ଭାସ୍କର ପରିଛାmatric exam

ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ପ୍ରସ୍ତାବଟି  ହେଉଛି କେନ୍ଦ୍ର ସରକାରଙ୍କ ସମସ୍ତ ନିଯୁକ୍ତି ପାଇଁ ଗୋଟିଏ ପରୀକ୍ଷା କରାଯିବ। ଉଭୟ କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଖାଲି ପଡ଼ୁଥିବା ପଦବୀ ପାଇଁ ଏକକ ପରୀକ୍ଷା କରିବା ସଂକ୍ରାନ୍ତ ପ୍ରସ୍ତାବ ଲାଗି କ୍ୟାବିନେଟ ରାଜି ହୋଇଛନ୍ତି।

ଏକକ ମନ୍ତ୍ର

ଉଲ୍ଲେଖନୀୟ ଯେ, ସରଳିକରଣ ମୋଦୀ ସରକାରଙ୍କର ଏକ ବଡ଼ ମନ୍ତ୍ର ହୋଇ ଆସିଛି। ଅଯଥା ଗୁଡ଼ାଏ କଥା ନକରି ବା ପୁନରାବୃତ୍ତିକୁ ଏଡ଼େଇବା ପାଇଁ ବିଗତ ୬ ବର୍ଷ ମଧ୍ୟରେ ମୋଦୀ ସରକାର ‘ଗୋଟିଏ’ ସ୍ଲୋଗାନ ଉପରେ ବେଶ ଗୁରୁତ୍ଵ ଦେଇ ଆସିଛନ୍ତି। ଯେମିତିକି – ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ, ‘ଗୋଟିଏ ଦେଶ, ଗୋଟିଏ ଆଇନ’ ଓ ‘ଗୋଟିଏ ଦେଶ ,ଗୋଟିଏ ନିର୍ବାଚନ’ ଇତ୍ୟାଦି।

ସେ ଯାହାହେଉ, କେନ୍ଦ୍ର ସରକାରୀ ଚାକିରି ପାଇଁ ଯେଉଁ ଜାତୀୟ ନିଯୁକ୍ତି ସଂସ୍ଥା ବା ନ୍ୟାସନାଲ ରିକ୍ର୍ୟୁଟମେଣ୍ଟ ଏଜେନ୍ସି କଥା ଚିନ୍ତା କରାଯାଇଛି  ତାହା ଅନେକ ଦୃଷ୍ଟିରୁ ଏକ ଉତ୍ତମ ପଦକ୍ଷେପ। ଏହି ସଂସ୍ଥା କେନ୍ଦ୍ର ସରକାର, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବିଭାଗର ଅଣଗେଜେଟେଡ୍ ଚାକିରି ପାଇଁ ଗୋଟିଏ ପରୀକ୍ଷା କରିବ। ବର୍ତ୍ତମାନ ଏହି ସବୁ ପଦ ପାଇଁ ବିଭିନ୍ନ ସଂସ୍ଥା, ବିଭିନ୍ନ ପ୍ରକାରର ପରୀକ୍ଷା କରୁଛନ୍ତି। ଏହି ସବୁ ପରୀକ୍ଷା ଭିନ୍ନ ଭିନ୍ନ ଢଙ୍ଗରେ ହେଉଥିବା କାରଣରୁ ପରସ୍ପର ମଧ୍ୟରେ କୌଣସି ମାନେ ରଖୁନାହାନ୍ତି। ଯିଏ ଯାହା ବାଟରେ ପ୍ରଶ୍ନ ପତ୍ର ତିଆରି କଲା!ସମୟ ବରବାଦ

