ଓଡ଼ିଶାଲାଇଭ୍ ବ୍ୟୁରୋ

  • ‘ଆମ ସହର’ ମୋବାଇଲ ଆପ୍ ଏବଂ ‘ସ୍ୱଚ୍ଛ ସହର ଓଡିଶା’ ୱେବ୍ ଆପ୍‌ର ଶୁଭାରମ୍ଭ
  • ୧୫୦ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଓ ୫୦ଟି ସାମଗ୍ରୀ ପୁନରୁଦ୍ଧାର ସୁବିଧା ଉଦ୍‌ଘାଟିତ
  • ୫୧ଟି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ
  • ସ୍ୱଚ୍ଛ ସର୍ବେକ୍ଷଣ -୨୦୨୦ରେ ଶ୍ରେଷ୍ଠତା ପ୍ରଦର୍ଶନକାରୀ ପୌରସଂସ୍ଥା ସମ୍ମାନିତ
  • ମିଶନ ଶକ୍ତି ଗୋଷ୍ଠୀକୁ ୪ଗୋଟି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ 

ସ୍ଵାୟତ୍ତ ଶାସନ ଦିବସ ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୋମବାର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏଥିସହ ‘୫-ଟି ଆଦର୍ଶର ଏକ ଅଂଶ ଭାବରେ ସହରାଞ୍ଚଳରେ ଉତ୍ତମ ସେବା ଯୋଗାଇ ଦେବା ପାଇଁ ‘ଆମ ସହର’ ମୋବାଇଲ ଆପ୍ ଏବଂ ‘ସ୍ୱଚ୍ଛ ସହର ଓଡିଶା’ ୱେବ୍ ଆପ୍‌ର ଶୁଭାରମ୍ଭ କରିଛନ୍ତି। ଏହା ପୌରସଂସ୍ଥାଗୁଡ଼ିକରେ ଉତ୍ତମ ଆର୍ଥିକ ପରିଚାଳନା କ୍ଷେତ୍ରରେ ସ୍ୱଚ୍ଛତା ଆଣିବ ବୋଲି କୁହାଯାଉଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୫୦ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏବଂ ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ଥାପିତ ୫୦ଟି ସାମଗ୍ରୀ ପୁନରୁଦ୍ଧାର ସୁବିଧା (ମାଟେରିଆଲ୍ ରିକଭରି ଫାସିଲିଟି)ର ଉଦ୍‌ଘାଟନ କରିଛନ୍ତି। ସେହିପରି ରାଜ୍ୟର ସବୁ ସହରରେ ସେପ୍ଟେଜ ମ୍ୟାନେଜମେଣ୍ଟ ସୁନିଶ୍ଚିତ କରିବା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧ଟି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ପରିମଳ ସୁବିଧାର ସୁପରିଚାଳନା ପାଇଁ ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଉରକେଲା ମ୍ୟୁନିସପାଲ କର୍ପୋରେସନ, ଅନୁଗୁଳ, ବାଲେଶ୍ୱର ଏବଂ ଢେଙ୍କାନାଳ ମ୍ୟୁନିସପାଲିଟିର ମିଶନ ଶକ୍ତି ଗୋଷ୍ଠୀକୁ ୪ଗୋଟି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରିଛନ୍ତି।

ସ୍ୱଚ୍ଛ ସର୍ବେକ୍ଷଣ -୨୦୨୦ରେ ଶ୍ରେଷ୍ଠତା ପ୍ରଦର୍ଶନକାରୀ ପୌରସଂସ୍ଥା ଭାବେ ବ୍ରହ୍ମପୁର ମହାନଗର ନିଗମ, ପାରାଦୀପ ,ଯୋଡ଼ା , ବଡ଼ବିଲ, ଢେଙ୍କାନାଳ, ରାଜଗାଙ୍ଗପୁର, ବ୍ୟାସନଗର, ଚୌଦ୍ୱାର ମ୍ୟୁନିସପାଲିଟି ଏବଂ କୋଟପାଡ଼ ଏନ.ଏ.ସିକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି। ସହରଗୁଡ଼ିକୁ ଅଧିକ ପରିଷ୍କାର ପରିଚ୍ଛନ କରିବାରେ ପୌର ସଂସ୍ଥାଗୁଡ଼ିକ ହାସଲ କରୁଥିବା ସଫଳତା ଏବଂ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପ୍ରୟାସକୁ ନବୀନ ପ୍ରଶଂସା କରିଛନ୍ତି। ଏଥିସହ କୋଭିଡ୍‌-୧୯ ମହାମାରୀ ସମୟରେ ନିରନ୍ତର ତଥା ନିଷ୍ଠାପର ଉଦ୍ୟମ ପାଇଁ ସେ ପରିମଳ ଯୋଦ୍ଧାମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

