ଓଡ଼ିଶାଲାଇଭ୍ ବ୍ୟୁରୋ

‘ମେଡଟେଲ୍ ହେଲଥକେୟାର’ ଇଣ୍ଟରନେଟ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ସଂସ୍ଥା। ଏହା ମାଧ୍ୟମରେ ଆପଣ ଅଭିଜ୍ଞ ଡାକ୍ତର ଏବଂ ଖ୍ୟାତି ସଂପନ୍ନ ବିଶେଷଜ୍ଞଙ୍କ ସହ ସୁବିଧାରେ ପରାମର୍ଶ କରିପାରିବେ।

କରୋନା ମହାମାରୀ ପାଇଁ ଏବେ ଶିକ୍ଷାରୁ ସ୍ୱାସ୍ଥ୍ୟସେବା ସବୁକିଛି ଫିଜିକାଲରୁ ଡିଜିଟାଲ ହୋଇପଡ଼ିଛି। ଘରେ ରହି ପିଲା ପାଠ ପଢ଼ିବେ, ଘରେ ଥାଇ ଲୋକେ ସ୍ୱାସ୍ଥ୍ୟସେବା ପାଇବେ, ଏକଥା କେହି ଭାବି ନଥିଲେ। କରୋନା କାଳରେ ଏହା କିନ୍ତୁ ଏକ ପ୍ରକାର ବାଧ୍ୟତାମୂଳକ ହୋଇଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏବେ ଲୋକେ ଟେଲି ମେଡିସିନ୍‌ ସେବା ପାଇ ପାରୁଛନ୍ତି। ଘରେ ଥାଇ ଡାକ୍ତରଙ୍କ ପରାମର୍ଶ ନେଇପାରୁଛନ୍ତି। ତେବେ କରୋନା ପାଇଁ ଯେ ଏହି ବ୍ୟବସ୍ଥା ଉପଲବ୍ଧ ହୋଇଛି ତାହା ନୁହେଁ, କରୋନା ମହାମାରୀ ପୂର୍ବରୁ ମଧ୍ୟ ଲୋକେ ଡାକ୍ତରଖାନା ନଯାଇ କିଭଳି ସେବା ପାଇପାରିବେ ଏହି ଭାବନା ନେଇ ୨୦୧୭ରୁ ଷ୍ଟାର୍ଟଅପ୍‌ ଓଡ଼ିଶାର ‘ମେଡ୍‌ଟେଲ୍‌ ହେଲଥକେୟାର’ ଆରମ୍ଭ କରିଥିଲା ଡିଜିଟାଲ୍‌ ସ୍ୱାସ୍ଥ୍ୟ ସେବା।

ମେଡ୍‌ଟେଲ୍‌ ହେଲଥକେୟାରର ଉଦ୍ଦେଶ୍ୟ ଥିଲା ଗାଁ ଗହଳି ଓ ଅଗମ୍ୟ ଅଞ୍ଚଳରେ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା। ନିଜ ଉତ୍ପାଦର ବିକାଶ ପାଇଁ ମେଡଟେଲ ହେଲଥକେୟାରକୁ ସହଯୋଗ କରୁଛି କିଟ୍‌ ବିଶ୍ୱବିଦ୍ୟାଳୟର ଟେକନୋଲୋଜି ବିଜ୍‌ନେସ୍‌ ଇନକ୍ୟୁବେଟର।

ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଦରୂତା କମ୍‌ କରିଛି ମେଡ୍‌ଟେଲ ହେଲଥକେୟାର

ଭାରତରେ ମୁଖ୍ୟତଃ ଗ୍ରାମାଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଥାନ୍ତି। କାରଣ ଭାରତରେ ପ୍ରାୟ ୭୦ ପ୍ରତିଶତ ଡାକ୍ତର ସହରାଞ୍ଚଳରେ ଉପଲବ୍ଧ ହୋଇଥାନ୍ତି।। ଏହି କାରଣରୁ ଗ୍ରାମାଞ୍ଚଳରେ ଅନେକ କ୍ଷେତ୍ରରେ ରୋଗୀ ହଇରାଣ ହୋଇଥାନ୍ତି। ଭୁଲ ଚିକିତ୍ସା ଯୋଗୁଁ ଭବଷ୍ୟତରେ ଅଧିକ ଖର୍ଚ୍ଚାନ୍ତ ହୋଇଥାନ୍ତି। ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଥିବା ଏହି ଦୂରତାକୁ କମ୍‌ କରିଛି ଡିଜିଟାଲ ସ୍ୱାସ୍ଥ୍ୟ ସେବା ମେଡଟେଲ୍‌ ହେଲଥ କେୟାର।