ଏହି ଏକାଧିକ ଭର୍ତ୍ତି ପରୀକ୍ଷା ଯୋଗୁଁ ବେଶୀ ହଇରାଣ ହରକତ ହେଉଛନ୍ତି ପ୍ରାର୍ଥୀ ଓ ପ୍ରାର୍ଥୀନୀ। ସବୁଠାରୁ ବଡ଼ ଅସୁବିଧା ହେଉଛି ପରୀକ୍ଷାର୍ଥୀମାନଙ୍କୁ କେତେବେଳେ କୋଉ ଚାକିରି ବାହାରିଲା ତା’ ଉପରେ ନଜର ରଖିବା ପାଇଁ ହେଉଛି। ଖାଲି ସେତିକି ନୁହେଁ, ଯେତେବେଳେ ବିଜ୍ଞପ୍ତି ପ୍ରକାଶ ପାଇବ ସେତେବେଳେ ଫର୍ମ କିଣିବାଠାରୁ ଆରମ୍ଭ କରି ଫର୍ମ ପକାଇବା ପର୍ଯ୍ୟନ୍ତ ଯାବତୀୟ ପ୍ରକ୍ରିୟା ଦେଇ ଯିବାକୁ ପଡ଼ୁଛି। ହୁଏତ ସହରରେ ଯେଉଁମାନେ ରହୁଛନ୍ତି ସେମାନଙ୍କ ପାଇଁ ଏହା ଏତେ ଅସୁବିଧା ସୃଷ୍ଟି କରୁନଥିବ। କିନ୍ତୁ ଗାଁ ଗହଳରେ ଯେଉଁ ପିଲା ରହୁଛନ୍ତି ତାଙ୍କ ପାଇଁ  ଏସବୁ କରିବା କଷ୍ଟକର ବ୍ୟାପାର। ଏକାଧିକ ପରୀକ୍ଷା ପାଇଁ ପ୍ରାର୍ଥୀମାନଙ୍କର କେବଳ ଅର୍ଥ ତଣ୍ଡ ହେଉଛି ତାହା ନୁହେଁ, ସମୟ ଓ ଶକ୍ତି ବି ବରବାଦ ହେଉଛି। ଏବେ କିନ୍ତୁ ସେକଥା ଆଉ ହେବ ନାହିଁ।

ନୂଆ ବ୍ୟବସ୍ଥା ଆସିବା ପରେ ଷ୍ଟାଫ୍ ସିଲେକ୍ସନ କମିସନ, ଇନଷ୍ଟିଚ୍ୟୁଟ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ୍ ସିଲେକ୍ସନ, ରେଲୱେ ରିକ୍ର୍ୟୁଟମେଣ୍ଟ ବୋର୍ଡ ଆଦି ତମାମ ନିଯୁକ୍ତି ପାଇଁ ଏଣିକି କମନ୍ ଏଲିଜିବିଲିଟି ଟେଷ୍ଟ ହେବ ଓ ଜାତୀୟ ନିଯୁକ୍ତି ସଂସ୍ଥା ବା ଏନ୍‌ଆର୍‌ଏ ଏହି କାମଟି କରିବ। ଗୋଟିଏ ପରୀକ୍ଷା କରିବା ପରେ ଫଳ ଭିତ୍ତିରେ ପ୍ରାର୍ଥୀଙ୍କ ନାମ ସର୍ଟଲିଷ୍ଟ କରାଯାଇ ସମ୍ପୃକ୍ତ ନିଯୁକ୍ତି ପ୍ରଦାନ ସଂସ୍ଥା ପାଖକୁ ତାଲିକା ପଠାଇ ଦିଆଯିବ। ତା ପରେ ସଂପୃକ୍ତ ବିଭାଗ ପ୍ରିଲିମ୍‌ନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଡାକିବ।ଅସୀମିତ ସୁଯୋଗ

ଏହି ସିଲେକ୍ସନ ଲିଷ୍ଟଟି ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ସିଇଟି ଦେବା ପାଇଁ କୌଣସି ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। ଅର୍ଥାତ ଚାକିରି ବୟସ ଥିବା ପର୍ଯ୍ୟନ୍ତ ଜଣେ ଯେତେଥର ଚାହିଁବ ପରୀକ୍ଷାରେ ବସି ପାରିବ। ନୂଆ ଭର୍ତ୍ତି ପଦ୍ଧତିର ଏହା ହେଉଛି ମୋଟାମୋଟି ସ୍ୱରୂପ।

ଅବଶ୍ୟ ଜାତୀୟ ପରୀକ୍ଷା ସଂସ୍ଥା ବା ଏନ୍‌ଆର୍‌ଏ ଗଠନ ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି। ଏହି ସଂସ୍ଥା ସମ୍ପର୍କରେ ଆହୁରି ଅନେକ କଥା ଜାଣିବା ପାଇଁ ବାକି ରହିଛି।

ତେବେ ନୂଆ ନିଯୁକ୍ତି ସଂସ୍ଥାର ସ୍ଥାପନା ଫଳରେ ଯେ ସବୁ କିଛି ଠିକ ହୋଇଯିବ ତାହା ଭାବିବା ଠିକ୍ ନୁହେଁ। ବରଂ ଏବେ ଯେତେ ପରୀକ୍ଷା ହେଉଛି ତା’ ସହିତ ଆଉ ଗୋଟିଏ ପରୀକ୍ଷା ଯୋଡ଼ି ହୋଇଗଲା ବୋଲି ବୁଝିବାକୁ ହେବ।

