ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନସାଧାରଣଙ୍କ ସ୍ୱାର୍ଥରେ  ଆସୁଥିବା ଭଳି ଜମି ଲିଜ ଓ ଟ୍ରାନ୍ସଫର ପାଇଁ ସରକାର ଏକ ନୂଆନିୟମ ଆଣିଛନ୍ତି। ଭୁବନେଶ୍ୱର ନଗର ନିଗମ ଅଞ୍ଚଳରେ ଯେଉଁମାନେ ସରକାରୀ ଜମି ନେବା ପାଇଁ ଚାହିଁବେ ସେମାନଙ୍କୁ ଏହି ନୂଆ ନିୟମ ଦେଇ ଯିବାକୁ ହେବ। ଓଡ଼ିଶା ସରକାରଙ୍କ ଜମି ବନ୍ଦୋବସ୍ତ ନିୟମର ସଂଶୋଧନ କରାଯିବା ସହ ନୂଆ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ବିଶେଷ କରି ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଯେଉଁ ଜମି ରହିଛି ତାହା ଏହି ନୂଆ ନିୟମ ପରିସର ଭିତରକୁ ଆସିଛି।

ଆଗରୁ ଜମି ଲିଜ ଓ ଟ୍ରାନ୍ସଫର ପାଇଁ ଯେଉଁ ବ୍ୟବସ୍ଥା  ଥିଲା ତାହା ସରକାରୀ କ୍ଷମତା ଅନୁଯାୟୀ ହେଉଥିଲା। ଏବେ ତାହା ନିୟମ ଅନୁଯାୟୀ ହେବ। ସରକାରୀ ବିଭାଗ, ସ୍ୱାୟତ୍ତ ଶାସନ ସଂସ୍ଥା ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯେଉଁମାନେ ଜମି ଆବଶ୍ୟକ କରିବେ ସେମାନଙ୍କୁ ଏବେ ଏକ ନୂଆ ଫର୍ମରେ ଆବେଦନ କରିବା ପାଇଁ ହେବ।

ଖାଲି ସେତିକି ନୁହେଁ ବିଭିନ୍ନ ହାଉସିଂ ସ୍କିମ ପାଇଁ ଆବଶ୍ୟକ ଜମି ସକାଶେ ମଧ୍ୟ ବିଡ଼ିଏ ଓ ହାଉସିଂ ବୋର୍ଡ଼ ଏହି ନିୟମ ଅନୁଯାୟୀ ଜମି ପାଇବେ। ଏଣିକି ସମସ୍ତ ପ୍ରକାର ଜିଏ ଡ଼ିପାର୍ଟମେଣ୍ଟ ଜମି ପାଇଁ ଏକ ସ୍ୱତନ୍ତ୍ର ଫର୍ମରେ ଡିରେକ୍ଟର ଇଷ୍ଟେଟସଙ୍କୁ ଦରଖାସ୍ତ କରାଯିବ। ସମ୍ପତ୍ତି ନିର୍ଦ୍ଦେଶକ ଏହାର ମୂଲ୍ୟାୟନ କରିବା ସହ ସିଟି ଡେଭଲପ୍‌ମେଣ୍ଟ ପ୍ଲାନ ଅନୁସାରେ ତାହା  ହୋଇଛି କି ଦେଖିବେ।BGU

ଉକ୍ତ ଜମି ଜବରଦଖଲ ହୋଇଛି କି ନା ସେ କଥା ବି ସେ ଦେଖିବେ। ଦରଖାସ୍ତକାରୀ ସେହି ଜମି ପାଇଁ ଯୋଗ୍ୟ ବିବେଚିତ ହେବେ କି ନା ସେହି ବିଷୟ ମଧ୍ୟ ଇଷ୍ଟେଟ ଡିରେକ୍ଟର ସ୍ଥିର କରିବେ। ଶେଷରେ ଏହା ଲ୍ୟାଣ୍ଡ ଅଲଟମେଣ୍ଟ କମିଟି ପାଖକୁ ଯିବ ଓ କମିଟି ମଞ୍ଜୁରି ଦେବ। ମଞ୍ଜୁରି ହେବା ପରେ ଦରଖାସ୍ତକାରୀ ଜମି ପାଇଁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରିମିୟମ ଟଙ୍କା ପୈଠ କରିବେ।

ଏହି ନୂଆ ନିୟମ ଫଳରେ ରାଜଧାନୀରେ ସରକାରୀ ଜମି ଲିଜ ଦିଆଯିବା ଆଗ ଅପେକ୍ଷା ସହଜ ଓ ସୁନିୟନ୍ତ୍ରିତ ହୋଇ ପାରିବ ବୋଲି କହିଛନ୍ତି ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ।

Comment