ଅଳ୍ପ ଟଙ୍କା ଓ କମ୍‌ ସମୟରେ ସ୍ୱାସ୍ଥ୍ୟ ସେବା

‘‘ପ୍ରଥମେ ଯେତେବେଳେ ଏହି ସଂସ୍ଥା ଆରମ୍ଭ ହୋଇଥିଲା ସେତେବେଳେ ପ୍ରଥମେ ଆମେ ଦେଖିଲୁ ଯେ ଡାକ୍ତର ଏବଂ ରୋଗୀଙ୍କର କ’ଣ ଆବଶ୍ୟକତା ଅଛି? ଡାକ୍ତର ଓ ରୋଗୀଙ୍କ ଆବଶ୍ୟକତା ଦେଖି ଆମେ ଉତ୍ପାଦ ବଢ଼ାଇଲୁ। ଏହାକୁ ବିଜନେସ ମଡେଲ୍‌ରେ ପରିଣତ କରିବା ପାଇଁ ଚିନ୍ତା କଲୁ। ଲୋକେ କେମିତି ସ୍ୱାସ୍ଥ୍ୟ ସେବା ପାଇବା ପରେ ଟଙ୍କା ଦେବେ ସେ ବ୍ୟବସ୍ଥା କଲୁ। ଫଳରେ ଅଳ୍ପ ଟଙ୍କାରେ ଲୋକେ ସେବା ପାଇଲେ। ସେମାନଙ୍କ ସମୟ ବଞ୍ଚିଲା ଆଉ ପଇସା ମଧ୍ୟ ବଞ୍ଚିଲା’’, କହିଛନ୍ତି ମେଡଟେଲ ହେଲଥକେୟାରର ସହ ପ୍ରତିଷ୍ଠାତା ଡାକ୍ତର ଲଳିତ ରଞ୍ଜନ ମାଣିକ।

ଜନସେବା କେନ୍ଦ୍ର, ଔଷଧ ଦୋକାନରେ ମେଡଟେଲ ପହଞ୍ଚାଉଛି ମେଡିକାଲ ଉପକରଣ

‘‘ବିଭିନ୍ନ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ର ଓ ମେଡିସିନ ଷ୍ଟୋରରେ ମେଡଟେଲ ହେଲ୍‌ଥକେୟାର ପହଞ୍ଚାଉଛି ମେଡିକାଲ ଉପକରଣ। ରକ୍ତଚାପ ମାପିବା, ବ୍ଲଡ ସୁଗାର ମାପିବା ପାଇଁ ଉପକରଣ ପହଞ୍ଚାଇବା ସହିତ ଷ୍ଟେଥୋସ୍କୋପ ଦିଆଯାଉଛି। ଏହି ଡିଭାଇସ ସବୁ ମୋବାଇଲରେ କନେକ୍ଟ ରହୁଛି। ଜନସେବା କେନ୍ଦ୍ର ବା ଯେଉଁ ମେଡିସିନ ଷ୍ଟୋର ଲୋକଙ୍କର ଯାଞ୍ଚ କରୁଛନ୍ତି ସେମାନେ ସମସ୍ତ ତଥ୍ୟ ଡାକ୍ତରଙ୍କ ନିକଟରେ ପହଞ୍ଚାଉଛନ୍ତି। ଫଳରେ ଡାକ୍ତର ତଥ୍ୟ ଦେଖି ଇ-ପ୍ରେସକିପ୍‌ସନ ପଠାଇ ଦେଉଛନ୍ତି। ଯାହାଫଳରେ ରୋଗୀ ନିକଟସ୍ଥ ଔଷଧ ଦୋକାନରୁ ଔଷଧ ଖାଇ ଭଲ ହୋଇପାରୁଛନ୍ତି’’, କହିଛନ୍ତି ଡାକ୍ତର ଲଳିତ ରଞ୍ଜନ ମାଣିକ।