ଫିଲ୍‌ଟର ପ୍ରକ୍ରିୟା

ଏହା ଅବଶ୍ୟ ସତ ଯେ କମନ୍ ଏଲିଜିବିଲିଟି ଟେଷ୍ଟ ଦ୍ୱାରା ବିଭିନ୍ନ ନିଯୁକ୍ତି ସଂସ୍ଥାର  କାର୍ଯ୍ୟ ଏଣିକି ହାଲ୍‌କା ହେବ। ବ୍ୟାଙ୍କ ଚାକିରି ହେଉ କି ରେଲୱେ ଚାକିରି ହେଉ ଏହି କ୍ଷଣି ହଜାରେ ଦେଢ଼ ହଜାର ପୋଷ୍ଟ ପାଇଁ ଲକ୍ଷ ଲକ୍ଷ ପିଲା ଆବେଦନ କରୁଛନ୍ତି। ପ୍ରତ୍ୟେକ ଚାକିରି ପ୍ରଦାନ ସଂସ୍ଥାକୁ ଏହି ଭିଡ଼କୁ ସମ୍ଭାଳିବା ପାଇଁ ନାନା ପ୍ରକାର ପ୍ରସ୍ତୁତି କରିବାକୁ ପଡ଼ୁଛି। ସିଇଟି ଆସିବା ପରେ ପ୍ରାଥମିକ ସ୍ତରରେ ହିଁ ଆଶାୟୀ ପ୍ରାର୍ଥୀଙ୍କୁ ଫିଲ୍‌ଟର କରି ଦିଆଯିବ। ଏହା ଫଳରେ ମୁଖ୍ୟ ପରୀକ୍ଷା ସୀମିତ ପ୍ରାର୍ଥୀଙ୍କୁ ନେଇ କରାଯିବ। ଅଳ୍ପ ପିଲାଙ୍କ ଭିତରୁ ସଫଳ ପିଲାଙ୍କୁ ବାଛିବା ଅପେକ୍ଷାକୃତ ସହଜ ହେବ।

ପ୍ରସଙ୍ଗତଃ, ନିଯୁକ୍ତି ସଂସ୍ଥାର କାମକୁ ହାଲ୍‌କା କରିବାକୁ ଯାଇ ନୂଆ ବ୍ୟବସ୍ଥା ଦ୍ୱାରା  ଆମେ ପିଲାଙ୍କୁ ବୋଝଗ୍ରସ୍ତ କରୁନାହୁଁ ତ? ନୂଆ ପିଢ଼ି ଉପରେ ଗୋଟିଏ ପରୀକ୍ଷା ଦେଇ ଯିବାର ପ୍ରକ୍ରିୟାଟି ମାନସିକ ଚାପ ସୃଷ୍ଟି କରିବ ନାହିଁ ତ? ଏହି ସବୁ ବିଷୟ ଚିନ୍ତା କରିବା ପାଇଁ ହେବ। ଯେଉଁମାନେ ସିଇଟିରେ ସଫଳ ହୋଇପାରୁ ନାହାନ୍ତି ସେମାନଙ୍କ ନିରାଶା ବୃଦ୍ଧି ପାଇବାର ଆଶଙ୍କାକୁ ବି ଏଡ଼େଇ ହେବ ନାହିଁ।BGUସଂରକ୍ଷଣ ପ୍ରଶ୍ନ

ଏଥି ସହିତ ଆଉ ଗୋଟିଏ କଥା ମଧ୍ୟ ଯୋଡ଼ି ହୋଇ ରହିଛି – ସଂରକ୍ଷଣ। ଏବେ ଏକଥା ସ୍ପଷ୍ଟ ହୋଇନାହିଁ ସିଇଟିରେ ସଂରକ୍ଷଣକୁ କେମିତି ପ୍ରୟୋଗ କରାଯିବ। ସୁତରାଂ,ଏସବୁ ବିଷୟ ଉପରେ  ଗଭୀର ଆଲୋଚନା ହେବା ଦରକାର। ନୂଆ କଥା କରିବାକୁ ଗଲା ବେଳେ ମହରଗରୁ ଯାଇ କାନ୍ତାରରେ ନପଡିଲେ ହେଲା!

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment