ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଏ ଯୁଗର କୃଷ୍ଣସୁଦାମା’। ଏହା ୨୦୦୩ରେ ରିଲିଜ୍ ହୋଇଥିଲା। ଏହାପରେ ସେ ‘ସାବତ ମା’, ‘ସୁନାଶଂଖାଳି’, ‘ବାଜି’, ‘ତୁ ମୋ ଆଖିର ତାରା’, ‘ଟୋପାଏ ସିନ୍ଦୂର ଦି ଟୋପା ଲୁହ’, ‘ତତେ ମୋ ରାଣ’, ‘ଥ୍ୟାଙ୍କ ୟୁ ଭଗବାନ’, ‘ଏ ମନ ମାନେନା’ ଆଦି ଓଡ଼ିଆ ସିନେମାରେ ଅଭିନୟ କରିଥିଲେ।

ଏହାପରେ ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ କେତୋଟି ବଙ୍ଗଳା ସିନେମାରେ ନାୟିକା ଭୂମିକାରେ ଅଭିନୟ କରି ସେଠାରେ ଚର୍ଚ୍ଚିତା ହୋଇଥିଲେ। ଏବେ ଆସନ୍ତୁ ଜାଣିବା ବର୍ଷା କେଉଁସବୁ ବଙ୍ଗଳା ଚଳଚିତ୍ରରେ କାମ କରିଛନ୍ତି।

  ଜୋର

‘ଜୋର’ ହେଉଛି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଥମ ବଙ୍ଗଳା ସିନେମା। ଏଥିରେ ବର୍ଷାଙ୍କୁ ବଙ୍ଗଳା ସୁପରଷ୍ଟାର ଜିତଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ବଙ୍ଗଳା ସିନେ ଜଗତର ପ୍ରଖ୍ୟାତ ନିର୍ଦ୍ଦେଶକ ସ୍ୱପନ ଶାହା।

ଟି. ଶଙ୍କର ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ‘ଜୋର୍’ ରିଲିଜ୍ ହୋଇଥିଲା। ଏଥିରେ ଦୀପଙ୍କର ଦେ, ସୁବ୍ରତ ଦତ୍ତ ଓ ମିମି ଦତ୍ତା ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ। ୧ କୋଟି ୨୫ ଲକ୍ଷ ଟଙ୍କା ବଜେଟ୍‌ରେ ନିର୍ମିତ ‘ଜୋର୍’ ପ୍ରାୟ ୫ କୋଟି ଟଙ୍କାର ବ୍ୟବସାୟ କରିଥିଲା।

ଏ ଦୃଷ୍ଟିରୁ ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ତାଙ୍କର ପ୍ରଥମ ବଙ୍ଗଳା ସିନେମାରେ ବଙ୍ଗୀୟ ଦର୍ଶକଙ୍କ ମନ ଜିଣିପାରିଥିଲେ। ସେ ଟଲିଉଡର ହିଟ୍ ହିରୋଇନ୍‌ର ମାନ୍ୟତା ବି ପାଇଗଲେ।

ଗୋଲମାଲ୍

ବର୍ଷା ପ୍ରିୟଦର୍ଶିନୀଙ୍କର ଦ୍ୱିତୀୟ ବଙ୍ଗଳା ସିନେମା ହେଲା ଗୋଲମାଲ୍। ଏହା ୨୦୦୮ ଜୁନ୍ ୬ ତାରିଖରେ ରିଲିଜ୍ ହୋଇଥିଲା। ଏହି ମଲ୍ଟିଷ୍ଟାରର ବଙ୍ଗଳା ସିନେମାର ନିର୍ଦ୍ଦେଶକ ହେଲେ ସ୍ୱପନ ଶାହା। ଏଥିରେ ବର୍ଷାଙ୍କ ସହିତ ପ୍ରସନଜିତ୍, ବିସୁ ସେନଗୁପ୍ତା, ପ୍ରିୟଙ୍କା ତ୍ରିବେଦୀ ଓ ନମ୍ରତା ଥାପ୍ପା ପ୍ରମୁଖ ଅଭିନୟ କରିଥିଲେ।

ଲଭଷ୍ଟୋରି

୨୦୦୮ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଉ ଏକ ବଙ୍ଗଳା ସିନେମା ଦେଖିବାକୁ ମିଳିଥିଲା। ଏହାର ଟାଇଟଲ୍ ହେଲା ‘ଲଭଷ୍ଟୋରି’। ଏଥିରେ ଅଂଶୁମାନ ପରାଶରଙ୍କ ବିପକ୍ଷରେ ନାୟିକା ବନିଥିଲେ ବର୍ଷା। ରାଜ୍ ମୁଖାର୍ଜୀ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହା ୨୦୦୮ ନଭେମ୍ବର ୨୮ ତାରିଖରେ ମୁକ୍ତିଲାଭ କରିଥିଲା।

ଟକ୍କର

୨୦୦୮ ଜୁଲାଇ ୧୮ ତାରିଖରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଏକ ବଙ୍ଗଳା ଛବି ପରଦାକୁ ଆସିଥିଲା। ଏହି ସିନେମାର ଶୀର୍ଷକ ହେଲା ‘ଟକ୍କର’ ଏଥିରେ ପ୍ରସନଜିତ୍, ଅରିନ୍ଦମ୍ ଓ ରଚନା ବାନାର୍ଜୀ ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ। ସ୍ୱପନ ଶାହା ‘ଟକ୍କର’ର ନିର୍ଦ୍ଦେଶକ।

ହାସିଖୁସି କ୍ଲବ୍

ଶଙ୍ଖ ବନ୍ଦୋପାଧ୍ୟାୟଙ୍କ ନିର୍ଦ୍ଦେଶିତ ‘ହାସିଖୁସି କ୍ଲବ୍’ରେ ପୁଣିଥରେ ଜିତଙ୍କ ବିପକ୍ଷରେ ଅଭିନୟ କରିବାର ସୁଯୋଗ ପାଇଥିଲେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ଏହି ବଙ୍ଗଳା ସିନେମାର ନିର୍ଦ୍ଦେଶନା ଦେଇଥିଲେ ଶଙ୍ଖ ବନ୍ଦୋପାଧ୍ୟାୟ। ୨୦୦୯ ମସିହାରେ ଏହା ରିଲିଜ୍ ହୋଇଥିଲା।

ଟାପୁର ଟୁପୁର ବ୍ରିଷ୍ଟି ପଡ଼େ

ଅମିତ ଘୋଷଙ୍କ ନିର୍ଦ୍ଦେଶିତ ‘ଟାପୁର ଟୁପୁର ବ୍ରିଷ୍ଟି ପଡ଼େ’ ହେଉଛି ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଅନ୍ୟ ଏକ ବଙ୍ଗଳା ସିନେମା। ଏଥିରେ ବର୍ଷାଙ୍କ ବ୍ୟତୀତ ଆମିରେଜ ଓ ଗାଙ୍ଗୁଲି ମୁଖ୍ୟ ଭୂମିକାରେ ଥିଲେ। ଏହା ୨୦୧୦ ଡିସେମ୍ବର ୩୧ ତାରିଖରେ ରିଲିଜ୍ ହୋଇଥିଲା।

ଅଚେନା ପ୍ରେମ୍

୨୦୧୧ ଜୁଲାଇ ୮ ତାରିଖରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ବଙ୍ଗଳା ସିନେମା ‘ଅଚେନା ପ୍ରେମ୍’ ମୁକ୍ତିଲାଭ କରିଥିଲା। ଏଥିରେ ଆକାଶଙ୍କ ବିପକ୍ଷରେ ନଜର ଆସିଥିଲେ ବର୍ଷା। ସ୍ୱପନ ଶାହା ଥିଲେ ଏହି ସିନେମାର ନିର୍ଦ୍ଦେଶକ।

Comment