ଏହା କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ପାରମ୍ପରିକ ପଦ୍ଧତି ଠାରୁ ଏ ବର୍ଷର ସ୍ୱାୟତ୍ତ ଶାସନ ଦିବସ ପାଳନ ସମ୍ପୂର୍ଣ୍ଣ ଅଲଗା। ରାଜ୍ୟବାସୀ ଏକ କଠିନ ସମୟ ଦେଇ ଜୀବନ ଅତିବାହିତ କରୁଥିବା ବେଳେ ପୌର ପ୍ରଶାସନ ତାର ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରି ଜନସାଧାରଣଙ୍କୁ ସମସ୍ତ ସେବା ପ୍ରଦାନ କରି ଆସୁଛି।”ବିଗତ ଦିନଗୁଡ଼ିକଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭାଗର କାର୍ଯ୍ୟଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ଗୃହ ଓ ନଗର ଉନ୍ନୟନ ବିଭାଗ, ପୌରପାଳିକାଗୁଡ଼ିକର ଦକ୍ଷତା ବୃଦ୍ଧି ସହିତ ସହର ପରିମଳ ବ୍ୟବସ୍ଥାରେ ସୁଧାର, ଗରିବ ଖଟିଖିଆ ତଥା ଦିନ ମଜୁରିଆଙ୍କ ଜୀବିକାର ବ୍ୟବସ୍ଥା, ସୁସ୍ଥ ପରିବେଶ ତଥା ପୌର ନିୟମାବଳୀରେ ସଂଶୋଧନ ଆଣି ପୌର ପ୍ରଶାସନକୁ ଲୋକାଭିମୁଖୀ କରି ପାରିଛି। ସେହିପରି ନୂଆ ଭାବେ ଗ୍ରହଣ କରାଯାଇଥିବା ସହରୀ ମଜୁରୀ ନିଯୁକ୍ତି ପଦକ୍ଷେପ ଆଜି ଭାରତର ସବୁ ରାଜ୍ୟର ଆଖି ଖୋଲିଦେଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥି ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ମଞ୍ଜୁର କରିଥିବାରୁ ମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।

ଜାଗା ମିଶନ ପୌର ପ୍ରଶାସନରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ମ୍ୟୁନିସପାଲିଟି ଓ ଏନ୍‌.ଏ.ସିରେ ବସ୍ତିଗୁଡ଼ିକରେ ରହୁଥିବା ଜନସାଧାରଣଙ୍କୁ ଜମିପଟ୍ଟା ଦେବା ସହିତ ଏହା ଏକ ସୁସ୍ଥ ପରିବେଶ ସୃଷ୍ଟି କରୁଛି। ବସ୍ତିଗୁଡ଼ିକରେ ତ୍ୱରାନିତ ଭାବେ ମାଇକ୍ରୋ କାର୍ଯ୍ୟକଳାପ କେନ୍ଦ୍ର (ମାଇକ୍ରୋ ଆକ୍ଟିଭିଟି ସେଣ୍ଟର) ଓ ଖୋଲା ସ୍ଥାନ ବିକାଶ (ଓପନ୍ ସ୍ପେଶ୍ ଡେଭେଲପ୍‌ମେଣ୍ଟ) ମଧ୍ୟ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।BGUଚଳିତବର୍ଷ ଓଡ଼ିଶା ସବୁଠାରୁ ଦ୍ରୁତ ରାଜ୍ୟ ଭାବେ ଭାରତ ସରକାରଙ୍କ ଦ୍ୱାରା ବିବେଚିତ ହେବ ଏକ ଆନନ୍ଦର ବିଷୟ। ଆଗାମୀ ଦିନରେ ସମସ୍ତ ପୌରାଞ୍ଚଳ ନିଜର କର୍ତ୍ତବ୍ୟ ନିଷ୍ଠା ଓ ପରିଶ୍ରମ ବଳରେ ସର୍ବ ଭାରତୀୟ ସ୍ତରରେ ପୁରସ୍କାର ଅର୍ଜନ କରନ୍ତୁ, ଏହା ଆଜି ଦିନରେ ସମସ୍ତଙ୍କ ପାଇଁ ଆହ୍ୱାନ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

କାର୍ଯ୍ୟକ୍ରମ ଆରମ୍ଭରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ସ୍ୱାଗତ ଭାଷଣ ପ୍ରଦାନ କରି ସ୍ୱାୟତ୍ତ ଶାସନ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଶେଷରେ ପୌର ପ୍ରଶାସକ ସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comment