‘‘କେବଳ ଓଡ଼ିଶା ନୁହେଁ, ମେଡଟେଲ୍‌ର ଏହି ସ୍ୱାସ୍ଥ୍ୟସେବାକୁ କିଭଳି ବିଦେଶରେ ପହଞ୍ଚାଇବ ସେଥିପାଇଁ ଆମେ ଚିନ୍ତା କରୁଛୁ। ମେଡଟେଲ୍‌ ଟିମ୍‌ ଭଲ କାମ କରୁଛନ୍ତି। ଆଗାମୀ ୨/୪ ବର୍ଷରେ ସଂସ୍ଥା ଆହୁରି ଅଗ୍ରଗତି କରିବା ବୋଲି ଆଶ କରୁଛୁ’’, କହିଛନ୍ତି କିଟ୍‌ ଟିବିଆଇର ସିଇଓ ଡକ୍ଟର ମୃତ୍ୟୁଞ୍ଜୟ ସୁଅର।

ପଶ୍ଚିମବଙ୍ଗରେ ସେବା ଯୋଗାଉଛି ମେଡଟେଲ

ମେଡଟେଲ ହେଲ୍‌ଥ କେୟାର ଏବେ ପଶ୍ଚିମବଙ୍ଗ ସରକାରଙ୍କ ସହ କାମ କରୁଛି। ସେଠାରେ ଏବେ ୧୭ ଶହ ହେଲଥ ଆଟେଣ୍ଡାଣ୍ଟ କାମ କରୁଛନ୍ତି। ବିଭିନ୍ନ ଉପକରଣ ନେଇ ଘର ଘର ବୁଲି ସେବା ଯୋଗାଉଛନ୍ତି। ଏହାଦ୍ୱାରା ୧୭ ଶହ ଯୁବକ ମଧ୍ୟ ନିଯୁକ୍ତି ପାଇ ପାରୁଛନ୍ତି। ଭୁବନେଶ୍ୱର ବ୍ୟତୀତ ମେଡଟେଲର କାର୍ଯ୍ୟଳୟ ବେଙ୍ଗାଳୁରୁରେ ରହିଛି। ନେପାଳ ଫିଲିଫାଇନ୍ସ, ଆଫ୍ରିକା, ବାହାମାସରେ ସେବା ଯୋଗାଇବା ଆରମ୍ଭ କରିଛି।BGU

କେମିତି ପାଇବେ ସେବା?

ମେଡଟେଲ ବିଭିନ୍ନ ବିଭାଗର ବିଶେଷଜ୍ଞ ଓ ଡାକ୍ତରଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ରୋଗୀଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଉଛି। ଫଳରେ ସହଜରେ ଓ ସୁରକ୍ଷିତ ଭାବେ ଜଣେ ରୋଗୀ ସେବା ପାଇ ପାରୁଛି। ଏଥିପାଇଁ ରୋଗୀଙ୍କୁ ଜନସେବା କେନ୍ଦ୍ର, ଔଷଧ ଦୋକାନା ବା ନିଜ ସ୍ମାର୍ଟଫୋନରେ ମେଡଟେଲ୍‌ ଆପ୍‌ ଦ୍ୱାରା ନିଜର ଅନୁରୋଧକୁ ପଞ୍ଜିକୃତ କରାଇପାରିବେ।

ଏହାପରେ ସେବିକା ରୋଗୀଙ୍କୁ କଲ୍‌ କରିଥାଆନ୍ତି। ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସବିଶେଷ ବିବରଣୀ ପାଇବା ପରେ ଉପଯୁକ୍ତ ଡାକ୍ତରଙ୍କ ସହ ଫୋନ୍‌ କିମ୍ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ସଂଯୋଗ କରାଇଥାନ୍ତି। ଡାକ୍ତର ରୋଗୀଙ୍କ ସହ କଥା ହେବା ପରେ ଇ-ପ୍ରେସକିପ୍‌ସନ ପଠାଇଥାନ୍ତି। ଏଥିପାଇଁ ମାତ୍ର ୨୦ ମିନିଟ ସମୟ ଲାଗିଥାଏ।

Comment