟାଣ୍ଟିନ୍ ଆରମ୍ଭ କଲେ, ତାହାର ନାଁ ଦେଇଛନ୍ତି ‘ସବ୍ୟସାଚୀ କ୍ୟାଣ୍ଟିନ୍’। ଏଇ ୫/୬ ଦିନ ହେଲା ତାହା ଆରମ୍ଭ ହୋଇଛି। ଲକ୍‌ଡାଉନ ପିରିୟଡ଼ରେ ସେ ନିଜେ ଘରେ ରୋଷେଇ କରି ହୋମ୍ ଡେଲିଭରି ଦେଉଛନ୍ତି। ପ୍ରତ୍ୟେକ ଦିନ ତାଙ୍କ ପାଖକୁ ୨୦ରୁ ୩୦ଟି ଅର୍ଡର ଆସୁଛି। ଜ୍ୟୋତ୍ସ୍ନା ଜଣେ କୋଭିଡ୍ ଯୋଦ୍ଧାଙ୍କଠାରୁ କମ୍ ନୁହନ୍ତି ବୋଲି ସବ୍ୟସାଚୀ ନିଜ ଫେସ୍‌ବୁକ୍ ଷ୍ଟାଟସରେ ଅପଡେଟ୍ ଦେଇଛନ୍ତି। ଜ୍ୟୋତ୍ସ୍ନା ମଧ୍ୟ ସବ୍ୟସାଚୀଙ୍କ ଏହି ବଦାନ୍ୟତା ଓ ସହାୟତା ପାଇଁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ‘ସବ୍ୟସାଚୀ ଭାଇ ମୋତେ କେବଳ ଆର୍ଥିକ ସହାୟତା ଦେଇନାହାନ୍ତି, ବରଂ ମୋତେ ସ୍ୱାବଲମ୍ବୀ ହେବା ପାଇଁ ବାଟ ଦେଖାଇଛନ୍ତି’ ବୋଲି କହିଛନ୍ତି ଜ୍ୟୋତ୍ସ୍ନା।

Comment