ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବେ ଫୁସଫୁସ କ୍ୟାନସର ସହ ଲଢ଼ୁଛନ୍ତି। ନିକଟରେ ସେ ନିଜେ ସୋସିଆଲ ମିଡିଆରେ ଏହା ଘୋଷଣା କରିଥିଲେ। ସେ କିଛି ଦିନ ପାଇଁ କାମରୁ ବ୍ରେକ ନେଉଛନ୍ତି ବୋଲି କହିଥିଲେ। ତେବେ ଏବେ ସେ ନିଜର କ୍ୟାନସର ଚିକିତ୍ସା ପାଇଁ ଆମେରିକା ଯିବେ ବୋଲି ଜଣାପଡ଼ିଛି। ତାଙ୍କ ସହିତ ପତ୍ନୀ ମାନ୍ୟତା ଦତ୍ତ ଓ ଭଉଣୀ ପ୍ରିୟା ଦତ୍ତ ମଧ୍ୟ ଆମେରିକା ଯିବେ।
ସୂଚନାନୁସାରେ, ସେ ନ୍ୟୁୟର୍କର ମେମୋରିଆଲ୍ ସ୍ଲୋନ୍ କ୍ୟାଟରିଂ କ୍ୟାନସର ସେଣ୍ଟରରେ ଚିକିତ୍ସିତ ହେବେ। ସଞ୍ଜୟ ଦତ୍ତଙ୍କ ମା ନର୍ଗିସଙ୍କୁ ମଧ୍ୟ ଏହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଗତ ଅଗଷ୍ଟ ୮ ତାରିଖରେ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ କରିଥିଲେ ସଞ୍ଜୟ ଦତ୍ତ। ଏହାପରେ ସେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ନିଜର ଚିକିତ୍ସା କରାଇଥିଲେ। ଚିକିତ୍ସା ସମୟରେ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଥିଲା।