ଓଡ଼ିଶାଲାଇଭ୍‍ ବ୍ୟୁରୋ

ଅନୁଭବ ତାଙ୍କର ପ୍ରଥମ ଫିଲ୍ମରେ ସୁଯୋଗ କେମିତି ପାଇଲେ ଜାଣନ୍ତୁ….

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତା ତଥା ବର୍ତ୍ତମାନର ସାଂସଦ ଅନୁଭବ ମହାନ୍ତି ଏବେ ତାଙ୍କ ପତ୍ନୀଙ୍କ ସହ ପାରିବାରିକ କଳହକୁ ନେଇ ଚର୍ଚ୍ଚାରେ। ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବିରୋଧରେ ପାରିବାରିକ ହିଂସାର ଅଭିଯୋଗ ଆଣିଛନ୍ତି। ହେଲେ ଆପଣ ଜାଣିଛନ୍ତି କି ଆଜି ସାଂସଦ ଓ ସୁପରଷ୍ଟାର ଥିବା ଅନୁଭବ କିଭଳି ଭାବେ ଓଲିଉଡରେ ଏଣ୍ଟ୍ରି କରିଥିଲେ?ଅନୁଭବ ୨୦୦୪ରେ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ଓଡ଼ିଆ ସିନେମା ‘ଆଇ ଲଭ୍ ୟୁ’ରେ ବ୍ରେକ୍ ପାଇଥିଲେ। ବ୍ରଜରାଜ ମୁଭିଜ ବ୍ୟାନରରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ପ୍ରଖ୍ୟାତ ଅଭିନେତା ତଥା ନିର୍ଦ୍ଦେଶକ ହରପଟ୍ଟନାୟକ। ସଞ୍ଜୟ ନାୟକ(ଟୁଟୁ)ଏହି ଇତିହାସ ସୃଷ୍ଟିକାରୀ ସିନେମାର ପ୍ରଯୋଜନା କରିଥିଲେ। ମାତ୍ର ୨୮ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଓଡ଼ିଆ ସିନେମା ସେ ସମୟରେ ଏକ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିଲା।

ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଥିବା ‘ଆଇ ଲଭ୍ ୟୁ’ରେ ଅନୁଭବଙ୍କ ବିପକ୍ଷରେ ନବାଗତା ନମ୍ରତା ଥାପା ନାୟିକା ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ସହିତ ବିଜୟ ମହାନ୍ତି, ଅନିତା ଦାସ, ନିହାରିକା, ହର ପଟ୍ଟନାୟକ ପ୍ରମୁଖକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା ଏହି ଓଡ଼ିଆ ସିନେମାରେ। ଡାକ୍ତର ସୁବୋଧ ପଟ୍ଟନାୟକ ଏହାର ସଂଳାପ ଲେଖିଥିଲା ବେଳେ ସ୍ୱରୂପ ନାୟକ ଥିଲେ ଏହାର ସଂଗୀତ ନିର୍ଦ୍ଦେଶକ।ଏହି ସିନେମାର ଅଭୁତପୂର୍ବ ସଫଳତା ସେ ସମୟରେ ଅନେକଙ୍କୁ ବିସ୍ମିତ କରିଥିଲା। କାରଣ ସେହି ସମୟରେ ଓଲିଉଡରେ ଗୋଟିଏ କଥା ଜୋର୍ ଧରିଥିଲା ଯେ ନାୟକ ସିଦ୍ଧାନ୍ତଙ୍କ ବିନା ଫିଲ୍ମ ଭଲ ଚାଲିବନି। ‘ଆଇ ଲଭ୍ ୟୁ’ରେ ଜଣେ ନବାଗତ ନାୟକ (ଅନୁଭବ)ଙ୍କୁ ନିଆଯାଇଥିବାରୁ ଅନେକ ଲୋକ ଫିଲ୍ମଟି ରିଲିଜ୍ ହେବା ଆଗରୁ ଏହାର ବ୍ୟବସାୟିକ ସଫଳତାକୁ ନେଇ ସଂଶୟ ପ୍ରକଟ କରିଥିଲେ। କିନ୍ତୁ ସେମାନଙ୍କ ଗଣିତକୁ ଭୁଲ୍ ପ୍ରମାଣିତ କରିଥିଲେ ନାୟକ ଅନୁଭବ ମହାନ୍ତି।

‘ଆଇ ଲଭ୍ ୟୁ’ରେ କାହାଣୀ ଓ ସଂଗୀତ ବି ବେଶ୍ ହୃଦୟସ୍ପର୍ଶୀ ଥିଲା, ଯେଉଁଥିପାଇଁ ଫିଲ୍ମକୁ ଜବରଦସ୍ତ ବ୍ୟାବସାୟିକ ସଫଳତା ମିଳିଥିଲା ବୋଲି କୁହାଯାଏ। କିନ୍ତୁ ଅନୁଭବଙ୍କ କ୍ରଜ୍‌ର ବି ଏହା ପଛରେ ଏକ ବଡ଼ କାରଣ ଯାହାକୁ ଅସ୍ୱୀକାର କରାଯାଇନପାରେ। ତେବେ ଅନୁଭବଙ୍କୁ କାହିଁକି ବ୍ରଜରାଜ ମୁଭିଜ୍ ଲଞ୍ଚ୍ କରିଥିଲେ ଓ ଏଥିପାଇଁ କିଭଳି ଯୋଜନାବଦ୍ଧ ଭାବେ ତାଙ୍କୁ ଟ୍ରେନିଂ ଦିଆଯାଇଥିଲା ସେ କଥାକୁ ଖୁବ୍ କମ୍ ଲୋକ ଜାଣନ୍ତି।୨୦୦୩ରେ ବ୍ରଜରାଜ ମୁଭିଜର ସୁପର ହିଟ୍ ଫିଲ୍ମ ‘ଏ ଯୁଗର କୃଷ୍ଣସୁଦାମା’ ମୁକ୍ତିଲାଭ କରିଥିଲା। ଏହି ସିନେମାରେ ନାୟକ ଭୂମିକାରେ ସିଦ୍ଧାନ୍ତ ନଥିଲେ। କିନ୍ତୁ ତା’ ପୂର୍ବରୁ ଖ୍ୟାତନାମା ପ୍ରଯୋଜକ ବସନ୍ତ ନାୟକଙ୍କ ବ୍ରଜରାଜ ମୁଭିଜର ପୂର୍ବ ଫିଲ୍ମ ‘ଯଶୋଦା’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ମନ ରହିଗଲା ତୁମରି ଠାରେ’, ଓ ‘ମୋ କୋଳ ତୋ ଝୁଲଣା’ ଆଦି ଛବିରେ ନାୟକ ଭୂମିକାରେ ନଜର ଆସିଥିଲେ ସିଦ୍ଧାନ୍ତ। ହେଲେ ଯେତେବେଳେ ସିଦ୍ଧାନ୍ତଙ୍କୁ ‘ଏ ଯୁଗର କୃଷ୍ଣସୁଦାମା’ ପାଇଁ ଅଫର୍ ଦିଆଗଲା ସେତେବେଳେ ସେ ଅଧିକ ଟଙ୍କା ଦାବି କଲେ। ଫଳତଃ ସେଥିରେ ସିଦ୍ଧାନ୍ତଙ୍କୁ ନିଆଯାଇନଥିଲା। ଏହି ଘଟଣା ସେତେବେଳେ ଓଲିଉଡରେ ହଇଚଇ ସୃଷ୍ଟି କରିଥିଲା।

ସେହି କଥାକୁ ମନେପକାଇ ‘ଏ ଯୁଗର କୃଷ୍ଣସୁଦାମା’ର ପ୍ରଯୋଜକ ତଥା ବସନ୍ତ ନାୟକଙ୍କ ସୁପୁତ୍ର ବିନୟ ନାୟକ କହନ୍ତି, “ସିଦ୍ଧାନ୍ତ ସେତେବେଳେ ଆମକୁ ୨ ଲକ୍ଷ ୭୫ ହଜାର ଟଙ୍କା ଫିସ୍ ଦାବି କଲେ, ଯାହାକି ତାଙ୍କର ମାର୍କେଟ୍ ପ୍ରାଇସଠୁ ଢେର ବେଶୀ ଥିଲା। ସେ ପ୍ରାଇସ୍‌କୁ ନେଇ ଜିଦ୍ ଧରିଥିଲେ, ଯେଉଁଥିପାଇଁ ଆମେ ମିଥୁନ୍ ଦା’ଙ୍କୁ ଆଣି ଫିଲ୍ମ ତିଆରି କରିଥିଲୁ।”

ଏହି ଘଟଣା ପରେ ବ୍ରଜରାଜ ମୁଭିଜ୍ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଗଲା। ‘ଏ ଯୁଗର କୃଷ୍ଣ ସୁଦାମା’ ପରେ ଯେତେବେଳେ ପ୍ରଯୋଜନା ସଂସ୍ଥା ଏକ ସମାନ କାହାଣୀଭିତ୍ତିକ ସିନେମା ନିର୍ମାଣ କରିବାର ନିଷ୍ପତ୍ତି ନେଲେ, ସେ ଚାହିଁଥିଲେ ଜଣେ ନୂଆ ହିରୋ ଓଲିଉଡକୁ ଦେବେ ଯିଏକି ସିଦ୍ଧାନ୍ତଙ୍କ ଏକଚାଟିଆ କାରବାରକୁ ରୋକିବାରେ ସମର୍ଥ ହେବେ।

ବାସ୍ ତା’ ପରେ ‘ଆଇ ଲଭ୍‌ ୟୁ’ ସିନେମା ପାଇଁ ନୂଆ ନାୟକଙ୍କ ସନ୍ଧାନ ପ୍ରକ୍ରିୟା ଆରମ୍ଭ ହୋଇଗଲା। ସେତେବେଳେ ଆଲବମ୍ ଦୁନିଆରେ ନାୟକ ଭାବେ ଅନୁଭବ ମହାନ୍ତି ପରିଚିତ ହୋଇସାରିଥିଲେ। ବିଶେଷକରି ଅନୁଭବଙ୍କ ଉପରେ ପିକଚରାଇଜ୍ଡ୍‌ ହୋଇଥିବା ଆଲବମ୍ ‘କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଡ଼ଣୀ’ ବେଶ୍ ଚହଳ ପକାଇଥାଏ। ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ)ଙ୍କ ଦୃଷ୍ଟି ପଡ଼ିଲା ଅନୁଭବଙ୍କ ଉପରେ।BGUକଟକର ନନ୍ଦିସାହିର ଏହି ଆଲବମ୍ ନାୟମ ଅନୁଭବଙ୍କୁ ଓଲିଉଡରେ ତାଙ୍କ ପ୍ରଯୋଜିତ ପ୍ରଥମ ଫିଲ୍ମ ‘ଆଇ ଲଭ୍ ୟୁ’ରେ ବ୍ରେକ୍ ଦେବାର ନିଷ୍ପତ୍ତି ନେଲେ ସଞ୍ଜୟ ନାୟକ (ଟୁଟୁ)। ତାଙ୍କର ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ ପ୍ରଯୋଜକ ପିତା ବସନ୍ତ ନାୟକ, ବଡ଼ଭାଇ ପ୍ରଯୋଜକ ବିଜୟ ନାୟକ ଓ ନିର୍ଦ୍ଦେଶକ ହର ପଟ୍ଟନାୟକ।

ଏହାପରେ ସଞ୍ଜୟ ନାୟକ (ଟୁଟୁ) ଓ ନିର୍ଦ୍ଦେଶକ ହର ପଟ୍ଟନାୟକ ଅନୁଭବଙ୍କୁ ରୀତିମତ ପ୍ରଶିକ୍ଷଣ ଦେଲେ। ଅନୁଭବ ଜିମ୍ ଯାଇ ନିଜର ବଡ଼ି ବିଲ୍ଡିଂ କରିଲେ। ‘ଆଇ ଲଭ୍ ୟୁ’ ପାଇଁ ଚୁକ୍ତିବଦ୍ଧ ହେବା ପରେ ଅନୁଭବ ବି ଖୁବ୍ ମନଧ୍ୟାନ ଦେଇ ଟ୍ରେନିଂ ନେଇଥିଲେ, ଯାହାର ପରିଣାମ ଆଇ ଲଭ୍ ୟୁ’ରେ ଦେଖିବାକୁ ମିଳିଥିଲା।

Comment